ଭୁବନେଶ୍ୱର(ଓଡ଼ିଶା ୱେୟାର):ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳଙ୍କୁ ଦୀର୍ଘ ୨୨ବର୍ଷ ପରେ ଗିରଫ କରିବାରେ ପୁଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ସଫଳ ହୋଇଥିବାରୁ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ଆଜି ତାଙ୍କୁ ପ୍ରଂଶସା କରିଛନ୍ତି । ଏହାସହିତ ଏଭଳି ଉଲ୍ଲେଖନୀୟ ପ୍ରଦର୍ଶନକୁ ଉପଯୁକ୍ତ ଭାବେ ସ୍ୱୀକୃତି ଦେବାର ଆବଶ୍ୟକତା ରହିଛି ଓ ଏହା ଅନ୍ୟମାନଙ୍କ ପାଇଁ ପ୍ରେରଣାଦାୟୀ ହେବ ବୋଲି କହିଛନ୍ତି । ଏଥିପାଇଁ ସେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ଏ ସମ୍ପର୍କରେ ଅବଗତ କରିଛନ୍ତି । ନବୀନ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀତ୍ୱ କାଳରେ ପ୍ରଥମଥର ପାଇଁ ରାଜ୍ୟପାଳଙ୍କଠୁ ପୁଲିସକୁ ଏଭଳି ପ୍ରଶଂସା ମିଳିଛି ।
ସୂଚନା ଅନୁସାରେ, ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କୁ ଚିଠି ଲେଖି କହିଛନ୍ତି ଯେ, ଭୁବନେଶ୍ୱର-କଟକର ପୁଲିସ କମିଶନର ଡଃ ସୁଧାଂଶୁ ଷଡ଼ଙ୍ଗୀଙ୍କ ନେତୃତ୍ୱରେ ୨୨ବର୍ଷ ତଳେ ହୋଇଥିବା ଜଘଂନ୍ୟ ଅପରାଧର ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିବାରେ ଦୈତନଗରୀ ପୁଲିସ ସଫଳ ହୋଇଛି । ଏହା ରାଜ୍ୟ ପୁଲିସର ପେଷାଦାର କାର୍ଯ୍ୟ ପ୍ରତି ନିଷ୍ଠା ଓ ପ୍ରତିବଦ୍ଧତାର ଦେଇଛି । ତେଣୁ ଏଭଳି ଉଲ୍ଲେଖନୀୟ ପ୍ରଦର୍ଶନକୁ ଉପଯୁକ୍ତ ଭାବେ ସ୍ୱୀକୃତି ଦେବାର ଆବଶ୍ୟକତା ରହିଛି, ଯାହାକି ବହୁଳ ଭାବେ ଅନ୍ୟମାନଙ୍କୁ ପ୍ରେରଣା ଯୋଗାଇବ ।
ତେଣୁ ଏଥିପାଇଁ ନିର୍ଦ୍ଦିଷ୍ଟ ଭାବେ ପୁଲିସ କମିଶନର ଓ ତାଙ୍କ ଟିମର ଅନ୍ୟ ଅଫିସରମାନଙ୍କୁ ମଧ୍ୟ ଏହି ଆଖିଦୃଶିଆ ସଫଳତା ପାଇଁ ସାବାସି ଜଣାଉଛି ବୋଲି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଆଜି ମୁଖ୍ୟମନ୍ତ୍ରୀଙ୍କୁ ଲେଖିଥିବା ଚିଠିରେ ଉଲ୍ଲେଖ କରିଛନ୍ତି ।
ସୂଚନାଯୋଗ୍ୟ, ପୁଲିସ କମିଶନର ଶ୍ରୀ ଷଡ଼ଙ୍ଗୀ ୧୯୯୯ ମସିହା ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିବାର ଶ୍ରେୟ ନେବାପରେ ପୁଲିସ ପ୍ରଶାସନର ଅନ୍ୟ ଏକ ଗୋଷ୍ଠୀ ଏବେ ତାଙ୍କୁ ସମାଲୋଚନା କରିବାରେ ଲାଗିଛି । ରାଜ୍ୟପାଳଙ୍କ ଏହି ପ୍ରଶଂସା ପରୋକ୍ଷରେ ଶ୍ରୀ ଷଡ଼ଙ୍ଗୀଙ୍କୁ ଅଧିକ ଉତ୍ସାହିତ କରିବ ବୋଲି ସାଧାରଣରେ ଚର୍ଚ୍ଚା ।


