ଭୁବନେଶ୍ୱର(ଓଡ଼ିଶା ୱେୟାର): ସାଧାରଣ ନିର୍ବାଚନ ପାଇଁ ନେତାମାନଙ୍କ ଦଳଡ଼ିଆଁ ଏବେ ଜୋର ଧରିଥିବାବେଳେ ବରିଷ୍ଠ ନେତା ଦିଲ୍ଲୀପ ରାୟ ଆଜି ସନ୍ଧ୍ୟାରେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି। ଦିଲ୍ଲୀପ ସୋମବାର ନିଜର ସମର୍ଥକଙ୍କ ସହ ବିଜେଡିକୁ ଫେରୁଥିବା ଜଣାପଡ଼ିଛି।
ମିଳିଥିବା ସୂଚନା ଅନୁସାରେ ଆଜି ସନ୍ଧ୍ୟା ପ୍ରାୟ ୭ଟା ୨୦ମିନିଟରେ ଶ୍ରୀ ରାୟ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ। ଉଭୟ ନେତାଙ୍କ ମଧ୍ୟରେ ପ୍ରାୟ ୧୦ ମିନିଟ୍ ଆଲୋଚନା ହୋଇଥିଲା। ଆଲୋଚନାରେ ବିଜୟ ମହାପାତ୍ରଙ୍କ ଫେରିବା ପ୍ରସଙ୍ଗ ସାମିଲ ଥିବା କୁହାଯାଉଛି। ଏହାପରେ ଶ୍ରୀ ରାୟଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନ୍ କିଛି ସମୟ ଆଲୋଚନା କଲାପରେ ସେ ପ୍ରାୟ ୮ଟା ସମୟରେ ନବୀନ ନିବାସ ଛାଡ଼ିଥିବା ଜଣାପଡ଼ିଛି । ଦୀର୍ଘ ୧୭ବର୍ଷ ପରେ ଶ୍ରୀ ରାୟ ପ୍ରଥମଥର ପାଇଁ ନବୀନ ନିବାସ ଯାଇଥିଲେ।
ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କୁ ବିଜେଡିରେ ସାମିଲ କରିବା ଉଦ୍ୟମ ଫେଲ୍ ମାରିଛି। କେନ୍ଦ୍ରାପଡ଼ା ଜିଲ୍ଲା ରାଜନୀତିକ ସମୀକରଣ ଓ ତୀବ୍ର ବିରୋଧ ଯୋଗୁ ବିଜୟଙ୍କୁ ବିଜେଡିରେ ସାମିଲ କରିବା ସମ୍ଭବପର ହୋଇପାରିନାହିଁ ।
ସୂଚନାଯୋଗ୍ୟ ନଭେମ୍ବର ୩୦ତାରିଖରେ ଶ୍ରୀ ରାୟ ବିଜେପିରୁ ଇସ୍ତଫା ଦେଇଥିଲେ। ୨୦୦୨ ମସିହା ଏପ୍ରିଲ ମାସରେ ନବୀନଙ୍କୁ ଚକମା ଦେଇ ଶ୍ରୀ ରାୟ ସ୍ୱାଧୀନ ପ୍ରାର୍ଥୀ ଭାବେ ରାଜ୍ୟସଭାକୁ ନିର୍ବାଚିତ ହେବାପରେ ଦୁଇ ନେତାଙ୍କ ମଧ୍ୟରେ ତିକ୍ତତା ବଢ଼ିଥିଲା। ସେବେଠୁ ଉଭୟ ନେତା ପରସ୍ପରଠୁ ଦୂରେଇ ଯାଇଥିଲେ। ଯଦିଓ ଉଭୟଙ୍କ ମଧ୍ୟରେ ପାରିବାରିକ ସମ୍ପର୍କ ରହିଥିଲା । ସମ୍ପର୍କ ରହିଥିଲା।


