ଅନୁଗୁଳ, (ଓଡ଼ିଶା ୱେୟାର): କମ୍ ଦାମରେ ବୁଲେଟ କିଣିବା ଆଶାରେ ୪ ମାସ ପୂର୍ବେ ଠକାମୀର ଶିକାର ହେଲେ ଜଣେ ଯୁବକ। ଫେସବୁକରେ ବିଜ୍ଞାପନ ଦେଖି ଫୋନ୍ରେ ଯୋଗାଯୋଗ କରି ଫସି ଯାଇଥିଲେ ଯୁବକଜଣକ। ଏପରିକି ଗାଡ଼ି ଆଶାରେ ନିଜ ଆକାଉଣ୍ଟରୁ ୫୫ ହଜାର ଟଙ୍କା ପଠାଇବା ପରେ ନା ଗାଡ଼ି ମିଳିଲା ନ ଟଙ୍କା ଫେରିଲା। ଏନେଇ ଯୁବକଜଣକ ଥାନାରେ ଅଭିଯୋଗ କରିବା ପରେ ଅନୁଗୁଳ ଜିଲ୍ଲା ବିକ୍ରମପୁର ଥାନା ପୁଲିସ୍ ୪ ମାସ ପରେ ଏହି ଘଟଣାରେ ୩ ଜଣଙ୍କୁ ଗିରଫ କରିଛି।
ସୂଚନାନୁଯାୟୀ, ଗତ ଜାନୁଆରୀ ୪ ତାରିଖରେ ବିକ୍ରମପୁର ଥାନାରେ ଏକ ସାଇବର ଠକେଇ ନେଇ ଅଭିଯୋଗ ହୋଇଥିଲା । ଅଭିଯୋଗକାରୀ ଫେସବୁକରେ ଏକ ବୁଲେଟ ମୋଟରସାଇକେଲ ବିକ୍ରୀର ବିଜ୍ଞାପନ ଦେଖିଥିଲେ। ଜଣେ ନିଜକୁ ଆର୍ମୀ ଅଫିସର ପରିଚୟ ଦେଇ ବୁଲେଟକୁ ମାତ୍ର ୫୫ ହଜାର ଟଙ୍କାରେ ବିକ୍ରି କରିବେ ବୋଲି ଲେଖିଥିଲେ । କମ ଦାମରେ ବୁଲେଟ ମିଳୁଥିବା ଦେଖି ଅଭିଯୋଗକାରୀ ସେଥିରେ ଥିବା ଫୋନ ନମ୍ବରରେ ଯୋଗାଯୋଗ କରିଥିଲେ । ଫୋନରେ କଥା ହେବା ପରେ ସେ ଫୋନପେ ଜରିଆରେ ଟଙ୍କା ପଠାଇଲେ ଅଭିଯୋଗକାରୀଙ୍କ ଘରକୁ ଆର୍ମୀ ପରିବହନ ମାଧ୍ୟମରେ ଗାଡି ପହଞ୍ଚାଇ ଦିଆଯିବ ବୋଲି ସୂଚନା ଦିଆଯାଇଥିଲା।


