ଭୁବନେଶ୍ୱର : ଏକ ଦଳୀୟ ସଭାରେ ବିଜେପି ନେତ୍ରୀଙ୍କୁ ଆକ୍ଷେପ କରି ଦେଇଥିବା ମନ୍ତବ୍ୟ ‘ସ୍ୱାମୀ ଛାଡ଼ି ଅଙ୍ଗନୱାଡ଼ି’ ପାଇଁ ବିଜେଡିର ବରିଷ୍ଠ ଉପସଭାପତି ତଥା କୃଷିମନ୍ତ୍ରୀ ଡାକ୍ତର ଦାମୋଦାର ରାଉତ ଆଜି ଦୁଃଖ ପ୍ରକାଶ କରିଛନ୍ତି । ୩ମିନିଟ୍ ୩ ସେକେଣ୍ଡର ଏକ ଭିଡିଓ ମାଧ୍ୟମରେ ଦାମ ତାଙ୍କର ମନ୍ତବ୍ୟକୁ ନେଇ ଏକ ଭୁଲ୍ ବୁଝାମଣା ସୃଷ୍ଟି ହୋଇଛି ବୋଲି କହିବା ସହ ଯଦି ଏହା କାହା ମନରେ ବ୍ୟଥା ଦେଇଥାଏ ସେଥିପାଇଁ ସେ ଦୁଃଖ ପ୍ରକାଶ କରୁଥିବା କହିଛନ୍ତି । ଅନ୍ୟପକ୍ଷରେ ଦାମଙ୍କ ଏହି ଦୁଃଖପ୍ରକାଶକୁ ବିଜେପି ନେତ୍ରୀ ଡଃ ଲେଖାଶ୍ରୀ ସାମନ୍ତସିଂହାର ବିଜେଡି ପରିଚାଳିତ ଆଉ ଏକ ଡ୍ରାମା ବୋଲି କହିଛନ୍ତି । ଦାମବାବୁଙ୍କ ଘରର ଚାରିକାନ୍ଥ ଭିତରେ ଦୁଃଖପ୍ରକାଶ ନୁହେଁ ବରଂ ମିଡିଆ ଆଗକୁ ଆସି କ୍ଷମା ମାଗନ୍ତୁ ବୋଲି ସେ ଦାବି କରିଛନ୍ତି । ଡାକ୍ତର ରାଉତଙ୍କ ‘ସ୍ୱାମୀ ଛାଡ଼ି ଅଙ୍ଗନୱାଡ଼ି’ ମନ୍ତବ୍ୟକୁ ବିଜେଡି ଭିତରେ ନାପସନ୍ଦ କରାଯିବା ପରେ ସେ ଆଜି ସକାଳେ ଏଭଳି ଏକ ସ୍ପଷ୍ଟୀକରଣ ଥିବା ଭିଡିଓ ଗଣମାଧ୍ୟମକୁ ଦେବା ସହ ନିଜ ଫେସବୁକରେ ମଧ୍ୟ ଅପଲୋଡ୍ କରିଛନ୍ତି । ଡାକ୍ତର ରାଉତ ନିଜ ସଫେଇରେ ଆଜି କହିଛନ୍ତି ଯେ, “ଦୁଃଖ ଲାଗୁଛି ଏକ ପ୍ରଚଳିତ ଲୋକକଥାକୁ ଉଦାହରଣ ଦେବା ଯୋଗୁ ଏକ ଭୁଲ୍ ବୁଝାମଣା ସୃଷ୍ଟି ହୋଇଛି । ଅଙ୍ଗନୱାଡି କହିଲେ ଅଙ୍ଗନୱାଡି କର୍ମୀଙ୍କୁ କିଭଳି ବୁଝାଇଲା ତାହା ମୁଁ ଜାଣିପାରୁନି । ସେହିଭଳି ଭାବରେ ଅଳ୍ପ ବୟସରେ ଜଣେ ମହିଳା ପରିତ୍ୟକ୍ତା ହେଲେ ସେ ମାନସିକ ଭାରସାମ୍ୟ ହରାଇଥାଏ । ଅଙ୍ଗନୱାଡି