ଭୁବନେଶ୍ୱର(ଓଡ଼ିଶା ୱେୟାର): ଏକ ଜାତୀୟ ଗଣମାଧ୍ୟମ ସଂସ୍ଥା ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦେଶର ଏକ ନମ୍ବର ମୁଖ୍ୟମନ୍ତ୍ରୀ ଭାବେ ଅଭିହିତ କରାଯିବା ପରେ ବିରୋଧୀ କଂଗ୍ରେସ ତୀବ୍ର ସମାଲୋଚନା କରିବା ସହ ଉକ୍ତ ଗଣମାଧ୍ୟମ ସଂସ୍ଥାର ନିରପେକ୍ଷତା ଉପରେ ପ୍ରଶ୍ନ ଉଠାଇଛି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଶୁଭେଚ୍ଛା ଜଣାଇବା ପାଇଁ ଆଜି ତାଙ୍କ ଦଳ ବିଜେଡି ପକ୍ଷରୁ ବ୍ୟାପକ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଥିବାବେଳେ ରାଜ୍ୟର ସ୍ଥିତି ଏତେ ବିପର୍ଯ୍ୟସ୍ତ ଥିବାବେଳେ ନବୀନ କିଭଳି ଏକନମ୍ବର ହେଲେ ବୋଲି କଂଗ୍ରେସ ଆଶ୍ଚର୍ଯ୍ୟବ୍ୟକ୍ତ କରିଛି । ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ, ରାଜ୍ୟରେ ଚାଷୀ ହତାଶ ସ୍ଥିତିରେ ଥିବାବେଳେ ବେକାରୀ ଓ ଦାଦନ ସମସ୍ୟା ବଢ଼ିଚାଲିଛି । ନାରୀ ନିର୍ଯାତନା, ପିଲାଚୋରି, ରାଜନୀତିକ ହତ୍ୟା ଓ ଦୁର୍ନୀତି ବଢ଼ିବାରେ ଲାଗିଛି । ଏସବୁ ସତ୍ତ୍ୱେ ନବୀନ ପଟ୍ଟନାୟକ ଏକ ନମ୍ବର ମୁଖ୍ୟମନ୍ତ୍ରୀ । କେବଳ ଲୋକଙ୍କୁ ବିଭ୍ରାନ୍ତି କରିବା ପାଇଁ ଏପରି ଡ୍ରାମା ଚାଲିଛି ବୋଲି ନିରଞ୍ଜନ କହିଛନ୍ତି ।
ସେହିପରି କଂଗ୍ରେସର ବରିଷ୍ଠ ବିଧାୟକ ସୁରେଶ କୁମାର ରାଉତରାୟ କହିଛନ୍ତି ଯେ, ଉକ୍ତ ସଂସ୍ଥା କେଉଁଆଡ଼ୁ ନବୀନ ପଟ୍ଟନାୟକଙ୍କୁ ଏକନମ୍ବର କଲା ତାହା ସେ ବୁଝିପାରୁନାହାନ୍ତି । ଓଡ଼ିଶା ଋଣଭାରରେ ବୁଡ଼ି ରହିଛି ।, ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଛି । ଶିଶୁ ହତ୍ୟା, ପରୀ, ଇତିଶ୍ରୀ,ବେବିନା,ମାଧବୀଲତା,ସ୍ମିତାରାଣୀ ଭଳି ମହିଳାଙ୍କ ହତ୍ୟା କହୋଇଛି । ୯ମାସ ଧରି ମୁଖ୍ୟମନ୍ତ୍ରୀ ଘରେ ରହିଛନ୍ତି । ଆଇନଶୃଙ୍ଖଳା ଫେଲ୍ ମାରିଛି । ଚାଷୀ ହନ୍ତସନ୍ତ ହେଉଛନ୍ତି । ଏଠି ଗଣତନ୍ତ୍ରକୁ ହତ୍ୟା କରାଯାଉଛି । ଲୋକପ୍ରତିନିଧିଙ୍କ ସ୍ଥାନ ନାହିଁ । ଅଫିସର ସବୁକିଛି । ତଥାପି ନବୀନ ପଟ୍ଟନାୟକ କିଭଳି ଏକ ନମ୍ବର ହେଲେ ବୋଲି ସେ ପ୍ରଶ୍ନ କରିଛନ୍ତି ।
ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଭିନ୍ନ ଜନକଲ୍ୟାଣମୂଳକ କାର୍ଯ୍ୟକ୍ରମରେ ଓଡ଼ିଶାକୁ ଅଗ୍ରାଧିକାର ଦେବା ସହ ପ୍ରାକୃତିକ ବିପର୍ଯ୍ୟୟ ଓ କରୋନା କାଳରେ ଅଧିକ ସମ୍ବେଦନଶୀଳତା ଦେଖାଇ ସହଯୋଗର ହାତ ବଢ଼ାଇଥିଲେ । ଓଡ଼ିଶାବାସୀ ଏହାକୁ ସ୍ୱୀକୃତି ଦେଇଛନ୍ତି । ଏଠାର ସରକାର ଯେଉଁଭଳି କେନ୍ଦ୍ରୀୟ ଯୋଜନାକୁ ନିଜସ୍ୱ ବ୍ରାଣ୍ଡିଂ ପାଇଁ ଅହରହ ଉଦ୍ୟମ କରୁଛି ତାହା ମଧ୍ୟ ଲୋକେ ଜାଣିସାରିଲେଣି ।
ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀଙ୍କୁ ଜାତୀୟ ଗଣମାଧ୍ୟମ ସଂସ୍ଥା ଏବିଭି ପକ୍ଷରୁ ଦେଶର ଏକନମ୍ବର ମୁଖ୍ୟମନ୍ତ୍ରୀ ଭାବେ ଅଭିହିତ କରାଯିବାପରେ ଆଜି ନବୀନ ନିବାସରେ ଶ୍ରୀ ପଟ୍ଟନାୟକଙ୍କୁ ବିଜେଡିର ବରିଷ୍ଠ ନେତାମାନେ ସାକ୍ଷାତ କରି ଶୁଭେଚ୍ଛା ଜଣାଇଛନ୍ତି । ସମାଜର ବିଭିନ୍ନ ବର୍ଗର ଲୋକମାନଙ୍କୁ ମଧ୍ୟ ନବୀନ ନିବାସ ନିଆଯାଇ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରାଇବାର ସୁଯୋଗ ଦିଆଯାଇଥିଲା । ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ଯୁବ ଓ ଛାତ୍ର ୱିଙ୍ଗ ପକ୍ଷରୁ ଏନେଇ ସେଲିବ୍ରେସନ୍ ହୋଇଥିବାବେଳେ ପୁରୀରେ ବିଜେଡି କର୍ମୀମାନେ ଶ୍ରୀଜଗନ୍ନାଥଙ୍କ ମନ୍ଦିର ସମ୍ମୁଖରେ ସମୂହ ଦୀପଦାନ କରି ନବୀନଙ୍କ ଦୀର୍ଘାୟୁ କାମନା କରିଛନ୍ତି ।


