ଭୁବନେଶ୍ୱର(ଓଡ଼ିଶା ୱେୟାର): ରାଜ୍ୟରେ ମାଓବାଦୀଙ୍କ ଗତିବିଧି ପୁଣିଥରେ ବୃଦ୍ଧି ପାଇବାରେ ଲାଗିଛି । ତ୍ୱରିତ୍ ପ୍ରଶାସନିକ ପଦକ୍ଷେପ ଯୋଗୁ ମାଓବାଦୀମାନଙ୍କୁ ୫ଟି ଜିଲ୍ଲା ମଧ୍ୟରେ ସୀମିତ ରଖାଯାଇଛି ବୋଲି ୨୦୧୯ ଅଗଷ୍ଟ ମାସରେ ରାଜ୍ୟ ସରକାର ଦାବି କରିଥିବାବେଳେ ୨୦୨୦ ମସିହା ଶେଷବେଳକୁ ମାଓବାଦୀମାନେ ୧୦ଟି ଜିଲ୍ଲାର ବିଭିନ୍ନ ଅଂଚଳରେ ପୁଣିଥରେ ସକ୍ରିୟ ହେଲେଣି । ଏସବୁ ଜିଲ୍ଲାରେ ପରିସ୍ଥିତି ଆହ୍ୱାନପୂର୍ଣ୍ଣ ରହିଥିବାରୁ ସେଥିପ୍ରତି ସକ୍ରିୟ ଧ୍ୟାନକେନ୍ଦ୍ରିତ କରାଯିବାର ଆବଶ୍ୟକତା ଦର୍ଶାଇ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଓଡ଼ିଶା ଚାହିଁଛି ।
ମିଳିଥିବା ସୂଚନା ଅନୁସାରେ, ୨୦୨୦ ମସିହା ଶେଷସୁଦ୍ଧା ସମଗ୍ର ରାଜ୍ୟରେ ମୋଟ ୪୧ଟି ନକ୍ସଲ ହିଂସା ହୋଇଛି ଓ ସେଥିରେ ୨୭ଟି ଘଟଣାରେ ପୁଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏସବୁ ହିଂସାକାଣ୍ଡରେ ୭ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ହେବା ସହ ୨ଜଣ ସୁରକ୍ଷାକର୍ମୀ ଶହୀଦ ହୋଇଥିଲେ । ସୁରକ୍ଷାବଳଙ୍କ ସହ ଗୁଳି ବିନିମୟରେ ୧୬ଜଣ ମାଓବାଦୀ ନିହତ ହୋଇଥିବାବେଳେ ଗ୍ରାମବାସୀଙ୍କ ସହ ମୁହାଁମୁହିଁ ଯୋଗୁ ଅନ୍ୟ ଜଣେ ମାଓବାଦୀ ପ୍ରାଣ ହରାଇଥିଲେ । ମାଓବାଦୀ ଗତିବିଧିରେ ମୋଟ ୩୪ଜଣ ଗିରଫ ହୋଇଥିବାବେଳେ ୨୧ଜଣ ଆତ୍ମସମର୍ପଣ କରିଛନ୍ତି । ସେମାନଙ୍କଠୁ ୬୦ଟି ବନ୍ଧୁକ, ୬୩ଟି ବିସ୍ଫୋରକ ଡିଭାଇସ୍ , ବହୁ ପରିମାଣର ଗୋଳାବାରୁଦ ଓ ମାଓବାଦୀ ଉପକରଣ ଜବତ କରାଯାଇଥିବା ଜଣାପଡ଼ିଛି ।
ସୂତ୍ର ଅନୁସାରେ, ରାଜ୍ୟରେ ମାଓବାଦୀମାନେ ଏବେ ମାଲକାନଗିରି, କନ୍ଧମାଳ, କଳାହାଣ୍ଡି, ରାୟଗଡ଼ା, ନୂଆପଡ଼ା, କୋରାପୁଟ, ନବରଙ୍ଗପୁର, ବଲାଙ୍ଗିର, ବରଗଡ଼ ଓ ସୁନ୍ଦରଗଡ଼ ଜିଲ୍ଲାର ଅନେକ ଅଂଚଳରେ ସକ୍ରିୟ ରହିଥିବାବେଳେ ସେଠାରେ ପରିସ୍ଥିତି ଆହ୍ୱାନପୂର୍ଣ୍ଣ ରହିଛି । ବିଶେଷକରି ଛତିଶଗଡ଼ ସହ ସୀମାରେ ସୁରକ୍ଷାବ୍ୟବସ୍ଥାକୁ କଡ଼ାକଡ଼ି କରି