ଭବାନୀପାଟଣା : ଦୁଇଦିନିଆ ଗସ୍ତରେ ଆସି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଆଜି ଓଡିଶା ମାଟିରେ ପୁଣି ପରିବର୍ତ୍ତନର ଦମ୍ଭୋକ୍ତି ଦେଖାଇଛନ୍ତି । କଳାହାଣ୍ଡିର ଭବାନୀପାଟଣାରେ ଏକ ସାଧାରଣ ସଭାରେ ଓଡ଼ିଶାର ବିକାଶକୁ ନେଇ ରାଜ୍ୟ ସରକାରଙ୍କ ଆଗରେ ପ୍ରଶ୍ନର ପାହାଡ ଛିଡା କରିଛନ୍ତି । ୧୮ ବର୍ଷ ଧରି ନବୀନ ସରକାର ଓଡ଼ିଶାକୁ ଶାସନ କରୁଥିଲେ ସୁଦ୍ଧା ବିକାଶର ଚିହ୍ନ ବର୍ଣ୍ଣ ନଥିବା କହିଛନ୍ତି ଅମିତ । ଓଡ଼ିଆ ଭାଷା ଓ ଓଡ଼ିଶା ଲୋକଙ୍କ ସମସ୍ୟା ବୁଝି ପାରୁଥିବା ଶାସକ ଓଡ଼ିଶାକୁ ଆବଶ୍ୟକ । ଓଡ଼ିଶାରେ ସବୁ କିଛି ଅଛି, କିନ୍ତୁ ଜଣେ ଭଲ ଶାସକ ଆବଶ୍ୟକ । ଯାହା ନବୀନ ସରକାର କରି ପାରିନାହିଁ ତାହା ବିଜେପି ସରକାର ଆସିଲେ କରିବ ବୋଲି କହିଛନ୍ତି । ପୁଣିଥରେ ସରକାରଙ୍କୁ ଉପାଡି ଫୋପାଡିବା ପାଇଁ ରାଜ୍ୟବାସୀଙ୍କୁ ଆହ୍ୱାନ ଦେଇଛନ୍ତି। ଭବାନୀପାଟଣା ମହାସମାବେଶରେ ନବୀନଙ୍କ ଉପରେ ବର୍ଷିବା ସହ ରାଜ୍ୟ ସରକାର ବିକାଶ କରିବାରେ ବିଫଳ ହୋଇଥିବାର ଲମ୍ବା ଅଭିଯୋଗ ରଖି ୨୦୧୯ରେ ବିଜେପିକୁ ସରକାର କରିବାକୁ ମଉକା ଦେବାକୁ ଅନୁରୋଧ କରିଛନ୍ତି। ହେଲେ ଏଥର ତାଙ୍କ ପାଟିରୁ ୧୨୦ ପ୍ଲସ୍ ସ୍ଲୋଗାନ ଶୁଣିବାକୁ ମିଳିନି।
୨୦୧୯ ନିର୍ବାଚନରେ ବିଜେପି ଓଡ଼ିଶାରେ ୧୨୦ ଆସନ ଜିତିବ ବୋଲି ପ୍ରଥମେ ଅମିତ ଶାହା କହିଥିଲେ। ଏହାପରେ ରାଜ୍ୟ ବିଜେପି ଉତ୍ସାହିତ ହୋଇ ପଡି ମଇଦାନକୁ କୁଦି ପଡ଼ିଥିଲା। ଯେବେ ବି ଯେଉଁ କେନ୍ଦ୍ରମନ୍ତ୍ରୀ ଓଡ଼ିଶା ଗସ୍ତରେ ଆସୁଥିଲେ, କିଛି କୁହନ୍ତୁ ଅବା ନ କୁହନ୍ତୁ ୧୨୦ ପ୍ଲସ୍ କଥା କହିବାକୁ ଭୁଲୁ ନଥିଲେ। ହେଲେ ଏଥର ଅମିତ ଶାହାଙ୍କ ପାଟିରୁ ଏହା ଶୁଣା ନଯିବା ବହୁତ ପ୍ରଶ୍ନ ଛିଡା କରୁଛି।
