ଭୁବନେଶ୍ୱର(ଓଡ଼ିଶା ୱେୟାର):ରାଜ୍ୟରେ ଲୋକାୟୁକ୍ତ ପ୍ରତିଷ୍ଠା ହେବାର କିଛିବର୍ଷ ପୁରିନି କିନ୍ତୁ ରାଜ୍ୟ ସରକାର ନିୟମିତ ଭାବେ ଏଥିରେ ସଂଶୋଧନ କରି ଏହାକୁ ନିଜ ହିସାବରେ ଉପଯୋଗ କରିବାକୁ ପ୍ରୟାସ ଆରମ୍ଭ କରିଛନ୍ତି । ପୂର୍ବରୁ ଲୋକାୟୁକ୍ତ ଆଇନରେ ସଂଶୋଧନକୁ ନେଇ ହଟ୍ଟଗୋଳ ହୋଇଥିବାବେଳେ ଏବେ ଲୋକାୟୁକ୍ତରେ ନିଯୁକ୍ତି ପାଉଥିବା ଅଧ୍ୟକ୍ଷ ଓ ସଦସ୍ୟମାନଙ୍କୁ ସନ୍ତୁଷ୍ଟ କରିବା ନିମନ୍ତେ ପଦକ୍ଷେପ ନେଇଛନ୍ତି । ରାଜ୍ୟ କ୍ୟାବିନେଟ ଆଜି ଓଡ଼ିଶା ଲୋକାୟୁକ୍ତ ଅଧିନିୟମ-୨୦୧୪(୨୦୧୮ ଓଡ଼ିଶା ଅଧିନିୟମ ୧୨)ର ସଂଶୋଦନକୁ ମଞ୍ଜୁରୀ ଦେଇଛନ୍ତି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଓଡ଼ିଶା ଲୋକାୟୁକ୍ତ ଅଧିନିୟମ-୨୦୧୪ର ଧାରା ୮(୧)ରେ ଆବଶ୍ୟକ ସଂଶୋଧନକୁ ମଞ୍ଜୁରୀ ମିଳିଛି । ଏହାଫଳରେ ଲୋକାୟୁକ୍ତ ଅଧ୍ୟକ୍ଷ ଓ ସଦସ୍ୟମାନେ ସେମାନଙ୍କର କାର୍ଯ୍ୟକାଳ ସମାପ୍ତି ପରେ ରାଜ୍ୟ ବାହାରେ ପୁନଃନିଯୁକ୍ତି ବା ଅବସ୍ଥାପିତ ହୋଇପାରିବେ । ପୂର୍ବରୁ ଏହି ନିୟମରେ ସେମାନଙ୍କୁ ଲୋକାୟୁକ୍ତ ଦାୟିତ୍ୱ ତୁଲାଇ ସାରିବା ପରେ ଅନ୍ୟ କୌଣସି ପ୍ରକାରର ନିଯୁକ୍ତି ନେବା ଉପରେ କଟକଣା ରହିଥିଲା ।
ଓଡ଼ିଶା ଲୋକାୟୁକ୍ତ ଅଧିନିୟମ-୨୦୧୪ର ଧାରା ୮ର ଉପଧାରା(୧)ରେ ଥିବା ବ୍ୟବସ୍ଥା ଅନୁସାରେ ଲୋକାୟୁକ୍ତ ଅଧ୍ୟକ୍ଷ ସଦସ୍ୟମାନେ ସେମାନଙ୍କର ପୁନଃ ଅବସ୍ଥାପନ ବା ଅନ୍ୟ କେତେକ ନିଯୁକ୍ତି ନିମନ୍ତେ କଟକଣା ରହିଛି । ବର୍ତ୍ତମାନର ବ୍ୟବସ୍ଥା ଅନୁସାରେ ଅଧ୍ୟକ୍ଷ ଓ ସଦସ୍ୟମାନେ ପଦରୁ ନିବୃତ୍ତ ହେବାପରେ ସେମାନେ ପୁନଃ ଅବସ୍ଥାପନ ଓ ବିଧିବ୍ୟବସ୍ଥା ଅନୁସାରେ ରାଜ୍ୟପାଳଙ୍କ ଦ୍ୱାରା ନ୍ୟସ୍ତ କରାଯାଉଥିବା ଦାୟିତ୍ୱ ଓ ନିଯୁକ୍ତି ନିମନ୍ତେ ଯୋଗ୍ୟ ହୋଇପାରିବେ ନାହିଁ । ତେବେ ଲୋକାୟୁକ୍ତ ଅଧ୍ୟକ୍ଷ ଓ ସଦସ୍ୟମାନଙ୍କୁ ସେମାନଙ୍କ କାର୍ଯ୍ୟକାଳ ସମାପ୍ତି ପରେ ରାଜ୍ୟ ବାହାରେ ପୁନଃନିଯୁକ୍ତି ଉପରେ ରହିଥିବା ବାରଣକୁ ଦୂର କରିବାର ଆବଶ୍ୟକତା ରହିଛି । ତେଣୁ କ୍ୟାବିନେଟ ଆଜି ଏହି ସଂଶୋଧନକୁ ଅନୁମୋଦନ କରିଛନ୍ତି ବୋଲି ସରକାରଙ୍କ ପକ୍ଷରୁ ଜାରି ପ୍ରେସ୍ ରିଲିଜରେ କୁହାଯାଇଛି ।
ତେବେ ପ୍ରଶ୍ନ ଉଠୁଛି, ରାଜ୍ୟ ଲୋକାୟୁକ୍ତ ଅଧ୍ୟକ୍ଷ ଓ ସଦସ୍ୟ ଭାବେ ନିଯୁକ୍ତିବେଳେ ରହିଥିବା ନିଯୁକ୍ତି ସର୍ତ୍ତାବଳୀକୁ ଗ୍ରହଣ କରି ହିଁ ବର୍ତ୍ତମାନର ଲୋକାୟୁକ୍ତ ଅଧ୍ୟକ୍ଷ ଓ ସଦସ୍ୟମାନେ ଏହି ପଦବୀକୁ ଗ୍ରହଣ କରିଛନ୍ତି । ଏବେ ଏଭଳି କ’ଣ ଆବଶ୍ୟକତା ପଡ଼ିଲା ଯେ ସେମାନଙ୍କ ପାଇଁ ନିୟମରେ ସଂଶୋଧନ କରିବାକୁ ସରକାର ତତ୍ପରତା ଦେଖାଇଲେ । ସରକାରଙ୍କ ଏଭଳି ଆଭିମୁଖ୍ୟକୁ ନେଇ ସାଧାରଣରେ ଚର୍ଚ୍ଚା ଚାଲିଛି ।
ସେହିପରି ରାଜ୍ୟ କ୍ୟାବିନେଟ ବୈଠକରେ ଆଜି ଓଡ଼ିଶା ଲୋକାୟୁକ୍ତଙ୍କ ୨୦୧୯ ବାର୍ଷିକ ରିପୋର୍ଟକୁ ଅନୁମୋଦନ କରାଯାଇଛି । ଓଡ଼ିଶା ଲୋକାୟୁକ୍ତ ଅଧିନିୟମ ଅନୁସାରେ ଏହି ବାର୍ଷିକ ରିପୋର୍ଟକୁ କ୍ୟାବିନେଟ ଅନୁମୋଦନ ପରେ ବିଧାନସଭାରେ ଉପସ୍ଥାପନ କରାଯିବ ।