ମାଓବାଦୀ ସମସ୍ୟାକୁ ନିୟନ୍ତ୍ରଣ କରିବା ନିମନ୍ତେ ରାଜ୍ୟ ସରକାର ଚାହୁଁଛନ୍ତି । ପଡ଼ୋଶୀ ଛତିଶଗଡ଼ ଓ ଝାଡ଼ଖଣ୍ଡ ରାଜ୍ୟ ତୁଳନାରେ ଓଡ଼ିଶାରେ କେନ୍ଦ୍ରୀୟ ଫୋର୍ସର ମୁତୟନ ନଗଣ୍ୟ ହୋଇଥିବାବେଳେ ଛତିଶଗଡ଼ ସୀମାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ନଥିବାର ଫାଇଦା ଉଠାଇ ମାଓବାଦୀମାନେ ଓଡ଼ିଶା ଭିତରେ ପ୍ରବେଶ କରିବାର ସୁଯୋଗ ପାଉଛନ୍ତି । ଯେଉଁଥିପାଇଁ ରାଜ୍ୟ ସରକାର ମାଓବାଦୀ ସମସ୍ୟାର ମୁକାବିଲା ପାଇଁ ଓଡ଼ିଶାକୁ ଅଧିକ ୨ଟି ବାଟାଲିୟନ କେନ୍ଦ୍ରୀୟ ଫୋର୍ସ, ଗୋଟିଏ ହେଲିକପ୍ଟର(ଏମଆଇ-୧୭୨ ଭଳି) , କୋରାପୁଟରେ ଗୋଟିଏ କୋବ୍ରା ବାଟାଲିୟନର ମାତ୍ର ୩ଟି ଟିମ୍ ମୁତୟନ ଥିବାବେଳେ ବାକି ୬ଟି ଟିମକୁ ଅନ୍ୟ ଅଂଚଳରେ ତୁରନ୍ତ ମୁତୟନ, ମାଓବାଦୀ ଉପଦ୍ରୁତ ଅଂଚଳର ୪୮୩ଟି ସ୍ଥାନରେ ମୋବାଇଲ ଟାୱାର ନିର୍ମାଣ, ଏସଆରଇ ଯୋଜନାରେ ବାକି ଥିବା ପ୍ରାୟ ୨୫୪କୋଟି ଟଙ୍କା ତୁରନ୍ତ ଦେବାକୁ ଓଡ଼ିଶା ଦାବି କରିଆସୁଛି । ଅଧିକ ୨ ବାଟାଲିୟନ କେନ୍ଦ୍ରୀୟ ଫୋର୍ସ ନିମନ୍ତେ ରାଜ୍ୟ ସରକାର ୨୦୧୫ ଡିସେମ୍ବରରୁ ଦାବି କରି ଆସୁଛନ୍ତି । ଶେଷଥର ପାଇଁ ମୁଖ୍ୟମନ୍ତ୍ରୀ ୨୦୧୯ ଅଗଷ୍ଟ ୨୬ରେ କେନ୍ଦ୍ର ସରକାରଙ୍କ ସମୀକ୍ଷା ବୈଠକରେ ଏହି ଅତିରିକ୍ତ ୨ ବାଟାଲିୟନ କେନ୍ଦ୍ରୀୟ ଫୋର୍ସ ଓ ସ୍ୱତନ୍ତ୍ର ହେଲିକପ୍ଟର ଯୋଗାଇ ଦେବା ନିମନ୍ତେ ଦାବି ଉପସ୍ଥାପନ କରିଥିଲେ ।
ସୂଚନାଯୋଗ୍ୟ, ୨୦୧୦ ମସିହା ସୁଦ୍ଧା ରାଜ୍ୟର ୩୦ଟି ଜିଲ୍ଲାରୁ ୨୨ଟି ଜିଲ୍ଲା ମାଓବାଦୀ ଉପଦ୍ରୁତ ହୋଇଥିବାବେଳେ ୨୦୧୯ ଅଗଷ୍ଟ ମାସରେ ତତକାଳୀନ ମୁଖ୍ୟସଚିବ ଅସିତ୍ କୁମାର ତ୍ରିପାଠୀ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ରାଜ୍ୟରେ ଏବେ ମାଓବାଦୀମାନଙ୍କୁ ୫ଟି ଜିଲ୍ଲା ମଧ୍ୟରେ ସୀମିତ କରାଯାଇପାରିଛି ବୋଲି କହିଥିଲେ । ମାତ୍ର ଏବେ ପୁଣିଥରେ ୧୦ଟି ଜିଲ୍ଲାରେ ମାଓବାଦୀମାନେ ସକ୍ରିୟ ହେବା ନିଶ୍ଚିତ ଭାବେ ରାଜ୍ୟ ସରକାରଙ୍କ ମୁଣ୍ଡବ୍ୟଥା ବଢ଼ାଇବ ବୋଲି ଆଶଙ୍କା କରାଯାଉଛି ।


