ଭୁବନେଶ୍ୱର(ଓଡ଼ିଶା ୱେୟାର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ପାରମ୍ପରିକ ହିଞ୍ଜଳି ବିଧାନସଭା ଆସନ ରଖି ବିଜେପୁର ବିଧାନସଭା ଆସନରୁ ଇସ୍ତଫା ଦେଇଛନ୍ତି । ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କୁ ଚିଠି ଲେଖି ନବୀନ ବିଜେପୁର ବିଧାୟକ ପଦରୁ ଇସ୍ତଫା ଦେଇଥିବା ଜଣାଇଛନ୍ତି । ବିଜେପୁର ଆସନ ପାଇଁ ଉପନିର୍ବାଚନରେ ତାଙ୍କ ପ୍ରତିନିଧି ଭାବେ ସ୍ୱଳ୍ପ ସମୟ ପାଇଁ ବିଧାୟିକା ରୀତା ସାହୁଙ୍କୁ ସୁଯୋଗ ଦେଉଛନ୍ତି କି ଆଉ କାହାକୁ ପ୍ରାଥୀ କରୁଛନ୍ତି ତାହା ଦେଖିବାକଥା |
ବିଜେପୁର ବିଧାୟକ ପଦରୁ ଇସ୍ତଫା ଦେବା ସହ ନବୀନ ବିଜେପୁରବାସୀଙ୍କୁ ଚଳିତ ନିର୍ବାଚନରେ ସମର୍ଥନ ଜଣାଇଥିବାରୁ ଧନ୍ୟବାଦ ଦେଇଛନ୍ତି। ଏଥର ସାଧାରଣ ନିର୍ବାଚନରେ ପ୍ରଥମଥର ପାଇଁ ଦୁଇଟି ଆସନରୁ ନିର୍ବାଚନ ଲଢ଼ିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ତେବେ ନିଜର ପାରମ୍ପାରିକ ଆସନ ହିଞ୍ଜିଳି ବିଧାନସଭା ଆସନକୁ ରଖି ବିଜେପୁର ଆସନରୁ ଇସ୍ତଫା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ବିଜେପୁର ଆସନ ଛାଡ଼ିବେ ବୋଲି ଆଗରୁ ସୂଚନାମିଳିଥିଲା | ସେ କେବଳ ପଶ୍ଚିମ ଓଡ଼ିଶାବାସୀଙ୍କ ମନରେ ଆଶା ସଂଚାର କରିବାପାଇଁ ବିଜେପୁରରୁ ପ୍ରାଥୀ ହୋଇଥିଲେ। ପ୍ୟାକେଜ ଘୋଷଣା ପରେ ସେ ଛାଡୁଥିବା ଜଣାପଡ଼ିଯାଇଥିଲା।
ହେଲେ ସେ ନିର୍ବାଚନରେ ବିଜୟୀ ହେବା ପରେ ବିଜେପୁରକୁ ଫୋକସରେ ରଖିଛନ୍ତି ନବୀନ। ଯେଉଁଥିପାଇଁ ପଞ୍ଚମ ପାଳି ସରକାରର ଦ୍ୱିତୀୟ ଦିନରେ ବିଜେପୁର ପାଇଁ ସ୍ୱତନ୍ତ୍ର ପ୍ୟାକେଜ୍ ଘୋଷଣା ମଧ୍ୟ କରିଛନ୍ତି। ବିଜେପୁରବାସୀଙ୍କ ଜୀବନଜିବୀକା ଏବଂ ଉନ୍ନତି ପାଇଁ ବିଭିନ୍ନ ଯୋଜନାକୁ କାର୍ଯ୍ୟକାରୀ କରିବାକୁ ନିଜେ ତଦାରଖ କରିବାକୁ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି।


