ବନ୍ୟାକୁ ନେଇ ବିଭାଗ କେତେ ପ୍ରସ୍ତୁତ ସେ ନେଇ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମୀକ୍ଷା କରିଛନ୍ତି। ମୌସୁମୀ ବର୍ଷା ନଜରରେ ରଖି ବନ୍ୟା ନିୟନ୍ତ୍ରଣ ପାଇଁ ସଜାଗ ରହିବାକୁ ଜଳସମ୍ପଦ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଦୁର୍ବଳ ନଦୀ ବନ୍ଧ ଗୁଡ଼ିକ ଅଧିକ ସୁଦୃଢ କରିବା ଓ ସେଥିପାଇଁ ସଜାଗ ରହିବା ସହ ଜଳ ସଂପଦ ବିଭାଗର ବିଳମ୍ବିତ ପ୍ରକଳ୍ପ ଶୀଘ୍ର ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।
ମୁଖ୍ୟମନ୍ତ୍ରୀ ଜଳସେଚନ ବିଭାଗର ସମୀକ୍ଷା କରିବା ପରେ ବିଭାଗୀୟ ସଚିବ ଅନୁ ଗର୍ଗ ପ୍ରତିକ୍ରିୟା ଦେଇ କହିଛନ୍ତି, ପୂର୍ବରୁ ଚିହ୍ନଟ ହୋଇଥିବା ଦୁର୍ବଳ ନଦୀ ବନ୍ଦ ଉପରେ ନଜର ରଖିବା ସହ ଗର୍ତ୍ତ ସୃଷ୍ଟି ହୋଇଥିବା ସ୍ଥାନକୁ ମରାମତି ପାଇଁ ପଦକ୍ଷେପ ନିଆଯିବ। ତହସିଲଦାର ଓ ଜଳସମ୍ପଦ ବିଭାଗର ଯନ୍ତ୍ରୀ ଏ ଦିଗରେ ମିଲିତ ଭାବେ କାମ କରୁଛନ୍ତି। ବନ୍ୟା ଆସିବା ପୂର୍ବରୁ ସବୁ ଡ୍ୟାମରେ ମକ ଡ୍ରିଲ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଏବେଠୁ ବନ୍ୟା ନିୟନ୍ତ୍ରଣ ସେଲ ୨୪ ଘଣ୍ଟା କାମ କରିବ। ଅଫିସର ସଜାଗ ରହିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।
ଏହା ବାଦ ବିଳମ୍ବିତ ପ୍ରକଳ୍ପ କାମ କୁ ତ୍ୱରାନ୍ୱିତ ପାଇଁ ବି ପରାମର୍ଶ ଦିଆଯାଇଛି। ବନ୍ୟା ନିୟନ୍ତ୍ରଣ ନୀତି ଆଣିବାକୁ ଯେଉଁ ସଂକଳ୍ପ ପତ୍ର ଜାରି କରାଯାଇଛି ସେ ଦିଗରେ ଏବେଠୁ କାମ ଆରମ୍ଭ ହେବ ବୋଲି ଉନ୍ନୟନ କମିଶନ ଅନୁ ଗର୍ଗ ସୂଚନା ଦେଇଛନ୍ତି ।ସେ ଆଉ ମଧ୍ୟ କହିଛନ୍ତି ସମସ୍ତ ଅଫିସରମାନଙ୍କୁ ପ୍ରସ୍ତୁତ ରଖିବାକୁ ବି କୁହାଯାଇଛି। ଇସ୍ତାହାରରେ ଦିଆଯାଇଥିବା ପ୍ରତିଶ୍ରୁତି ଦିଗରେ କାମ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଛନ୍ତି ।


