ଭୁବନେଶ୍ୱର(ଓଡ଼ିଶା ୱେୟାର): ପରୀକୁ ନ୍ୟାୟ ଓ ଅସମ୍ବିଧାନିକ ଭାବେ ବିଧାନସଭାକୁ ମୁଲତବୀ କରାଯିବା ପ୍ରସଙ୍ଗରେ ବିଜେପି ଆଜି ରାଜ୍ୟପାଳଙ୍କୁ ଫେରାଦ ହୋଇଛି । ପରୀ ହତ୍ୟାର ସିବିଆଇ ତଦନ୍ତ ଓ ଅଭିଯୁକ୍ତ ମନ୍ତ୍ରୀ ଅରୁଣ ସାହୁଙ୍କୁ ତୁରନ୍ତ ମନ୍ତ୍ରିମଣ୍ଡଳରୁ ବହିଷ୍କାର ନିମନ୍ତେ ଦାବି ଉପସ୍ଥାପନ କରିଛି ।
ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକଙ୍କ ନେତୃତ୍ୱରେ ବିଜେପି ବିଧାୟକଙ୍କ ଏକ ପ୍ରତିନିଧି ଦଳ ଆଜି ରାଜଭବନ ଯାଇ ସ୍ମାରକପତ୍ର ପ୍ରଦାନ କରିବା ସହ ରାଜ୍ୟପାଳଙ୍କ ହସ୍ତକ୍ଷେପ ଦାବି କରିଛନ୍ତି । ଶ୍ରୀ ନାଏକ କହିଛନ୍ତି ଯେ, ଓଡ଼ିଶା ବିଧାନସଭା କାର୍ଯ୍ୟବିଧି ଓ କାର୍ଯ୍ୟ ପରିଚାଳନା ନିୟମାବଳୀର ଧାରା-୧୧ ଅନୁଯାୟୀ ପ୍ରତି କ୍ୟାଲେଣ୍ଡ ବର୍ଷରେ ବିଧାନସଭାର ୩ଟି ଅଧିବେଶନରେ ସର୍ବନିମ୍ନ ୬୦ଟି କାର୍ଯ୍ୟଦିବସ ବୈଠକ ଅନୁଷ୍ଠିତ ହେବା ନିହାତି ଆବଶ୍ୟକ । ମାତ୍ର ଚଳିତବର୍ଷ ରାଜ୍ୟ ସରକାର ବିଧାନସଭାରେ ବଜେଟ ଅଧିବେଶନ ୧୩ ଦିନ ପାଇଁ, ମୈାସୁମୀ ଅଧିବେଶନ ୭ ଦିନ ପାଇଁ ଏବଂ ଶୀତ ଅଧିବେଶନ ମାତ୍ର ୧୦ ଦିନ ପାଇଁ ଅନୁଷ୍ଠିତ କରାଇ ଯଥେଷ୍ଟ ସମୟ ପୂର୍ବରୁ ଅସାମ୍ବିଧାନିକ ଭାବେ ଗୃହ କାର୍ଯ୍ୟକୁ ମୁଲତବୀ କରି ଦେଇଛନ୍ତି । ଏହି କାରଣରୁ ବେକାରୀ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅନିୟମିତତା, ମନରେଗା ଯୋଜନା ଅନିୟମିତତା, କୋଭିଡ-୧୯ କୁପରିଚାଳନା ଓ ଦୁର୍ନୀତି, ସମବାୟ ଦୁର୍ନୀତି ଭଳି ଓଡିଶାବାସୀଙ୍କ ବହୁ ଗୁରୁତ୍ୱପୂର୍ଣ୍ଣ ବିଷୟକୁ ଗୃହରେ ଆଲୋଚନା କରାଯାଇ ପାରିଲା ନାହିଁ । ଶାସକ ବିଜେଡି ଉପରୋକ୍ତ ସମସ୍ୟାରୁ ନିଜକୁ ଦୁରେଇ ରଖିବା ପାଇଁ ଏବଂ ନିଜ ଭାବମୂର୍ତ୍ତି ରକ୍ଷା