ଲକ୍ଷ୍ନୌ: ପଞ୍ଚାୟତ ନିର୍ବାଚନ ଲଢ଼ିବେ ମିସ୍ ଇଣ୍ଡିଆ ପ୍ରତିଯୋଗୀ। ୨୦୧୫ ମସିହାରେ ଫେମିନା ମିସ୍ ଇଣ୍ଡିଆ ପ୍ରତିଯୋଗୀତାରେ ସାମିଲ୍ ହୋଇଥିବା ଦୀକ୍ଷା ସିଂହ ଏବେ ୟୁପି ପଞ୍ଚାୟତ ନିର୍ବାଚନ ଲଢ଼ିବେ ବୋଲି ନିଷ୍ପତ୍ତି ନେଇଛନ୍ତି। ଜଉନପୁର ଜିଲ୍ଲାର ବକ୍ସା ଓ୍ୱାର୍ଡରୁ ସେ ପ୍ରାର୍ଥୀ ହେବେ ବୋଲି ଜଣାପଡ଼ିଛି। ରବିବାର ସେ ପ୍ରାର୍ଥୀପତ୍ର ଦାଖଲ କରିବେ ବୋଲି ଜଣାପଡ଼ିଛି। ହେଲେ ଖବର ଲେଖାହେବା ସୁଦ୍ଧା ସେ ପ୍ରାର୍ଥୀପତ୍ର ଦାଖଲ କରିଥିବା ନେଇ ସୂଚନା ମିଳିପାରି ନାହିଁ।
ଏପ୍ରିଲ ୧୫ରେ ଏହି ପଞ୍ଚାୟତ ପାଇଁ ମତଦାନ ହେବ। ମେ ୨ରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇବ। ଚାରୋଟି ପର୍ୟ୍ୟାୟରେ ୟୁପିରେ ପଞ୍ଚାୟତ ନିର୍ବାଚନ ପାଇଁ ମତଦାନ ହେବାକୁ ଯାଉଛି। ଦୀକ୍ଷା କହିଛନ୍ତି, ସେ ଜଉନପୁର ଜିଲ୍ଲା ଚିତ୍ତୋରି ଗାଁର ବାସିନ୍ଦା। ସେ ଏଠାରେ ତୃତୀୟ ଶ୍ରେଣୀ ଯାଏଁ ପାଠ ପଢ଼ିଛନ୍ତି। ଏହାପରେ ତାଙ୍କ ପରିବାର ମୁମ୍ୱାଇ ଓ ଗୋଆକୁ ସ୍ଥାନାନ୍ତର ହୋଇଥିଲେ। ତେଣୁ ସେ ତୃତୀୟ ଶ୍ରେଣୀ ପରେ ବାହାରେ ପାଠ ପଢ଼ିଛନ୍ତି ବୋଲି କହିଛନ୍ତି।


