ବିଜେପି କନ୍ଦଳ: ସପ୍ତାହେ ତଳେ ହଟାଇଥିଲେ, ଏବେ ପୁଣି ଦେଲେ ନିଯୁକ୍ତି
ଭୁବନେଶ୍ୱର (ଓଡ଼ିଶା ୱେୟାର): ଦଳୀୟ ଶୃଙ୍ଖଳା ଭଙ୍ଗ କରୁଥିବା ଦର୍ଶାଇ ଖୋର୍ଦ୍ଧା ବିଜେପି ଜିଲ୍ଲା ସଭାପତି ପଦରୁ ରଶ୍ମୀରଞ୍ଜନ ମହାପାତ୍ରଙ୍କୁ ହଟାଇ ଦିଆଯିବାର ୭ଦିନ ନପୁରୁଣୁ ଆଜି ପୁଣିଥରେ ତାଙ୍କୁ ସେହି ପଦବୀରେ ଅବସ୍ଥାପିତ କରାଯାଇଛି । ଶ୍ରୀ ମହାପାତ୍ରଙ୍କୁ ପୁଣିଥରେ ଖୋର୍ଦ୍ଧା ଜିଲ୍ଲା ସଭାପତି ଦାୟିତ୍ୱ ନ୍ୟସ୍ତ କରାଯିବା ପରୋକ୍ଷରେ ଦଳରେ ଚାଲିଥିବା ଗୋଷ୍ଠୀକନ୍ଦଳକୁ ପ୍ରମାଣିତ କରାଇଛି ।
ମିଳିଥିବା ସୂଚନା ଅନୁସାରେ, ଆଜି ବିଜେପି ମିଡିଆ ସେଲ୍ ପକ୍ଷରୁ ଜାରି ପ୍ରେସ୍ ରିଲିଜ୍ ମାଧ୍ୟମରେ ଦଳର ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଅନୁମୋଦନରେ ଶ୍ରୀ ମହାପାତ୍ରଙ୍କୁ ଖୋର୍ଦ୍ଧା ଜିଲ୍ଲା ବିଜେପି ସଭାପତି ଭାବେ ପୁନଃ ଅବସ୍ଥାପିତ କରାଗଲା ବୋଲି କୁହାଯାଇଛି । ନଭେମ୍ବର ୧୨ତାରିଖରେ ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ଗୋଲକ ମହାପାତ୍ରଙ୍କ ଦସ୍ତଖତରେ ଜାରି ଏକ ପ୍ରେସ୍ ରିଲିଜରେ ବିଭିନ୍ନ ସମୟରେ ଦଳୀୟ ଶୃଙ୍ଖଳା ଭଙ୍ଗ କରୁଥିବା ଯୋଗୁ ରଶ୍ମୀରଞ୍ଜନ ମହାପାତ୍ରଙ୍କୁ ଖୋର୍ଦ୍ଧା ଜିଲ୍ଲା ସଭାପତି ପଦରୁ ହଟାଇ ଦିଆଗଲା ଓ ଯତୀନ ମହାନ୍ତିଙ୍କୁ ଦଳର ଖୋର୍ଦ୍ଧା ଜିଲ୍ଲା ସଭାପତି ଭାବେ ନିଯୁକ୍ତି ଦିଆଗଲା ବୋଲି କୁହାଯାଇଥିଲା ।
ତେବେ ଶ୍ରୀ ମହାପାତ୍ରଙ୍କୁ ଜିଲ୍ଲା ସଭାପତି ପଦରୁ ହଟାଯିବାକୁ ତୀବ୍ର ବିରୋଧ କରି ଖୋର୍ଦ୍ଧା ଜିଲ୍ଲାର ମଣ୍ଡଳ ସଭାପତିମାନେ ଓ ଶତାଧିକ ଦଳୀୟ କର୍ମୀ ବିଜେପି ରାଜ୍ୟ ଅଫିସକୁ ଯାଇ ଦଳର ସାଂଗଠନିକ ସମ୍ପାଦକଙ୍କୁ ଭେଟି ଦାବିପତ୍ର ଦେବା ସହ ତୁରନ୍ତ ଶ୍ରୀ ମହାପାତ୍ରଙ୍କ ବିରୁଦ୍ଧରେ ହୋଇଥିବା କାର୍ଯ୍ୟାନୁଷ୍ଠାନକୁ ରଦ୍ଦ କରିବା ନିମନ୍ତେ ଦାବି କରିଥିଲେ । ଏହାସହିତ ଖୋର୍ଦ୍ଧା ଜିଲ୍ଲା ସଂଗଠନ ସମ୍ପର୍କରେ କୌଣସି ନିଷ୍ପତ୍ତି ନେବା ପୂର୍ବରୁ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ସହ ପରାମର୍ଶ କରିବାକୁ ମଧ୍ୟ ଦାବି କରିଥିଲେ ।
ସୂଚନାଯୋଗ୍ୟ, ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଦୃଢ଼ ସମର୍ଥକ ଭାବେ ପରିଚିତ ଶ୍ରୀ ମହାପାତ୍ରଙ୍କୁ ଗତ ପ୍ରାୟ ଏକବର୍ଷ ହେଲା ଖୋର୍ଦ୍ଧା ଜିଲ୍ଲା ସଭାପତି ପଦରେ ଅବସ୍ଥାପିତ କରାଯାଇଥିଲା । କିନ୍ତୁ ସାଂସଦଙ୍କ ସହ ପରାମର୍ଶ ନକରି ଶ୍ରୀ ମହାପାତ୍ରଙ୍କୁ ଅଚାନକ ହଟାଇ ଦିଆଯିବାକୁ ନେଇ ଖୋର୍ଦ୍ଧା ଜିଲ୍ଲା ବିଜେପି ରାଜନୀତି ସରଗରମ ହୋଇଥିଲା । ଏପରିକି ଏହାର ପ୍ରଭାବ ରାଜ୍ୟସ୍ତରୀୟ ନେତାମାନଙ୍କ ଉପରେ ମଧ୍ୟ ପଡ଼ିଥିଲା । ଦଳରେ ବଢ଼ୁଥିବା ଅସ୍ଥିରତା ଓ କନ୍ଦଳକୁ ଦୃଷ୍ଟିରେ ରଖି ଶେଷରେ ଶ୍ରୀ ମହାପାତ୍ରଙ୍କୁ ଖୋର୍ଦ୍ଧା ଜିଲ୍ଲା ବିଜେପି ସଭାପତି ଭାବେ ପୁନଃ ଅବସ୍ଥାପିତ କରାଯାଇଛି । ତେବେ ଶ୍ରୀ ମହାପାତ୍ରଙ୍କୁ ଯେଉଁ ଅଭିଯୋଗରେ ବିଦା କରାଯାଇଥିଲା, ସେ ନେଇ ଦଳ ପକ୍ଷରୁ କିଛି ସୂଚନା ଦିଆଯାଇନାହିଁ । ବିଜେପିର ଏଭଳି ନିଷ୍ପତ୍ତି ହିଁ ଦଳରେ ଚାଲିଥିବା ଗୋଷ୍ଠୀକନ୍ଦଳକୁ ଇସାରା କରୁଥିବା ଚର୍ଚ୍ଚା ହେଉଛି ।


