ନୂଆଦିଲ୍ଲୀ: ଛତିଶଗଡ଼ର ବିଜାପୁରରେ ସୁରକ୍ଷାକର୍ମୀ ଓ ନକ୍ସଲଙ୍କ ମଧ୍ୟରେ ହୋଇଥିବା ଏନକାଉଣ୍ଟର ବେଳେ ନିଖୋଜ ଯବାନଙ୍କ ପତ୍ତା ମିଳିଛି। ନିଖୋଜ ଯବାନ ରାକେଶ୍ୱର ସିଂହ ମନହାସଙ୍କୁ ମାଓବାଦୀମାନେ ପଣବନ୍ଦ କରି ରଖିଥିବା ଆଜି ସ୍ୱୀକାର କରିଛନ୍ତି। ବନ୍ଧକ ରହିଥିବା ଯବାନଙ୍କୁ ମୁକୁଳାଇବା ପାଇଁ ସରକାର ମଧ୍ୟସ୍ଥି ନିଯୁକ୍ତ କରନ୍ତୁ ବୋଲି ମାଓବାଦୀଙ୍କ ମୁଖପାତ୍ର ବିକଳ୍ପ ପ୍ରେସ ରିଲିଜ୍ ଜାରି କରିଛନ୍ତି। ଏଥସହ ସୁରକ୍ଷାକର୍ମୀଙ୍କ ଠାରୁ ମାଓବାଦୀମାନେ ଛଡ଼ାଇ ନେଇଥିବା ବନ୍ଧୁକ ଓ ଗୁଳିଗୋଳାର ଫଟୋ ମଧ୍ୟ ସାର୍ବଜନୀନ କରିଛନ୍ତି।
ଦଣ୍ଡକା ଆରଣ୍ୟ ସ୍ପେଶାଲ ଜୋନାଲ କମିଟିର ପ୍ରବକ୍ତା ବିକଳ୍ପ ଜାରି କରିଥିବା ପ୍ରେସ ରିଲିଜ୍ରେ କହିଛନ୍ତି ଯେ ବିଜାପୁରରେ ହୋଇଥିବା ଏନକାଉଣ୍ଟରେ ଆମର ୪ ଜଣ ସାଥୀ ପ୍ରାଣ ହରାଇଛନ୍ତି। ଆମେ ୩ ଜଣଙ୍କ ଶବ ଆଣିବାକୁ ସକ୍ଷମ ହୋଇଥିବା ବେଳେ ଜଣଙ୍କର ଆଣିପାରିନାହୁଁ। ଆମ ଆକ୍ରମଣରେ ୨୪ ଜଣ ଯବାନ ପ୍ରାଣ ହରାଇଥିବା ବେଳେ ୩୧ ଜଣ ଗୁରୁତର ଆହତ ହୋଇଛନ୍ତି। ଆମେ ଜଣେ ଯବାନଙ୍କୁ ବନ୍ଧକ ରଖିଛୁ। ଯବାନଙ୍କୁ ମୁକୁଳାଇବା ପାଇଁ ସରକାର ମଧ୍ୟସ୍ଥି ନିଯୁକ୍ତ କରନ୍ତୁ। ସରକାର ମଧ୍ୟସ୍ଥିଙ୍କ ନାଁ ପ୍ରଥମେ ସାର୍ବଜନୀନ କରିବା ପରେ ଆମେ ଯବାନଙ୍କୁ ଛାଡ଼ିବା ପାଇଁ ପ୍ରକ୍ରିୟା ଆରମ୍ଭ କରିବୁ। ସେ ପର୍ୟ୍ୟନ୍ତ ପଣବନ୍ଦୀ ଥିବା ଯବାନ ଜଣଙ୍କ ଆମ ପାଖରେ ସୁରକ୍ଷିତ ହୋଇ ରହିବେ। ମଧ୍ୟସ୍ଥିଙ୍କ ସହ ଆଲୋଚନା କରିବା ପରେ ଆମେ ଯବାନଙ୍କୁ ଛାଡ଼ିବୁ କି ନାହିଁ, ତା’ର ବିଚାର କରିବୁ ବୋଲି ବିକଳ୍ପ ପ୍ରେସ ରିଲିଜ୍ରେ କହିଛନ୍ତି।