ବିଧାନସଭା ଗୃହକାର୍ଯ୍ୟକୁ ଜାଣିଶୁଣି ମୁଲତବୀ କରି ପଳାୟନପନ୍ଥୀ ସାଜୁଛିି । ବିଧାନସଭା ଅଧିବେସନ ହଠାତ୍ ମୁଲତବୀ ହେବାର ଘଟଣା ବାରମ୍ବାର ହେଉଛି । ଭାରତୀୟ ସମ୍ବିଧାନକୁ ରାଜ୍ୟ ସରକାର ଆଦୌ ସମ୍ମାନ ଦେଉନାହାନ୍ତି ବୋଲି ବିରୋଧୀ ଦଳ ନେତା ଶ୍ରୀ ନାଏକ କହିଛନ୍ତି ।
ସେହିପରି ଗତକାଲି ପରୀ ହତ୍ୟାର ସିବିଆଇ ତଦନ୍ତ କରିବା ସହ କୃଷିମନ୍ତ୍ରୀ ଅରୁଣ ସାହୁଙ୍କ ଭୂମିକା ସନ୍ଦେହଘେରରେ ରହିଛି । ସ୍ଥାନୀୟ ସରପଂଚଙ୍କ ସହ ମନ୍ତ୍ରୀ ଶ୍ରୀ ସାହୁ କଥା ହେବାର ଦୁଇଟି ଅଡିଓ ଭାଇରାଲ ହୋଇଛି,ଯେଉଁଥିରେ ପରୀକୁ ନ୍ୟାୟ ଦେବାକୁ ହେଉଥିବା ଜନ ଆନ୍ଦୋଳନକୁ ଚାପିବାକୁ ମନ୍ତ୍ରୀ ଧମକଚମକ ଦେଉଥିବା ଦେଖିବାକୁ ମିଳିଛି । ଏପରିକି ନୟାଗଡ ଜିଲ୍ଲା ଏସପି ପ୍ରତ୍ୟୁଷ ଦିବାକରଙ୍କ ପାଇଁ ପୋଲିସ ଘଟଣାକୁ ଦିଗହରା କରିଛି । ସ୍ଥାନୀୟ ଥାନାର ତଦନ୍ତ ଅଧିକାରୀ ଓ ଥାନା ଅଧିକାରୀ ଘଟଣାକୁ ଗୁରୁତର ସହ ଗ୍ରହଣ କରିନାହାନ୍ତି । ପରୀକୁ ନ୍ୟାୟ ସହ ତାଙ୍କର ପିତାମାତାଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ମଧ୍ୟ ବିଜେପି ଦାବି କରୁଛି ।
ବିରୋଧୀ ଦଳ ନେତା ଶ୍ରୀ ନାଏକଙ୍କ ନେତୃତ୍ୱରେ ଭେଟିଥିବା ଏହି ପ୍ରତିନିଧି ଦଳରେ ଅନ୍ୟମାନଙ୍କ ମଧ୍ୟରେ ବିଜେପି ବିଧାୟକ ଦଳ ଉପନେତା ବିଷ୍ଣୁ ସେଠୀ, ମୁଖ୍ୟ ସଚେତକ ମୋହନ ମାଝୀ, ବରିଷ୍ଠ ନେତା ଜୟ ନାରାୟଣ ମିଶ୍ର, ସୁବାଷ ପାଣିଗ୍ରାହୀ, ଶଙ୍କର ଓରାମ, କୁସୁମ ଟେଟେ, ନାଉରୀ ନାୟକ, ଭାସ୍କର ମଢେଇ, ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ର, ଡା.ମୁକେଶ ମହାଲିଙ୍ଗ, ପ୍ରକାଶ ସୋରେନ, ଭବାନୀ ଭୋଇ, ନିତ୍ୟାନନ୍ଦ ଗଣ୍ଡ, ଆଦିତ୍ୟ ମାଢୀ ପ୍ରମୁଖ ବିଧାୟକମାନେ ସାମିଲ ଥିଲେ ।


