ଭୁବନେଶ୍ୱର(ଓଡ଼ିଶା ୱେୟାର): ଓଡ଼ିଶାରେ ୧୨୦+ ସିଟ୍ ହାସଲର ସ୍ୱପ୍ନ ଦେଖୁଥିବା ବିଜେପି ସହ ବିଜେଡିର ଅଘୋଷିତ ଚୁକ୍ତିର ଆଭାସ ମିଳିଛି ।ନିର୍ବାଚନୀ ବର୍ଷରେ ଓଡ଼ିଶାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଜେପିର ଏକ ବିଶାଳ ଜନସମାବେଶରେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ କିମ୍ବା ତାଙ୍କ ଦଳ ବିଜେଡିକୁ ସାମାନ୍ୟତମ ସମାଲୋଚନା କରିବା ପରୋକ୍ଷରେ ଏହି ଆଭାସ ଦେଇଛି ।ଚିଟଫଣ୍ଡ, ପିସି କଲଚର, ଜଳସେଚନ ଓ ସ୍ୱାସ୍ଥ୍ୟସେବାରେ ବିଫଳତା,ଶିକ୍ଷକ ଆନ୍ଦୋଳନ ଆଦି ୮ଟି ପ୍ରସଙ୍ଗ ଉଠାଇ ପ୍ରଧାନମନ୍ତ୍ରୀ ମୋଦି ବ୍ୟବସ୍ଥାରେ ବିଫଳତା ଓ ସରକାରରେ ସମ୍ବେଦନହୀନତାକୁ ରେଖାଙ୍କିତ କରିଛନ୍ତି ।ତେବେ ନିର୍ବାଚନୀ ବର୍ଷରେ ମୋଦିଙ୍କ ଏଭଳି ଆଭିମୁଖ୍ୟ ଏବେ ରାଜ୍ୟ ରାଜନୀତିରେ ଚର୍ଚ୍ଚାର ବିଷୟ ପାଲଟିଥିବାବେଳେ ୫ଟି ରାଜ୍ୟର ବିଧାନସଭା ନିର୍ବାଚନର ଫଳାଫଳ ମୋଦିଙ୍କୁ ଓଡ଼ିଶା ଓ ବିଜେଡି ପ୍ରତି ଥିବା ଆକ୍ରଣାତ୍ମକ ଆଭିମୁଖ୍ୟରୁ ଓହରିବା ପାଇଁ ବାଧ୍ୟ କରିଛି। ଏପରିକି ଗତ ସେପ୍ଟେମ୍ବର ମାସରେ ଓଡ଼ିଶା ଗସ୍ତବେଳେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିଜେଡି ପ୍ରତି ଥିବା ଆଭିମୁଖ୍ୟ ଓ ଆଜିର ଆଭିମୁଖ୍ୟ ମଧ୍ୟରେ ଆକାଶପାତାଳ ଫରକ ଦେଖିବାକୁ ମିଳିଛି।
ଆଇଆଇଟି କ୍ୟାମ୍ପସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଏକାଠି ସଭାମଂଚରେ ବସି ବିଭିନ୍ନ ଶିଳାନ୍ୟାସ ଓ ଲୋକାର୍ପଣ କାର୍ଯ୍ୟକ୍ରମ କରିବାପରେ ପ୍ରଧାନମନ୍ତ୍ରୀ ମୋଦି ଖୋର୍ଦ୍ଧା ବରୁଣେଇ ପାହାଡ଼ ପାଦଦେଶରେ ଥିବା ଗୋଶାଳା ପଡ଼ିଆରେ ବିଶାଳ ଜନସମାବେଶକୁ ସମ୍ବୋଧିତ କରିଥିଲେ ।