ଭୁବନେଶ୍ୱର(ଓଡ଼ିଶା ୱେୟାର): ଗତ ୫ବର୍ଷ ମଧ୍ୟରେ ରାଜ୍ୟରେ ୨୭ହଜାର ଶିଶୁ ନିଖୋଜ ହୋଇଥିବା ନେଇ ତୀବ୍ର ସମାଲୋଚନା କରି ଗାଁ ଗାଁରେ ଆନ୍ଦୋଳନ କରିବାକୁ ବିଜେପି ଧମକ ଦେବାପରେ ରାଜ୍ୟ ସରକାରଙ୍କ ଚେତା ପଶିଛି । ରାଜ୍ୟର ନିଖୋଜ ଶିଶୁଙ୍କୁ ଖୋଜିବା ନିମନ୍ତେ ଜାନୁୟାରୀ ୧୮ରୁ ୨୫ତାରିଖ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ସ୍ୱତନ୍ତ୍ର ଅଭିଯାନ କରିବା ନିମନ୍ତେ ନିଷ୍ପତ୍ତି ହୋଇଛି ।
ପୁଲିସ ଡିଜି ଅଭୟଙ୍କ ସହ ବରିଷ୍ଠ ପୁଲିସ ଅଧିକାରୀଙ୍କ ବୈଠକରେ ହଜିଥିବା ପିଲାଙ୍କୁ ଖୋଜିବା ନିମନ୍ତେ ରାଜ୍ୟବ୍ୟାପୀ ସ୍ୱତନ୍ତ୍ର ଅଭିଯାନ ହେବ । ଅବଶ୍ୟ ପୂର୍ବରୁ ‘ଅପରେସନ ମୁସ୍କାନ’ ମାଧ୍ୟମରେ ରାଜ୍ୟ କ୍ରାଇମବ୍ରାଂଚ ପକ୍ଷରୁ ନିଖୋଜ ଶିଶୁଙ୍କୁ ଠାବ ନିମନ୍ତେ ସ୍ୱତନ୍ତ୍ର ଅଭିଯାନ ଚାଲିଥାଏ । ମାତ୍ର ଚଳିତବର୍ଷ ରାଜ୍ୟ ବିଜେପିର ଆକ୍ରମଣାତ୍ମକ ଆଭିମୁଖ୍ୟ ପରେ ଏହି ଅଭିଯାନକୁ ଜୋରଦାର ଢଙ୍ଗରେ କରିବାକୁ ପୁଲିସ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି । ଏହାସହିତ ରାଜ୍ୟରେ ୪୦ବର୍ଷ ବୟସରୁ ଅଧିକ ସମସ୍ତ ପୁଲିସ କର୍ମଚାରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବାକୁ ମଧ୍ୟ ନିଷ୍ପତ୍ତି ହୋଇଛି । ପୁଲିସ କର୍ମଚାରୀମାନଙ୍କୁ ଏଣିକି ପୋଷାକ ବଦଳରେ ପୋଷାକ ଭତ୍ତା ପ୍ରଦାନ କରିବାକୁ ମଧ୍ୟ ବୈଠକରେ ନିଷ୍ପତ୍ତି ନିଆଯାଇଛି ।