ଆସନ୍ତାକାଲି ଅମିତ ଶାହ ବଲାଙ୍ଗିରରେ ଜଣେ ଦଳିତଙ୍କ ଘରେ ମଧ୍ୟାହ୍ନଭୋଜନ କରିବାର କାର୍ଯ୍ୟକ୍ରମ ରହିଛି। ଏନେଇ ମହେଶ୍ୱର ସୁନାଙ୍କ ଘରେ ଖୁସି କହିଲେ ନ ସରେ। ମହେଶ୍ୱର ସୁନାଙ୍କ ପରିବାର ସଦସ୍ୟ ଗୋମତି ସୁନା ଲୋକେ କହିଛନ୍ତି ଯେ, ଆମେ କେଉଁ ଜନ୍ମରେ କ’ଣ ଭଲ କାମ କରିଥିଲୁ ବୋଲି ଆମ କୁଡ଼ିଆ ଘରେ ତାଙ୍କ ପାଦ ପଡ଼ୁଛି। କଳାହାଣ୍ଡି କାର୍ଯ୍ୟକ୍ରମ ପରେ ଆଜି ଭବାନୀପାଟଣା ସର୍କିଟ ହାଉସରେ ରାତ୍ରୀଯାପନ କରିବେ । ଆସନ୍ତାକାଲି ଅମିତଙ୍କ ବଲାଙ୍ଗିର ଗସ୍ତ ରହିଛି। ଭବାନୀପାଟଣାରୁ କାର ଯୋଗେ ବଲାଙ୍ଗିର ଯିବେ । ରାସ୍ତା ତମାମ ଅନେକ କାଯର୍ୟାକ୍ରମ ରହିଛି। ଏଭିତରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ରହିଛି। ପ୍ରଥମେ ସଇଁନ୍ତଲା ନିକଟସ୍ଥ ବେନିଆବନ୍ଧ ଗାଁକୁ ଯିବା ସହ, ଦେଓଗାଁରେ ମଧ୍ୟାହ୍ନଭୋଜନ କାର୍ଯ୍ୟକ୍ରମ ରହିଛି । ସଇଁନ୍ତଲାରୁ ସିଧା ଆସି ଦେଓଗାଁରେ ପହଞ୍ଚିବେ। ୧୧ ଟା ୪୫ ରେ ଦେଓଗାଁ ପହଞ୍ଚିବାର କାଯର୍ୟାକ୍ରମ ରହିଛି। ଦେଓଗାଁରେ ରୋଡ ସୋ’ପରେ,ହରିଜନ ପଡାର ମହେଶ୍ୱର ସୁନାଙ୍କ ଘରକୁ ଯିବେ ।
ସୂଚନାଯୋଗ୍ୟ, ସାଧାରଣ ସଭା ପରେ ଅମିତ ଶାହା ସେପ୍ଟେମ୍ବରରେ ବିସ୍ତାରକଙ୍କୁ ଦେଇଥିବା ଟାସ୍କର ସମୀକ୍ଷା କରିଥିଲେ। କୋର କମିଟି ସମସ୍ୟଙ୍କ ଗୁପ୍ତ ମନ୍ତ୍ରଣା କରବା ସହ ସଂସଦୀୟ କ୍ଷେତ୍ର ପାଇଁ ଦାୟିତ୍ୱ ନେଇଥିବା ପର୍ୟ୍ୟବେକ୍ଷକ, ଜିଲ୍ଲା ସଭାପତି, ମୋର୍ଚ୍ଚା ସଭାପତି, ସାଧାରଣ ସଂପାଦକ ଓ ବିଧାୟକମାନଙ୍କ ସହ ବୈଠକ କରି ମିଶନ ୧୯ର ରୋଡମ୍ୟାପ ପ୍ରସ୍ତୁତ କରିଥିଲେ।


