ଭୁବନେଶ୍ୱର : ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୧ତମ ଶ୍ରାଦ୍ଧ ବାର୍ଷିକୀ ଆଜି ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ନିରାଡ଼ମ୍ବର ଭାବେ ପାଳିତ ହୋଇଯାଇଛି । ଦଳର ନେତାମାନେ ବିଜୁବାବୁଙ୍କ ସ୍ମୃତିଚାରଣ କରିବା ସହ ତାଙ୍କ ଜୀବନୀ ଉପରେ ଏକ ଫଟୋଚିତ୍ର ଓ ଭିଡ଼ିଓ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥିଲା ।
ବିଜେଡି ପକ୍ଷରୁ ଆୟୋଜିତ ରାଜ୍ୟସ୍ତରୀୟ ଶ୍ରାଦ୍ଧବାର୍ଷିକୀ ସମାରୋହରେ ଯୋଗ ଦେଇ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୁବାବୁଙ୍କ ସ୍ମୃତିଚାରଣ କରିବା ସହ ଓଡ଼ିଶାର ଗୌରବକୁ ଉଚ୍ଚା କରିବା ପାଇଁ ସମସ୍ତଙ୍କୁ ସଂକଳ୍ପ ନେବାକୁ ଆହ୍ୱାନ କରିଥିଲେ । ସଭା ଆରମ୍ଭ ପୂର୍ବରୁ ଅପରାହ୍ଣ ୫ଟାରେ ବିଜୁବାବୁଙ୍କ ଜୀବନୀକାଳର ଅନେକ ଅଭୁଲା ସ୍ମୃତି ସଂପର୍କିତ ଫଟୋଚିତ୍ର ଓ ଭିଡିଓ ଚିତ୍ର ପ୍ରଦର୍ଶନ କରାଯାଇଥିଲା । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ତାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରି କହିଥିଲେ ଯେ, ବିଜୁବାବୁ ଓଡ଼ିଶାବାସୀଙ୍କର ଅତି ନିଜର ଥିଲେ । । ତାଙ୍କର ସବୁ ସ୍ୱପ୍ନ, ସବୁ ସଂଗ୍ରାମ ଥିଲା ଓଡ଼ିଆ ସ୍ୱାଭିମାନ ପାଇଁ । ଓଡ଼ିଆ ଜାତିର ଗୌରବ ଓ ଓଡ଼ିଶାର ସ୍ୱତନ୍ତ୍ର ପରିଚୟ ପାଇଁ ତାଙ୍କର ଜୀବନ ଥିଲା ସମର୍ପିତ । ବିଜୁବାବୁ ଅନେକ କ୍ଷେତ୍ରରେ ଇତିହାସ ସୃଷ୍ଟି କରିଛନ୍ତି । ସାରା ବିଶ୍ୱରେ ଓଡ଼ିଆ ଜାତିର ଗୌରବ ଉଚ୍ଚା କରିଛନ୍ତି । ନେତା ଓ ଜନତାଙ୍କ ମଧ୍ୟରେ ସଂପର୍କକୁ ନୂଆ ଦିଗ ଦେଇଛନ୍ତି । ତାହା ହିଁ ତାଙ୍କୁ କରିଛି ଇତିହାସ ପୁରୁଷ । ବିକାଶ ପୁରୁଷ । ସ୍ୱାଭିମାନୀ ପୁରୁଷ । ଓଡ଼ିଶାର ଗୌରବକୁ ଉଚ୍ଚା କରିବା ପାଇଁ ସଂକଳ୍ପ ନେବା । ତାହା ହିଁ ସେହି ମହାନାୟକଙ୍କ ପ୍ରତି ହେବ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି । ପରେ ସନ୍ଧ୍ୟା ୬ଟା ବେଳେ ରାଜ୍ୟ କାର୍ଯ୍ୟାଳୟ ନିକଟରେ ସମୂହ ଦୀପଦାନ କରାଯାଇଥିଲା । ଏହା ପୂର୍ବରୁ ବିଜୁବାବୁଙ୍କ ଶ୍ରାଦ୍ଧ ଉତ୍ସବ ପାଇଁ ସକାଳ ୬ଟାରେ ବିନ୍ଦୁସାଗର ନିକଟସ୍ଥ ଉତ୍ତରେଶ୍ୱର ଘାଟରେ ତିଳତର୍ପଣ କରାଯାଇଥିବା ବେଳେ ୯.୪୫ରେ ବିଜୁପଟ୍ଟନାୟକ ପାର୍କ ସ୍ଥିତ ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ପୁଷ୍ପ ମାଲ୍ୟ ଅର୍ପଣ କରିଥିଲେ । ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ଦଳର ଉପସଭାପତି ତଥା ପୂର୍ବତନ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର, ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବିଧାୟିକା ପ୍ରମିଳା ମଲ୍ଲିକ, ବିଜୟ ମହାନ୍ତି, ପ୍ରିୟଦର୍ଶୀ ମିଶ୍ର, ମେୟର ଅନନ୍ତ ନାରାୟଣ ଜେନା, ଡେପୁଟି ମେୟର କେ. ଶାନ୍ତି, ରାଜ୍ୟ ସଂପାଦକ ବିଜୟ ନାୟକ, ଯୁବ ବିଜେଡି ରାଜ୍ୟ ସଭାପତି ଅମରେଶ ପତ୍ରୀ, ଛାତ୍ର ବିଜେଡି ରାଜ୍ୟ ସଭାପତି ରାଣାପ୍ରତାପ ପାତ୍ର, ଭୁବନେଶ୍ୱର ଜିଲ୍ଲା କାର୍ଯ୍ୟକାରୀ ସଭାପତି ବାବୁ ସିଂହ, ଜିଲ୍ଲା ଯୁବ ବିଜେଡି ସଭାପତି ଅମରଜିତ୍ ସେନାପତି, ଛାତ୍ର ବିଜେଡି ସଭାପତି କଳ୍ପତରୁ ଓଝାଙ୍କ ସମେତ ଭୁବନେଶ୍ୱରର କର୍ପୋରେଟର୍, ହଜାର ହଜାର ସଂଖ୍ୟାରେ ଦଳୀୟ କର୍ମୀ ଉପସ୍ଥିତ ରହି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।


