ନିର୍ବାଚନ ହାରିବା ପରଠୁ ରାଜ୍ୟରେ ବିଜେଡିରେ ଦଳକନ୍ଦଳ ବାରମ୍ବାର ଦେଖିବାକୁ ମିଳୁଛି । ଅସନ୍ତୋଷ ପ୍ରକାଶ କରୁ ଗୋଟିଏ ପରେ ଗୋଟିଏ ନେତା ଦଳ ଛାଡିବାରେ ଲାଗିଛନ୍ତି । ଅନେକ ନେତା ଦଳ ଛାଡିଥିବା ବେଳେ ଗତକାଲି ବିଜେଡିରୁ ଇସ୍ତଫା ଦେଇଛନ୍ତି ବରୀର ପୂର୍ବତନ ବିଧାୟକ ସୁନନ୍ଦା ଦାସ । ସେ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ତାଙ୍କ ଇସ୍ତଫା ପତ୍ର ସେ ଦଳ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇଛନ୍ତି । ତାଙ୍କୁ ଦଳରେ ଅଣଦେଖା କରାଯାଉଥିବା ସେ ଅଭିଯୋଗ କରି ଦଳ ଛାଡିଥିବା ନେଇ ସୂଚନା ମିଳିଛି ।
ସୂଚନାଯୋଗ୍ୟ, ୨୦୧୯ ନିର୍ବାଚନରେ ସୁନନ୍ଦାଙ୍କଠାରୁ ସେ ସମୟରେ ବିଜେପିର ପ୍ରାର୍ଥୀ ଥିବା ବିଶ୍ୱରଞ୍ଜନ ମଲ୍ଲିକ ୪ ହଜାର ଭୋଟରେ ହାରିଥିଲେ । ତଥାପି ୨୦୨୪ରେ ଦଳ ତାଙ୍କୁ ଆଉ ଭରସା କରି ନ ଥିଲା । ତାଙ୍କ ବଦଳରେ ବିଜେପି ଛାଡି ଯୋଗ ଦେଇଥିବା ବିଶ୍ୱରଞ୍ଜନ ମଲ୍ଲିକଙ୍କୁ ଟିକେଟ୍ ଦଳ ଟିକେଟ୍ ଦେଇଥିଲା । ଆଉ ବିଶ୍ୱରଞ୍ଜନ ବିଜୟୀ ମଧ୍ୟ ହୋଇଥିଲେ । ଏହାକୁ ନେଇ ସୁନନ୍ଦା ସେତେବେଳଠାରୁ ଅସନ୍ତୁଷ୍ଠ ଥିଲେ। ତେବେ ଗତ ୫ ମାସ ହେବ ତାଙ୍କୁ ଦଳରେ ଅଣଦେଖା କରାଯାଉଥିବା ଅଭିଯୋଗ କରିଛନ୍ତି ସୁନନ୍ଦା ଦାସ । ବିଜେଡିରେ ସୁନନ୍ଦା ନିଜକୁ ଅସହଜ ମଣିଥିଲେ । ଆଉ ଆଜି ସେ ନିଜ ଦଳରୁ ଇସ୍ତଫା ଦେଇଛନ୍ତି ।