ଖୋର୍ଦ୍ଧା ଗାମୁଛା କାନ୍ଧରେ ପକାଇ ଜୟ ଜଗନ୍ନାଥ ଜୟଗାନରୁ ନିଜର ଭାଷଣ ଆରମ୍ଭ କରିଥିବା ମୋଦି କହିଥିଲେ ଯେ, ଦେଶରେ ସ୍ୱଚ୍ଛତା ହାର ୯୭% ଥିବାବେଳେ ଓଡ଼ିଶା କାହିଁକି ପଛରେ ପଡ଼ିଛି ।ଓଡ଼ିଶା ହଲିବାର ନାଁ ନେଉନି ।ପଛୁଆ ରାଜ୍ୟଠୁ ବି ସ୍ୱଚ୍ଛତା ମାମଲାରେ ଓଡ଼ିଶା ପଛରେ ପଡ଼ିଛି। କୁପୋଷଣରେ ଓଡ଼ିଶା ଆଗରେ ।ସେହିପରି ଓଡ଼ିଶାର ଲୋକମାନେ ବୁନ୍ଦାଏ ପଇବା ପାଣି ପାଇଁ କାହିଁକି ଡହଳବିକଳ ହେଉଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ।ରାଜ୍ୟରେ ବ୍ରାହ୍ମଣୀ,ବୈତରଣୀ, ସୁବର୍ଣ୍ଣରେଖା ଓ ଅନ୍ୟାନ୍ୟ ନଦୀ ଥିବାବେଳେ ତା’ ମାଧ୍ୟମରେ ଜଳ ସମସ୍ୟାର ସମାଧାନ ହୋଇପାରୁନି ।ଆୟୁଷ ଯୋଜନାରେ ଗରିବ ଲୋକଙ୍କୁ ସ୍ୱାସ୍ଥ୍ୟସୁବିଧା କେନ୍ଦ୍ର ସରକାର ଦେଉଛନ୍ତି କିନ୍ତୁ ଏପର୍ଯ୍ୟନ୍ତ ଓଡ଼ିଶା ସାମିଲ ହେଲାନି । ଖୁବକମ ଦିନ ମଧ୍ୟରେ ୬ଲକ୍ଷ ଗରିବ ଲୋକ ଏହି ଯୋଜନାର ଫାଇଦା ନେଇଛନ୍ତି ।କିନ୍ତୁ ଏଥିରେ ଓଡ଼ିଶାର ଜଣେ ବି ଲୋକ ନାହାନ୍ତି ।ଓଡ଼ିଶାରେ ଗରିବ ଲୋକଙ୍କୁ ବାସଘର ଦେବା ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୧୨ଲକ୍ଷ ଘର ଆବଂଟିତ ହୋଇଛି ।ରାଜ୍ୟର ୧୮ଲକ୍ଷ ଚାଷୀଙ୍କୁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ୧୭୦୦କୋଟି ଟଙ୍କାର କ୍ଷତିପୂରଣ ଦିଆଯାଇଛି ।ଚାଷୀଙ୍କୁ କାହଁକି ଉତ୍ପାଦନ ମୂଲ୍ୟ ମିଳିପାରୁନି ।ଚାଷୀଙ୍କ ପାଇଁ କେନ୍ଦ୍ର ସରକାର ଅନେକ ପଦକ୍ଷେପ ନେଉଛନ୍ତି ।ଯାହାର ପ୍ରଭାବ ଖୁବଶୀଘ୍ର ଦେଖିବାକୁ ମିଳିବ।ପଞ୍ଜୀକୃତ ଡାକ୍ତର ପଦବୀର ଅଧା ପୂରଣ ନହୋଇ ଖାଲି ପଡ଼ିଛି ।କୁପୋଷଣରେ ମହିଳା ଓ ଶିଶୁ ପୀଡ଼ିତ ହେଉଛନ୍ତି ।ରାଜ୍ୟରେ ଶିକ୍ଷକ ଆନ୍ଦୋଳନ ହେଉଛି । ଶିକ୍ଷକମାନେ ଦରମା ପାଉନାହାନ୍ତି ।
