ଭୁବନେଶ୍ୱର: ରାଜ୍ୟର ସର୍ବପୁରାତନ ଆଇନ କଲେଜ କଟକସ୍ଥିତ ମଧୁସୂଦନ ଆଇନ କଲେଜକୁ ବିଶ୍ୱବିଦ୍ୟାଳୟ ମାନ୍ୟତା ପ୍ରଦାନ କରାଯିବ । ଏହା ସହିତ ଆଇନଜୀବୀଙ୍କ ପ୍ରଶିକ୍ଷଣ ଓ ଦକ୍ଷତା ବିକାଶ ନିମନ୍ତେ ୨୦୧୯ ମସିହା ସୁଦ୍ଧା ରାଜ୍ୟରେ ଗୋଟିଏ ଆଡ୍ଭୋକେଟ୍ ଏକାଡେମୀ ପ୍ରତିଷ୍ଠା କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଘୋଷଣା କରିଛନ୍ତି ।
ଭୁବନେଶ୍ୱରରେ ଆଜି ଆୟୋଜିତ ବିଜେଡି ଲିଗାଲ୍ ଫ୍ରଣ୍ଟ୍୍ର ରାଜ୍ୟ ପରିବର୍ଦ୍ଧିତ କାର୍ଯ୍ୟକାରୀ କମିଟି ବୈଠକକୁ ଉଦ୍ବୋଧନ ଦେଇ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ରାଜ୍ୟରେ ଲୋକଙ୍କୁ ତ୍ୱରିତ୍ ନ୍ୟାୟ ପ୍ରଦାନ ନିମନ୍ତେ ରାଜ୍ୟ ସରକାର ଅନେକ ପଦକ୍ଷେପ ନେଇଛନ୍ତି । ନ୍ୟାୟିକ ପ୍ରକ୍ରିୟାକୁ ତ୍ୱରାନିତ କରିବା ପାଇଁ ଜୁଡିସିଆଲ ଅଫିସର୍ଙ୍କୁ ନିଯୁକ୍ତି ଓ ଲୋକ ଅଦାଲତ ସ୍ଥାପନ ଦିଗରେ ସରକାର ପଦକ୍ଷେପ ନେଇଛନ୍ତି । ସମସ୍ତ ୩୧୪ଟି ବ୍ଲକ୍ରେ ନୂଆ କୋର୍ଟ ଖୋଲାଯିବା ସହ ପ୍ରତି ପଞ୍ଚାୟତରେ ମଧୁବାବୁ ଆଇନ ସହାୟକଙ୍କୁ ନିଯୁକ୍ତି ଦିଆଯିବ । ଏହା ସହିତ ଆଇନଜୀବୀ କଲ୍ୟାଣ ପାଣ୍ଠିକୁ ୩ କୋଟି ଟଙ୍କାରୁ ୫ କୋଟି ଟଙ୍କାକୁ ବୃଦ୍ଧି କରାଯିବ । ବିଜେଡି ଲିଗାଲ୍ ଫ୍ରଣ୍ଡ୍ର ସଭ୍ୟମାନେ ସାଧାରଣ ଲୋକଙ୍କ ମଧ୍ୟରେ ଆଇନ ସଚେତନତା ଓ ନ୍ୟାୟ ପ୍ରଦାନ କ୍ଷେତ୍ରରେ କାର୍ଯ୍ୟ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ବିଜେଡି ଲିଗାଲ୍ ଫ୍ରଣ୍ଟ୍ର ରାଜ୍ୟ ଉପଦେଷ୍ଟା ଅସିମ୍ ଅମିତାଭ ଦାସଙ୍କ ସଯୋଜନାରେ ଅନୁଷ୍ଠିତ ଏହି ବୈଠକରେ ଆଇନ ମନ୍ତ୍ରୀ ପ୍ରତାପ ଜେନା, ବିଧାୟକ ଦେବାଶିଷ ସାମନ୍ତରାୟ ଓ ପ୍ରିୟଦର୍ଶୀ ମିଶ୍ରଙ୍କ ସମେତ ଫ୍ରଣ୍ଟ୍ର ସଦସ୍ୟମାନେ ଉପସ୍ଥିତ ଥିଲେ ।
ଏହି ଅବସରରେ ଆଇନ ମନ୍ତ୍ରୀ ପ୍ରତାପ ଜେନା ରାଜ୍ୟରେ ନୂଆ କୋର୍ଟ ପ୍ରତିଷ୍ଠା ଓ ଭିତ୍ତିଭୂମି ସ୍ଥାପନ ଉପରେ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ସୂଚନା ଦେବା ସହ ଆଗାମୀ ଦିନରେ ଆଇନଜୀବୀଙ୍କ ଯେକୌଣସି ସମସ୍ୟାକୁ ବ୍ୟକ୍ତିଗତ ଭାବେ ସମାଧାନ ଦିଗରେ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।
ବିଜେଡି ଲିଗାଲ୍ ଫ୍ରଣ୍ଟ୍ର ରାଜ୍ୟ ଉପଦେଷ୍ଟା ଅସିମ୍ ଅମିତାଭ ଦାସଙ୍କ ସଯୋଜନାରେ ଅନୁଷ୍ଠିତ ଏହି ବୈଠକରେ ଫ୍ରଣ୍ଟ୍ର ସଦସ୍ୟମାନେ ରାଜ୍ୟରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଚାଲିଥିବା ବିକାଶ ମୂଳକ କାର୍ଯ୍ୟକ୍ରମରେ ସାମିଲ ହୋଇ ଗରିବ,ଅସହାୟ ମହିଳା, ଅନୁସୂଚିତ ଜାତି ଓ ଜନଜାତିଙ୍କ ମଧ୍ୟରେ ଆଇନ ସାକ୍ଷରତା ସୃଷ୍ଟି କରିବା ସହ ସେମାନଙ୍କ ନିକଟରେ ନ୍ୟାୟ ପହଞ୍ଚାଇବା ଦିଗରେ କାର୍ଯ୍ୟ କରିବାକୁ ନିଷ୍ପତ୍ତି ନେଇଛନ୍ତି ।
ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ଦେବାଶିଷ ସାମନ୍ତରାୟ ଓ ପ୍ରିୟଦର୍ଶୀ ମିଶ୍ର, ଫ୍ରଣ୍ଟ୍ର ରାଜ୍ୟ ଆବାହକ ମିଲନ୍ କାନୁନ୍ଗୋଙ୍କ ସମେତ ସମସ୍ତ ଜିଲ୍ଲାରୁ ପ୍ରାୟ ୧୫୦ରୁ ଊଦ୍ଧ୍ୱର୍ ବାର୍ ଆସୋସିଏସନ୍ର ଆଇନଜୀବୀ, ଫ୍ରଣ୍ଟ୍ର ୮ଟି ଜୋନ୍ର ଜୋନାଲ ଆବାହକ ଓ ଜିଲ୍ଲା ଆବହକମାନେ ଯୋଗ ଦେଇ ବିସ୍ତୃତ ଆଲୋଚନା କରିଥିଲେ ।


