ଭୁବନେଶ୍ୱର(ଓଡ଼ିଶା ୱେୟାର):ରାଜ୍ୟରେ ଦିନକୁ ଦିନ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହେବାରେ ଲାଗିଛି ବୋଲି ବିରୋଧୀ ବିଜେପି ଓ କଂଗ୍ରେସ ନିୟମିତ ଭାବେ ସରକାରକୁ ଟାର୍ଗେଟ୍ କରୁଛି । ଏପଟେ କ୍ଷମତାସୀନ ବିଜେଡି ସରକାର ମନମୁଖୀ ଭାବେ ଏଡିଜି(ଅତିରିକ୍ତ ଡିଜି) ପାହ୍ୟାରେ ବରିଷ୍ଠ ଆଇପିଏସଙ୍କୁ ଥଇଥାନ କରି ତୁଷ୍ଟୀକରଣ ରଣନୀତି ଆପଣାଇଛନ୍ତି । ଏଡିଜି ପାହ୍ୟାରେ ମୋଟ ୮ଟି ସ୍ୱୀକୃତିପ୍ରାପ୍ତ ପଦ ଥିବାବେଳେ ଏବେ ୨୦ଜଣ ଏଡିଜି ପାହ୍ୟାରେ କାର୍ଯ୍ୟ କରୁଛନ୍ତି । ଯାହାକି ଦେଉଳକୁ ମୁଖଶାଳା ଗିଳିବା ସଦୃଶ ହୋଇଛି । ଏତେ ପରିମାଣର ଆଇପିଏସଙ୍କୁ ଏଡିଜି ପାହ୍ୟାରେ ଅବସ୍ଥାପିତ କରାଯିବା ଯୋଗୁ ରାଜକୋଷ ଉପରେ ଅତିରିକ୍ତ ଚାପ(ଦରମା ଓ ଅନ୍ୟାନ୍ୟ ସୁବିଧା) ପଡ଼ୁଥିଲେ ମଧ୍ୟ ତା’ର ସୁଫଳ ରାଜ୍ୟବାସୀଙ୍କୁ ମିଳିପାରୁନି । ଖାଲି ସେତିକି ନୁହେଁ ଆଇପିଏସ୍ କ୍ୟାଡ଼ରର ଅଫିସରଙ୍କ ନିଯୁକ୍ତିକୁ ନେଇୁ ମନମୁଖୀ କାରବାର ଚାଲିଥିବାରୁ ଏବେବି ଡିଜି ଓ ଏଡିଜି ପାହ୍ୟାର ୩ଜଣ ବରିଷ୍ଠ ଅଫିସର ଘରେ ବସି ଦରମା ନେବାକୁ ବାଧ୍ୟ ହେଉଛନ୍ତି ।
ମିଳିଥିବା ସୂଚନା ଅନୁସାରେ, ଗତ ସପ୍ତାହରେ ୧୯୯୬ ବ୍ୟାଚର ୨ଜଣ ଆଇପିଏସ ଅରୁଣ ବ୍ରୋଥା ଓ ସଞ୍ଜୟ କୁମାର ସିଂଙ୍କୁ ରାଜ୍ୟ ସରକାର ଏଡିଜି ପାହ୍ୟାକୁ ପଦୋନ୍ନତି ଦେଇଛନ୍ତି । ଏହି ପଦୋନ୍ନତି ସହ ରାଜ୍ୟରେ ଏଡିଜି ପାହ୍ୟାର ଅଫିସରଙ୍କ ସଂଖ୍ୟା ୨୦କୁ ବୃଦ୍ଧି ପାଇଛି । ଯଦିଓ ରାଜ୍ୟରେ ଏଡିଜି ପାହ୍ୟାରେ ସର୍ବାଧିକ ୮ଟି ସ୍ୱୀକୃତିପ୍ରାପ୍ତ ପଦବୀ ରହିଛି । ଜଣେ ଆଇପିଏସ ଅଫିସର ୨୫ବର୍ଷ ଚାକିରି କରିବାପରେ ଏଡିଜି ପାହ୍ୟାକୁ ଉନ୍ନୀତ ହେବାକୁ ଯୋଗ୍ୟ ବିବେଚିତ ହୋଇଥାନ୍ତି । କିନ୍ତୁ ଏଡିଜି ପାହ୍ୟାକୁ ପଦୋନ୍ନତି ଦେବାବେଳେ ସେହି ପାହ୍ୟାରେ ଥିବା ଅଫିସରଙ୍କ ସଂଖ୍ୟା ଓ ତଳସ୍ତରରେ ଥିବା ପଦବୀ ମଧ୍ୟରେ ସନ୍ତୁଳନ କାଏମ ରଖିବା ସରକାରଙ୍କ ମୁଖ୍ୟ ଦାୟିତ୍ୱ ହୋଇଥାଏ । ମାତ୍ର ଓଡ଼ିଶା କ୍ଷେତ୍ରରେ ଏଡିଜି ପାହ୍ୟାରେ ଅଫିସରଙ୍କୁ ନିଯୁକ୍ତି ଦିଆଯିବାବେଳେ ସେଭଳି କୌଣସି ନୀତିନିୟମକୁ ପାଳନ କରାଯାଉନଥିବା ଜଣାପଡ଼ିଛି । ଆଇନରେ ଥିବା ଫାଙ୍କରୁ ଫାଇଦା ଉଠାଇ ୨୫ବର୍ଷ ଅତିକ୍ରାନ୍ତ ହେଉଥିବା ଅଫିସରମାନଙ୍କୁ ସଙ୍ଗେସଙ୍ଗେ ମନମୁଖୀ ଏଡିଜି ପାହ୍ୟାରେ ଅବସ୍ଥାପିତ କରିବାକୁ ପଛାଉନାହାନ୍ତି । ଯଦିଓ ରାଜ୍ୟରେ ଡିଜି ପାହ୍ୟାରେ କାର୍ଯ୍ୟ କରିବା ନିମନ୍ତେ ଏବେ ୮ଜଣ ବରିଷ୍ଠ ଏଡିଜି ଅପେକ୍ଷାରତ ଅଛନ୍ତି । ଯଦି ନିୟମ ବର୍ହିଭୁତ ଏଡିଜି ପାହ୍ୟାରେ ନିଯୁକ୍ତି ଦିଆଯାଇପାରୁଛି ତା’ହେଲେ ଡିଜି ପାହ୍ୟାରେ ଦେବାକୁ ସରକାର କାହିଁକି କୁଣ୍ଟାବୋଧ କରୁଛନ୍ତି ତାକୁ ନେଇ ଆଇପିଏସ ମହଲରେ ଚର୍ଚ୍ଚା ଚାଲିଛି ।
ଉଲ୍ଲେଖଯୋଗ୍ୟ, ରାଜ୍ୟରେ ଡିଜି ପାହ୍ୟାରେ ସର୍ବାଧିକ ୪ଟି ଅନୁମୋଦିତ ପଦ(୨ଟି କ୍ୟାଡ଼ର ଓ ୨ଟି ଏକ୍ସକ୍ୟାଡର) ରହିଛି । ଏବେ ୨ଟି କ୍ୟାଡ଼ର ଡିଜି ପଦବୀରେ ଅଭୟ ଓ ସତ୍ୟଜିତ ମହାନ୍ତି କାର୍ଯ୍ୟ କରୁଥିବାବେଳେ ଏକ୍ସ ଡିଜି କ୍ୟାଡ଼ର ପଦବୀରେ ବିକେ ଶର୍ମା ଓ ମନୋଜ କୁମାର ଛାବ୍ରା ରହିଛନ୍ତି । ୩୦ବର୍ଷ ଚାକିରି ଅତ୍ରିକାନ୍ତ କରୁଥିବା ଆଇପିଏସ ଅଫିସର ଏହି ଡିଜି ପାହ୍ୟାର ପଦବୀ ନିମନ୍ତେ ଯୋଗ୍ୟ ବିବେଚିତ ହୋଇଥାନ୍ତି । ଏହି କ୍ରମରେ ୧୯୮୮ ବ୍ୟାଚର ଏମ.ଅକ୍ଷୟ, ସନ୍ତୋଷ କୁମାର ଉପାଧ୍ୟାୟ ଓ ବିନୟାନନ୍ଦ ଝା, ୧୯୮୯ ବ୍ୟାଚର ପ୍ରଣବିନ୍ଦୁ ଆଚାର୍ଯ୍ୟ ଓ ସିଦ୍ଧାର୍ଥ ନରୱଣେ ଏବଂ ୧୯୯୦ ବ୍ୟାଚର ସୁଧାଂଶୁ ଷଡ଼ଙ୍ଗୀ, ଅରୁଣ କୁମାର ଷଡ଼ଙ୍ଗୀ ଓ ମହେନ୍ଦ୍ର ପ୍ରତାପ ଏବେ ଡିଜି ପାହ୍ୟାକୁ ପଦୋନ୍ନତି ପାଇଁ ଯୋଗ୍ୟ ବିବେଚିତ ହୋଇସାରିଛନ୍ତି । ତଥାପି ସରକାର ସେମାନଙ୍କୁ ଡିଜି ପାହ୍ୟାକୁ ଉନ୍ନୀତ କରିବାକୁ ଆଗ୍ରହ ଦେଖାଉ ନାହାନ୍ତି । ଚଳିତମାସରେ ମହେନ୍ଦ୍ର ପ୍ରତାପ ଅବସର ନେବେ ।
ସେହିପରି ବେପରୁୱା ଓ ତ୍ରୁଟିପୂର୍ଣ୍ଣ ଆଇପିଏସ କ୍ୟାଡ଼ର ପରିଚାଳନା ଯୋଗୁ ବିକେ ଶର୍ମା, ବିନୟାନନ୍ଦ ଝା ଓ ରୀତୁ ଅରୋରାଙ୍କ ଭଳି ବରିଷ୍ଠ ଆଇପିଏସଙ୍କୁ ଦୀର୍ଘଦିନ ହେବ ଘରେ ବସାଇ ଦରମା ଦିଆଯାଉଛି ।
ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହେବାରେ ଲାଗିଥିବାବେଳେ ସରକାରୀ କଳ ଏହି ବରିଷ୍ଠ ଅଫିସରମାନଙ୍କର ଅଭିଜ୍ଞତାକୁ କାର୍ଯ୍ୟରେ ଲଗାଇବା ପରିବର୍ତ୍ତେ ନିଜସ୍ୱ ଏଜେଣ୍ଡା ରଖି ସେମାନଙ୍କୁ ହତୋତ୍ସାହିତ କରିବା ଭଳି ପଦକ୍ଷେପ ନେବାକୁ ପଛାଉ ନଥିବା ଜଣାପଡ଼ିଛି ।


