ଭୁବନେଶ୍ୱର(ଓଡ଼ିଶା ୱେୟାର): ରାଜ୍ୟ ସରକାର ଆଜି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିକ୍ରମେ ଭୁବନେଶ୍ୱର-କଟକ ପୁଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀଙ୍କୁ ତାଙ୍କ ପଦରୁ ହଟାଇ ଦେଇଛନ୍ତି । ରାଜଧାନୀ ଭୁବନେଶ୍ୱରରେ ବୃଦ୍ଧି ପାଉଥିବା ଅପରାଧ ଓ ଗୋଟିଏ ପ୍ରଭାବଶାଳୀ ଗୋଷ୍ଠୀର ଚାପରେ ଶ୍ରୀ ଷଡ଼ଙ୍ଗୀଙ୍କୁ ପୁଲିସ କମିଶନର ପଦବୀରୁ ବିଦା ହେବାକୁ ପଡ଼ିଛି ।
ଆଜି ଗୃହ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ୧୯୮୮ ବ୍ୟାଚ୍ ଆଇପିଏସ ଏମ.ଅକ୍ଷୟଙ୍କୁ ଅଗ୍ନିଶମ ଓ ହୋମଗାର୍ଡ ଡିଜି ଭାବେ ବଦଳି କରାଯାଇଛି । ସେ କେନ୍ଦ୍ରୀୟ ଡେପୁଟେସନରୁ ଫେରି ପୁଲିସ ହାଉସିଂବୋର୍ଡ ସିଏମଡି ଭାବେ କାର୍ଯ୍ୟ କରୁଥିଲେ । ସତ୍ୟଜିତ ମହାନ୍ତି ଅବସର ନେଇ ଓଡ଼ିଶା ଲୋକସେବା ଆୟୋଗ ଅଧ୍ୟକ୍ଷ ହେବାପରେ ଅଗ୍ନିଶମ ଡିଜି ପଦ ଖାଲି ପଡ଼ିଥିଲା । ସେହିପରି ୧୯୯୦ ବ୍ୟାଚ୍ ଆଇପିଏସ ସୁଧାଂଶୁ ଷଡ଼ଙ୍ଗୀଙ୍କୁ ପୁଲିସ କମିଶନର ପଦବୀରୁ ହଟାଇ ପୁଲିସ ହାଉସିଂ ବୋର୍ଡ ସିଏମଡି ଭାବେ ନିଯୁକ୍ତି ଦିଆଯାଇଛି । ଶ୍ରୀ ଷଡ଼ଙ୍ଗୀଙ୍କ ସ୍ଥାନରେ ୧୯୯୫ ବ୍ୟାଚ୍ ଆଇପିଏସ ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ଭୁବନେଶ୍ୱର-କଟକ ପୁଲିସ କମିଶନର ଭାବେ ଅବସ୍ଥାପିତ କରାଯାଇଛି । ଶ୍ରୀ ପ୍ରିୟଦର୍ଶୀ ଏବେ କ୍ରାଇମବ୍ରାଂଚ ଏଡିଜି ଭାବେ କାର୍ଯ୍ୟ କରୁଛନ୍ତି ।


