ମୁମ୍ବାଇ: ଋଷଭ ପନ୍ତଙ୍କ ଦିଲ୍ଲୀ କ୍ୟାପିଟାଲ୍ସ ଅତି ସହଜରେ ପଞ୍ଜାବ କିଙ୍ଗସ ଦେଇଥିବା ବିଶାଳ ୧୯୬ ରନ୍ର ଟାର୍ଗେଟକୁ ହାସଲ କରିନେଇଛି। ପଞ୍ଜାବକୁ ୬ ୱିକେଟ ଓ ୮ ବଲ୍ ପୂର୍ବରୁ ହରାଇ ଦିଲ୍ଲୀ ଚଳିତ ଆଇପିଏଲ୍ର ଦ୍ୱିତୀୟ ବିଜୟ ହାସଲ କରିଛି। ଏଥିସହ ପନ୍ତଙ୍କ ଦିଲ୍ଲୀ ପଏଣ୍ଟ ଟେବୁଲରେ ମୁମ୍ବାଇ ଇଣ୍ଡିଆନ୍ସକୁ ପଛରେ ପକାଇ ଦ୍ୱିତୀୟ ସ୍ଥାନରେ ପହଞ୍ଚି ଯାଇଛି। ଏବେ ମୁମ୍ବାଇ ଇଣ୍ଡିଆନ୍ସ ପଏଣ୍ଟ ଟେବୁଲ ତୃତୀୟ ସ୍ଥାନରେ ରହିଛି।
ସେହିପରି ପଞ୍ଜାବ ତା’ର ତୃତୀୟ ମ୍ୟାଚ୍ରୁ କ୍ରମାଗତ ଦ୍ୱିତୀୟ ପରାଜୟ ସହ ଟେବୁଲର ୭ମ ସ୍ଥାନକୁ ଖସି ଯାଇଛି। ପ୍ରଥମେ ବ୍ୟାଟିଂ କରି କେଏଲ ରାହୁଲଙ୍କ ପଞ୍ଜାବ କିଙ୍ଗସ ନିର୍ଦ୍ଧାରିତ ୨୦ ଓଭର୍ରେ ୫ ୱିକେଟ ହରାଇ ୧୯୫ ରନ୍ କରିଥିଲା। ଏହାର ଜବାବରେ ଦିଲ୍ଲୀ ୮ଟି ବଲ୍ ପୂର୍ବରୁ ୪ ୱିକେଟ ହରାଇ ୧୯୮ ରନ୍ କରିନେଇଛି। ଜିତିବା ପାଇଁ ୨ ରନ୍ ଦରକାର ଥିବା ବେଳେ ମାର୍କସ ଷ୍ଟୋଇନିସ୍ ଚୌକା ମାରି ଦଳକୁ ବିଜୟ କରାଇଥିଲେ। ଦିଲ୍ଲୀର ଏହି ବିଜୟର ନାୟକ ସାଜିଛନ୍ତି ଓପନର ଶିଖର ଧୱନ। ସେ ୪୯ ବଲ୍ରେ ୯୨ ରନ୍ର ଇନିଂସ୍ ଖେଳି ଦଳକୁ ଚଳିତ ଆଇପିଏଲ୍ରେ ଦ୍ୱିତୀୟ ବିଜୟ ଭେଟି ଦେଇଛନ୍ତି।
ପଞ୍ଜାବ ଦେଇଥିବା ବିଶାଳ ୧୯୬ ରନ୍ର ଟାର୍ଗେଟ ପିଛା କରୁଥିବା ଦିଲ୍ଲୀ ବିସ୍ଫୋରକ ଆରମ୍ଭ କରିଥିଲା। ଦଳର ଦୁଇ ଓପନର ଶିଖର ଧୱନ ଓ ପୃଥ୍ୱୀ ଶ’ ଜବରଦସ୍ତ ବ୍ୟାଟିଂ କରିଥିଲେ। ବିଶେଷ କରି ଶ’ଙ୍କ ବ୍ୟାଟରୁ ରନ୍ ବର୍ଷା ହୋଇଥିଲା। ଉଭୟ ପ୍ରଥମ ୱିକେଟ ପାଇଁ ୫.୩ ଓଭର୍ରେ ୫୯ ରନ୍ ଯୋଡ଼ିଥିଲେ। ଏହି ୫୯ ରନ୍ରୁ ଶ’ ଏକାକୀ ୧୭ ବଲ୍ରେ ୩୨ ରନ୍ କରିଥିଲେ।
ଅର୍ଶଦୀପ ସିଂହଙ୍କ ବଲ୍ରେ ଶ’ ଆଉଟ ହେବା ପରେ ଧୱନ ନିଜର ଯାଦୁ ଦେଖାଇଥିଲେ। ତାଙ୍କୁ କିଛି ସମୟ ପାଇଁ ଚଳିତ ଆଇପିଏଲ୍ରେ ଦିଲ୍ଲୀ ପକ୍ଷରୁ ଡେବ୍ୟୁ କରିଥିବା ଷ୍ଟିଭ ସ୍ମଥ ଭରପୂର ସହଯୋଗ କରିଥିଲେ। ସ୍ମିଥ ଗୋଟିଏ ପଟେ ଛିଡ଼ା ହୋଇଥିବା ବେଳେ ଧୱନ ଦ୍ରୁତଗତିରେ ରନ୍ ସଂଗ୍ରହ କରିଥିଲେ। ଦଳୀୟ ସ୍କୋର ୧୦୭ ଥିବା ବେଳେ ସ୍ମିଥ ୯ ରନ୍ କରି ଆଉଟ ହୋଇଥିଲେ। ସ୍ମିଥ ଆଉଟ ହୋଇଥିଲେ ହେଁ ଧୱନଙ୍କ ବ୍ୟାଟିଂ ଉପରେ ଏହାର କୌଣସି ପ୍ରଭାବ ପଡ଼ି ନଥିଲା।