ଚିଟଫଣ୍ଡ ଓ ପିସି କଲଚର ଏବେ ରାଜ୍ୟରେ ପ୍ରଭାବ ବିସ୍ତାର କରୁଛି । ଏହି ଚିଟଫଣ୍ଡ ଓ ପିସି କଲଚର ରୂପକ ଦାନବକୁ କିଏ ଦାନା ଯୋଗାଉଛି ।ସେ କିଏ ଯାହା ପାଇଁ ଦୁର୍ନୀତି ଏଠି ଏତେ ବଳବାନ ବୋଲି ମୋଦି ପ୍ରଶ୍ନ କରିଥିଲେ । ସେହିପରି ବିଜେଡି ସରକାରର ନିର୍ବାଚନୀ ଇସ୍ତାହାରରେ ୧୦ଲକ୍ଷ ହେକ୍ଟର ଜମିକୁ ଜଳସେଚନ କଥା କହିଥିଲେ ମଧ୍ୟ ମାତ୍ର ୨୨ହଜାର ହେକ୍ଟର ଜମିକୁ ଜଳସେଚନ ସୁବିଧା ହୋଇପାରିଛି ।୧୧୩ଟି ବ୍ଲକରେ ୭୦ପ୍ରତିଶତ ଜମିକୁ ଜଳସେଚନ ମିଳିପାରିନି । କାହିଁକି ଜଳସେଚନରେ ଓଡ଼ିଶା ପଛୁଆ ବୋଲି ସେ ପ୍ରଶ୍ନ କରିଥିଲେ । କଂଗ୍ରେସ ସରକାର ସ୍ୱାମୀନାଥନ ରିପୋର୍ଟକୁ ଚାପି ରଖିଥିଲେ । ଏନଡିଏ ସରକାର କ୍ଷମତାକୁ ଆସିବାପରେ ଏହି ରିପୋର୍ଟକୁ ସ୍ୱୀକାର କରିଛନ୍ତି । କିନ୍ତୁ ଓଡ଼ିଶାରେ ଚାଷୀଙ୍କୁ ଫସଲର ଉପଯୁକ୍ତ ଦାମ ମିଳୁନି । ବ୍ୟବସ୍ଥାର ଅଭାବ, ଚାଷୀଙ୍କ ପ୍ରତି ସମ୍ବେଦନଶୀଳତାର ଅଭାବ ଓ ସ୍ଥାନୀୟ ସରକାରର ବିଫଳତା ଯୋଗୁ ଫାଇଦା ଅନ୍ୟମାନେ ପାଉଛନ୍ତି । କାହା ପାଖରେ ଏହି ଫାଇଦା ପହଂଚୁଛି ବୋଲି ମୋଦି ପ୍ରଶ୍ନ କରିଥିଲେ ।
ତାଙ୍କ ସରକାର ମତ୍ସ୍ୟପାଳନ ପାଇଁ ସବସିଡିରେ ସହାୟତା ଦେବା ପାଇଁ ୭୫୦୦କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କରିଥିବା ସମ୍ପର୍କରେ ପ୍ରଧାନମନ୍ତ୍ରୀ ମୋଦି କହିବା ସହ ବିହନଠୁ ବଜାର ପର୍ଯ୍ୟନ୍ତ ସମସ୍ତ ସୁବିଧା ଚାଷୀଙ୍କୁ ବୈଜ୍ଞାନିକ ଓ ବୈଷୟିକ ଭାବେ ଉପଲବ୍ଧ କରାଇବା ଦିଗରେ ତାଙ୍କ ସରକାର କାମ କରୁଥିବା କହିଛନ୍ତି ।
ସମାବେଶରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ, ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ନେତା ବିଶ୍ୱଭୂଷଣ ହରିଚନ୍ଦନ ପ୍ରମୁଖ ନେତୃବୃନ୍ଦ ଉପସ୍ଥିତ ଥିଲେ । ରାଜ୍ୟର ବିଭିନ୍ନ ସ୍ଥାନରୁ ପ୍ରାୟ ୬୦ହଜାର ଲୋକଙ୍କ ସମାଗମ ହୋଇଥିଲା ।



