ଭୁବନେଶ୍ୱର(ଓଡ଼ିଶା ୱେୟାର): ଓଡ଼ିଶାର ଗୌରବମୟ ଐତିହ୍ୟ ତଥା ପ୍ରାଚୀନ କାଳରୁ ଆଧୁନିକ ଯୁଗ ପର୍ଯ୍ୟନ୍ତ ଏ ଜାତିକୁ ନିଜର ପ୍ରତିଭା ଦ୍ୱାରା ମହିମାମଣ୍ଡିତ କରିଥିବା ସମସ୍ତ ବରପୁତ୍ରମାନଙ୍କ କାର୍ଯ୍ୟ ଓ ଜୀବନୀକୁ ବିଭିନ୍ନ ପାଠ୍ୟକ୍ରମରେ ସାମିଲ କରାଯିବ । ଏହା ସହିତ ସପ୍ତମ, ଅଷ୍ଟମ ଓ ନବମ ଶ୍ରେଣୀରେ ଏହି ବିଷୟରେ ଏକ ସ୍ୱତନ୍ତ୍ର ପ୍ରକ୍ରିୟା ମାଧ୍ୟମରେ ଚୟନିତ ମେଧାବୀ ଛାତ୍ରଛାତ୍ରୀଙ୍କୁ ମଧ୍ୟ ବାର୍ଷିକ ବୃତ୍ତି ପ୍ରଦାନ କରାଯିବ । ଏଥିପାଇଁ ପ୍ରତିଷ୍ଠିତ ବ୍ୟକ୍ତିବିଶେଷ, ଶିକ୍ଷାବିତଙ୍କୁ ନେଇ ଏକ କମିଟି ଗଠନ ହେବ । ରାଜ୍ୟ କ୍ୟାବିନେଟ ଆଜି ଏହି ପ୍ରସ୍ତାବକୁ ମଞ୍ଜୁରୀ ଦେଇଛନ୍ତି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଅନୁଷ୍ଠିତ କ୍ୟାବିନେଟ ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ, ବିକ୍ରମ ଆରୁଖ ଓ ମୁଖ୍ୟ ସଚିବ ଅସିତ୍ ତ୍ରିପାଠୀ କହିଛନ୍ତି ଯେ, ରାଜ୍ୟର ବରପୁତ୍ରମାନଙ୍କୁ ଉତ୍ତରପୀଢ଼ୀ ନିକଟରେ ଚିରସ୍ମରଣୀୟ ରଖିବା ପାଇଁ ସେମାନଙ୍କର ଜନ୍ମସ୍ଥାନକୁ ଆଦର୍ଶ ଗାଁରେ ପରିଣତ କରାଯିବା ସହିତ ସେମାନଙ୍କର ଜନ୍ମ ଓ ତିରୋଧାନ ଦିବସଗୁଡ଼ିକୁ ଯଥୋଚିତ ଶ୍ରଦ୍ଧା ଓ ସମ୍ମାନର ସହିତ ପାଳନ କରାଯିବ । ଏହା ସେହି ବରପୁତ୍ରମାନଙ୍କ ପ୍ରତି ଏ ଜାତିର ବିନମ୍ର ଶ୍ରଦ୍ଧାଞ୍ଜଳି ହେବ । ପାଇକ ବିଦ୍ରୋହଠୁ ଆରମ୍ଭ କରି ସ୍ୱାଧୀନତା ସଂଗ୍ରାମ, ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ଓ ଆଧୁନିକ ଓଡ଼ିଶାର ନବନିର୍ମାଣରେ ଅତୁଳନୀୟ ଅବଦାନ ରଖିଥିବା ବରପୁତ୍ରମାନଙ୍କର ତ୍ୟାଗକୃତ ଜୀବନୀ ଓ କାର୍ଯ୍ୟ ବିଷୟରେ ପାଠ୍ୟପୁସ୍ତକରେ ଉପସ୍ଥିତ ଭାବେ ସ୍ଥାନିତ କରିବା ପାଇଁ ସମୀକ୍ଷା କରାଯାଇ ପରବର୍ତ୍ତୀ ପଦକ୍ଷେପ ନିଆଯିବ ।


