ଭୁବନେଶ୍ୱର:ରାଜଧାନୀରେ ଚାଲିବାକୁ ଆସିଥିବା ସିଟି ବସ୍ ମଧ୍ୟରୁ ୫୫ଟି ଅକାମୀ । ଏହି ଅକାମୀ ବସ୍ ଗୁଡିକୁ ନିଲାମ ପାଇଁ ନିଷ୍ପତ୍ତି ହୋଇଛି ।
ବିଧାୟକ ପ୍ରିୟଦର୍ଶୀ ମିଶ୍ରଙ୍କ ଏକ ପ୍ରଶ୍ନର ଉତ୍ତରରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଦର୍ଶାଇଛନ୍ତି ଯେ ରାଜଧାନୀରେ ବର୍ତ୍ତମାନ ୧୬୫ଟି ସିଟି ବସ୍ ଅଛି । ସେଥି ମଧ୍ୟରୁ ୧୧୦ଟି ବସ୍ ଚାଲୁଥିବାବେଳେ ୫୫ଟି ଅକାମୀ ହୋଇ ପଡି ରହିଛି । ଅଚଳ ହୋଇ ପଡିଥିବା ଏହି ବସ୍ ଗୁଡିକୁ ଭୁବନେଶ୍ୱର-ପୁରୀ ଟ୍ରାନ୍ସପୋର୍ଟ ସର୍ଭିସ ଦ୍ୱାରା ନିଲାମ ପାଇଁ ସ୍ଥିର ହୋଇଛି । ସେହିଭଳି ହକି ବିଶ୍ୱ କପ୍ ପୂର୍ବରୁ ଭୁବନେଶ୍ୱର-ପୁରୀ ଟ୍ରାନପୋର୍ଟ ସର୍ଭିସ୍ ଏସ୍ପିଭି ଦ୍ୱାରା ୨୦୦ଟି ସିଟି ବସ୍ ଚଳାଯିବାର ଯୋଜନା ରହିଛି । ଏହି ଗାଡି ଗୁଡିକ ମଧ୍ୟରେ ୫୦ଟି ଶୀତତାପ ନିୟନ୍ତ୍ରିତ ଷ୍ଟାଣ୍ଡାର୍ଡ ବସ୍ ଥିବାବେଳେ ୫୦ଟି ବିନା ଶୀତତାପ ନିୟନ୍ତ୍ରିତ ଓ ୧୦୦ଟି ବିନି ବସ୍ ରହିବ । ବିଦ୍ୟୁତ୍ ଚାଳିତ ସିଟି ବସ୍ କେବେଠାରୁ ଚାଲିବ ଏପର୍ଯ୍ୟନ୍ତ ସ୍ଥିରୀକୃତ ହୋଇନଥିବା ମନ୍ତ୍ରୀ କହିଛନ୍ତି ।


