ଭୁବନେଶ୍ୱର : ବିଜେଡିର ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ ନିଜ ଦଳର ବିଧାୟକମାନଙ୍କ ବିରୁଦ୍ଧରେ ଏକ ସଙ୍ଗିନ ଅଭିଯୋଗ ଆଣିଛନ୍ତି । ବିଜେଡିର କିଛିି ବିଧାୟକ ଏବେ ବିଜେପିଠାରୁ ଅଗ୍ରୀମ ଅର୍ଥ ନେଇଛନ୍ତି ଓ ନିର୍ବାଚନ ପରେ ସେମାନେ ଜିତିଲେ ବିଜେପିକୁ ସମର୍ଥନ ଦେବେ ବୋଲି ଡାକ୍ତର ରାଉତ ଅଭିଯୋଗ କରିଛନ୍ତି ।
ଏକ ଘରୋଇ ଟିଭି ଚ୍ୟାନେଲକୁ ପ୍ରତିକ୍ରିୟା ଦେଇ ଡାକ୍ତର ରାଉତ କହିଛନ୍ତି ଯେ, ବିଜେଡିରେ ବିଭାଜନ ପାଇଁ ବିଜେପି ରଣନୀତି ପ୍ରସ୍ତୁତ କରିଛି । ୨୦୧୯ ସାଧାରଣ ନିର୍ବାଚନ ପରେ କର୍ଣ୍ଣାଟକ ଭଳି ପରିସ୍ଥିତି ସୃଷ୍ଟି ପାଇଁ ବିଜେପି ଏହା କରୁଛି । ବିଜେଡିର ବିଧାୟକମାନଙ୍କୁ ବିଜେପି ଏବେ ଅଗ୍ରୀମ ଅର୍ଥ ଦେଇଛି ବୋଲି ଜଣେ ବନ୍ଧୁ ତାଙ୍କୁ କହିଥିବା ଡାକ୍ତର ରାଉତ କହିଛନ୍ତି । ଅବଶ୍ୟ ନିଜର ସେହି ବନ୍ଧୁଙ୍କ ନାଁକୁ ସେ ସାର୍ବଜନୀନ କରିନାହାନ୍ତି । ଡାକ୍ତର ରାଉତ କହିଛନ୍ତି ଯେ, ବିଜେପି ଏବେ ବିଜେଡିର ୪୦ରୁ ୫୦ଜଣ ବିଧାୟକଙ୍କୁ ଟାର୍ଗେଟ୍ କରିଛି । ଯେଉଁମାନେ ନିର୍ବାଚନରେ ଜିତିବା ପରେ ବିଜେପିକୁ ସହଯୋଗ କରିବେ । ବିଜେପି ଏବେ ସେମାନଙ୍କୁ ଅଗ୍ରୀମ ଅର୍ଥ ଦେଉଛି । ତେବେ ସେହି ବିଧାୟକମାନେ ପୁଣିଥରେ ଜିତିବେ ବୋଲି କ’ଣ ଗ୍ୟାରେଣ୍ଟି ଅଛି ନା ସେମାନଙ୍କୁ ବିଜେଡି ପୁଣି ଟିକେଟ୍ ଦେବ ବୋଲି ଗ୍ୟାରେଣ୍ଟି କ’ଣ ବୋଲି ଡାକ୍ତର ରାଉତ ପ୍ରଶ୍ନ କରିଛନ୍ତି । ବିଜେପି ଓଡ଼ିଶାରେ ଯେଉଁ ରଣନୀତି କରୁଛି ସେଥିରେ କଦାପି ସଫଳ ହେବ ନାହିଁ ବୋଲି ଡାକ୍ତର ରାଉତ ସ୍ପଷ୍ଟ କରିଛନ୍ତି । ତେବେ ଡାକ୍ତର ରାଉତଙ୍କ ମତାମତ ଉପରେ ବିଜେଡିର କୌଣସି ନେତା ପ୍ରତିକ୍ରିୟା ଦେବାକୁ ମନା କରିଦେଇଛନ୍ତି ।


