ଭୁବନେଶ୍ୱର : ମୁମ୍ବାଇର ପୂର୍ବତନ ପୋଲିସ କମିଶନର ଅରୂପ ପଟ୍ଟନାୟକ ଆଜି ଆନୁଷ୍ଠାନିକ ଭାବେ ବିଜେଡିରେ ଯୋଗ ଦେଇଛନ୍ତି । ମହାରାଷ୍ଟ୍ର କ୍ୟାଡ଼ରର ଅବସରପ୍ରାପ୍ତ ଆଇପିଏସ୍ ଶ୍ରୀ ପଟ୍ଟନାୟକ ରାଜନୀତିରେ ସାମିଲ ଆଗାମୀ ଦିନରେ ଭୁବନେଶ୍ୱର କିମ୍ବା ପୁରୀ ଲୋକସଭା ନିର୍ବାଚନମଣ୍ଡଳରୁ ବିଜେଡି ପ୍ରାର୍ଥୀ ହେବେ ବୋଲି ଚର୍ଚ୍ଚା ହେଉଛି ।
ଶ୍ରୀ ପଟ୍ଟନାୟକ ଆଜି ନବୀନ ନିବାସରେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରି ବିଜେଡିର ପ୍ରାଥମିକ ସଦସ୍ୟତା ଗ୍ରହଣ କରିଛନ୍ତି । ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ମଧ୍ୟ ତାଙ୍କୁ ସ୍ୱାଗତ କରିବା ସହ ସେ ବିଜେଡି ପାଇଁ ଅମୂଲ୍ୟ ସମ୍ପଦ ହେବେ । ସେ ବିଜେଡିରେ ମିଶିବା ତାଙ୍କୁ ଖୁସି କରିଛି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି । ଏହି ଅବସରରେ ଅରୂପ ପଟ୍ଟନାୟକ କହିଥିଲେ ଯେ , ଶ୍ରୀଜଗନ୍ନାଥଙ୍କ ରଥନିର୍ମାଣର ଶୁଭ ଅନୁକୂଳ ଓ ଅକ୍ଷୟ ତୃତୀୟା ଭଳି ଶୁଭ ଦିନରେ ଉକ୍ରଳ ଗୌରବ ମଧୁସୂଦନ ଦାସ, ଓଡ଼ିଆଙ୍କ ହୃଦୟର ସମ୍ରାଟ ବିଜୁ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ଆଜି ବିଜେଡିରେ ଯୋଗ ଦେଇଛନ୍ତି । ବିଜୁ ପଟ୍ଟନାୟକଙ୍କ ଉପଯୁକ୍ତ ଦାୟାଦ ତଥା ସ୍ୱଚ୍ଛ ଓ ବଳିଷ୍ଠ ନେତୃତ୍ୱ ଦେଇଆସୁଥିବା ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଓଡ଼ିଶାର ସେବା କରିବା ପାଇଁ ଏ ଯେଉଁ ସୁଯୋଗ ଦେଲେ, ସେଥିଲାଗି ତାଙ୍କ ପାଖରେ କୃତଜ୍ଞ । ଦୀର୍ଘଦିନ ଧରି ଅନ୍ୟ ରାଜ୍ୟର ସେବା କରିବା ପରେ ଆଜି ନିଜର ଜନ୍ମସ୍ଥାନ ଓଡ଼ିଶାରେ ସେବା କରିବାକୁ ତାଙ୍କୁ ସୁଯୋଗ ମିଳିଛି, ସେଥିପାଇଁ ମୁଁ ଅତି ଉତ୍ସାହିତ । ତେବେ ସେ କେଉଁ ନିର୍ବାଚନମଣ୍ଡଳୀରୁ ପ୍ରାର୍ଥୀ ହେବେ ବୋଲି ପ୍ରଶ୍ନର ଉତ୍ତରରେ ଅରୂପ କହିଥିଲେ ଯେ, ସେ ଏବେ ଦଳର ପ୍ରାଥମିକ ସଦସ୍ୟ ହୋଇଛନ୍ତି । ତାଙ୍କୁ କାର୍ଯ୍ୟ କରିବା ପାଇଁ ଦଳ ଯେଉଁ ନିର୍ଦ୍ଦେଶ ଦେବ ତାହା ଶୃଙ୍ଖଳିତ ସଦସ୍ୟ ଭାବେ ପାଳନ କରିବେ । ସୂଚନାଯୋଗ୍ୟ ଏହି ଯୋଗଦାନ କାର୍ଯ୍ୟକ୍ରମରେ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର, ମହେଶ୍ୱର ମହାନ୍ତି, ଅଶୋକ ଚନ୍ଦ୍ର ପଣ୍ଡା, ବଦ୍ରି ନାରାୟଣ ପାତ୍ର, ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ପ୍ରଶାନ୍ତ ନନ୍ଦ, ଦଳର ସାଧାରଣ ସଂପାଦକ ତଥା ବିଧାୟକ ସଂଜୟ କୁମାର ଦାସବର୍ମା, ବିଜୟ ମହାନ୍ତି, ପ୍ରିୟଦର୍ଶୀ ମିଶ୍ର, ମେୟର ଅନନ୍ତ ନାରାୟଣ ଜେନା, ରାଜ୍ୟ ସଂପାଦକ ବିଜୟ ନାୟକ, ଛାତ୍ର ବିଜେଡି ରାଜ୍ୟ ସଭାପତି ରାଣାପ୍ରତାପ ପାତ୍ରଙ୍କ ସମେତ ବହୁ ଦଳୀୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।