କେନ୍ଦ୍ରରେ ଛୋଟ ଛୋଟ ପିଲାମାନେ ଚପଳତା ପ୍ରକାଶ କରିଥାନ୍ତି । ଏବଂ ତା’ର ଯଦି ଗୋଟିଏ ଉଦାହରଣ ଦିଆଯାଏ, ତାକୁ ବ୍ୟକ୍ତିଗତ ସ୍ତରକୁ ନେବା ଉଚିତ୍ ନୁହେଁ । ତଥାପି ଯଦି ମୁଖ୍ୟମନ୍ତ୍ରୀଙ୍କୁ ପୋଡ଼ା ଟ୍ରାନ୍ସଫର୍ମର, ଧୃତରାଷ୍ଟ୍ର, ପରବୁଦ୍ଧିଆ କୁହାଯାଏ ତଥା ବୟସ୍କ ମନ୍ତ୍ରୀଙ୍କୁ ଶିଖଣ୍ଡି, ବଣୁଆ ଭାଲୁ ଓ ସର୍କସର ଜୋକର କୁହାଯାଏ ଏବଂ ସେଥିରେ ଯଦି କିଛି ଅସଙ୍ଗତି ନାହିଁ, ତା’ହେଲେ ମୋର କିଛି କହିବାର ନାହିଁ । ବୈଦ୍ୟୁତିକ ଗଣମାଧ୍ୟମର ଷ୍ଟୁଡ଼ିଓରେ ବସି ଯଦି ଗୋଟିଏ ଜାତୀୟ ଦଳର ଜଣେ ମହିଳା ନେତ୍ରୀ ଏଭଳି ଭାଷା ପ୍ରୟୋଗ କରନ୍ତି ତା’ର ଉତର କ’ଣ ହେବ ତାହା ବିଜ୍ଞ ଜନସାଧାରଣ ବିଚାର କରିବେ । କିନ୍ତୁ ମୋର କଥାକୁ ତିଳରୁ ତାଳ କରି ଯେଉଁ ଭୁଲ୍ ବୁଝାମଣା ସୃଷ୍ଟି କରାଯାଉଛି ସେଥିରେ ମୁଁ ମର୍ମାହତ । ଏବଂ ମୋର ବ୍ୟକ୍ତବ୍ୟ ଯଦି କାହାରି ମନରେ ବ୍ୟଥା ଦେଇଥାଏ ସେଥିପାଇଁ ମୁଁ ଦୁଃଖପ୍ରକାଶ କରୁଛି ।” ଅନ୍ୟପକ୍ଷରେ ଦାମଙ୍କ ଦ୍ୱାରା ଭିଡିଓ ମାଧ୍ୟମରେ ଏହି ସ୍ପଷ୍ଟୀକରଣ ଉପରେ ପ୍ରତିକ୍ରିୟା ରଖି ଡଃ ସମାନ୍ତସିଂହାର କହିଛନ୍ତି ଯେ, ଏହା ବିଜେଡି ପରିଚାଳିତ ଆଉ ଏକ ଡ୍ରାମା । ଦାମବାବୁ ଦୁଃଖପ୍ରକାଶ କରିଛନ୍ତି ନା ଆମକୁ ଧମକାଇବାକୁ ଚେଷ୍ଟା କରିଛନ୍ତି । ନବୀନବାବୁ ଆଖିକାନ ବନ୍ଦ କରୁଛନ୍ତି । ଅନ୍ଧ ଧୃତରାଷ୍ଟ୍ରଙ୍କ ଦ୍ୱାରା ପରିଚାଳିତ ଇଏ ଆଉ ଏକ ଡ୍ରାମା । ଦାମବାବୁ ମିଡିଆ ଆଗକୁ ଆସି କାହିଁକି କ୍ଷମା ପ୍ରାର୍ଥନା କରୁନାହାନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି ।


