ଭୁବନେଶ୍ୱର(ଓଡ଼ିଶା ୱେୟାର): କରୋନା ମହାମାରୀଜନିତ ପରିସ୍ଥିତି ମଧ୍ୟରେ ସାଧାରଣ ଲୋକଙ୍କୁ ଜୀବିକା ଓ ରୋଜଗାର ଯୋଗାଇବା ଉପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁତ୍ୱ ଦେବା ସହ ଆସନ୍ତା ଜାନୁୟାରୀ ପହିଲାରୁ ସବୁ ଜିଲ୍ଲାରେ ‘ମୋ ସରକାର ସେଲ୍’ କାମ କରିବ ବୋଲି କହିଛନ୍ତି । ଏହାସହିତ ଗରିବ ହିତାଧିକାରୀମାନେ ଠିକ୍ ସମୟରେ ମଜୁରୀ ପାଉଛନ୍ତି କି ନାହିଁ ତାହା ସେମାନଙ୍କୁ ଫୋନ୍ କରି ତଦାରଖ କରିବାକୁ ଜିଲ୍ଲାପାଳମାନଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।
ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ସବୁ ଜିଲ୍ଲାରେ ମନରେଗା ଯୋଜନା ଓ ସହାରାଂଚଳ ରୋଜଗାର ଯୋଜନାର କାର୍ଯ୍ୟକାରିତାର ସମୀକ୍ଷା କରିଥିଲେ । ଏହି ଦୁଇ କାର୍ଯ୍ୟକ୍ରମ ମାଧ୍ୟମରେ ଚଳିତ ଆଥିର୍କ ବର୍ଷ ଶେଷସୁଦ୍ଧା ୨୦କୋଟି ମାନବ ଦିବସ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖାଯାଇଛି । ଏହି ଦୁଇ ଯୋଜନାରେ ଗରିବ ଲୋକମାନେ ସେମାନଙ୍କ ମଜୁରୀ ପାଇବାରେ ବିଳମ୍ବ ହେଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳମାନଙ୍କୁ ସତର୍କ କରାଇ ଦେଇଛନ୍ତି । ଏହି ଦୁଇ ରୋଜଗାର ଯୋଜନା ସମ୍ପର୍କରେ ଫିଡବ୍ୟାକ୍ ସଂଗ୍ରହ ନିମନ୍ତେ ସ୍ୱତନ୍ତ୍ର ଭାବେ ସବୁ ଜିଲ୍ଲାରେ ‘ମୋ ସରକାର ସେଲ୍’ ଆସନ୍ତା ଜାନୁୟାରୀ ପହିଲାରୁ କାର୍ଯ୍ୟ କରିବ । ମନରେଗା ଲକ୍ଷ୍ୟ ପୂରଣ ଦିଗରେ ଯାଜପୁର, କୋରାପୁଟ ଓ ସୋନପୁର ଜିଲ୍ଲାର ପ୍ରଦର୍ଶନ ଭଲ ଥିବାରୁ ମୁଖ୍ୟମନ୍ତ୍ରୀ ସମ୍ପୃକ୍ତ ଜିଲ୍ଲାପାଳମାନଙ୍କୁ ଅଭିନନ୍ଦନ ଜଣାଇବା ସହ ଯେଉଁ ଜିଲ୍ଲାଗୁଡ଼ିକର ଲୋକମାନେ କାମ କରିବାକୁ ଅନ୍ୟ ରାଜ୍ୟକୁ ପଳାଉଚନ୍ତି ସେସବୁ ଜିଲ୍ଲା ଉପରେ ସ୍ୱତନ୍ତ୍ର ଫୋକସ ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ଏହି ସବୁ ଜିଲ୍ଲାରେ ପରିବାର ପିଛା ଅଧିକ ୧୦୦ଦିନ କର୍ମସଂସ୍ଥାନ ଓ ଅତିରିକ୍ତ ମଜୁରୀ ଦିଆଯିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।
ସେହିପରି ୨୦୨୧ ମାର୍ଚ୍ଚ ମାସ ପୂର୍ବରୁ ରାଜ୍ୟରେ ଏକ ହଜାର ଅତିରିକ୍ତ ମିଶନ ଶକ୍ତି ଗୃହ ଓ ଜାନୁୟାରୀ ଶେଷସୁଦ୍ଧା ଗୋଟିଏ ଲେଖାଏ ପରିଚୟ ଗୃହର ନିର୍ମାଣ କାର୍ଯ୍ୟ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।
ସୂଚନାଯୋଗ୍ୟ, କରୋନା ମହାମାରୀକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଚଳିତ ଆର୍ଥିକ ବର୍ଷରେ ୨୦କୋଟି ମାନବ ଦିବସ ସୃଷ୍ଟି ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବାବେଳେ ଗ୍ରାମାଂଚଳରେ ନାମମାତ୍ର ଚାଷୀ ଓ ଭୂମିହୀନ ଶ୍ରମିକଙ୍କ ପାଇଁ ଅଧିକ ଜୀବିକା ସୃଷ୍ଟି କରାଯାଇଛି । ଏପର୍ଯ୍ୟନ୍ତ ୧୪.୫୦କୋଟି ମାନବ ଦିବସ ସୃଷ୍ଟି କରାଯାଇ ୩୧ଲକ୍ଷ ପରିବାର ଓ ୫୧ଲକ୍ଷ ଲୋକଙ୍କୁ ରୋଜଗାର ଯୋଗାଇ ଦିଆଯାଇଛି । ଚଳିତବର୍ଷ ଦୈନିକ ହାରାହାରି ୧୦.୨୩ଲକ୍ଷ ଲୋକଙ୍କୁ ଶ୍ରମଭିତ୍ତିକ ରୋଜଗାର ଯୋଗାଇ ଦିଆଯାଉଛି ବୋଲି ପଂଚାୟତିରାଜ ସଚିବ ଦେଓରଞ୍ଜନ ସିଂ ସୂଚନା ଦେଇଥିଲେ ।
ସେହିପରି ରାଜ୍ୟର ୧୧୪ଟି ପୌରାଂଚଳରେ ୮ହଜାରଟି ପ୍ରକଳ୍ପ ହାତକୁ ନିଆଯାଇଛି ଓ ସେଥିରୁ ୫ହଜାର ପ୍ରକଳ୍ପ ଶେଷ ହୋଇ ୧୧.୬ଲକ୍ଷ ମାନବ ଦିବସ ସୃଷ୍ଟି କରାଯାଇଛି ବୋଲି ନଗର ଉନ୍ନୟନ ସଚିବ ଜି ମାଥିଭାଥାନନ୍ ବୈଠକରେ ସୂଚନା ଦେଇଥିଲେ ।


