ଭୁବନେଶ୍ୱର/ଜଗତସିଂହପୁର(ଓଡ଼ିଶା ୱେୟାର): ଜଗତସିଂହପୁର ନିର୍ବାଚନମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ମୁଦୁଲି ଆଜି ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ବାଲିକୁଦା ବିଧାୟକ ଶ୍ରୀ ମୁଦୁଲି ୬ତାରିଖରେ ନାଉଁଗାରେ ନିଜର ଶକ୍ତି ପ୍ରଦର୍ଶନ କରିଥିବାବେଳେ ଆଜି ବାଲିଭଉଁରୀ ଛକଠୁ ଏକ ବିରାଟ ଶୋଭାଯାତ୍ରାରେ ଜଗତସିଂହପୁର ଜିଲ୍ଲାପାଳ କାର୍ଯ୍ୟାଳୟକୁ ଆସି ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଜଗତସିଂହପୁରରୁ ଟିକେଟ୍ ଆଶାୟୀ ତଥା ଜିଲ୍ଲା ବିଜେଡି ସଭାପତି ଅମରେନ୍ଦ୍ର ଦାସ ଓ ତାଙ୍କ ସମର୍ଥକମାନଙ୍କୁ ଏହି ଶୋଭାଯାତ୍ରାରେ ଦେଖିବାକୁ ମିଳିନଥିଲା। ବିଷ୍ଣୁ ଓ ଅମରେନ୍ଦ୍ରଙ୍କ ଅନୁପସ୍ଥିତି ସତ୍ତେ୍ୱ ପ୍ରଶାନ୍ତ ନିଜର ପତିଆରା ଦେଖାଇବାରେ ସକ୍ଷମ ହୋଇଛନ୍ତି।
ଶ୍ରୀ ମୁଦୁଲି ନିଜ ସମର୍ଥକମାନଙ୍କ ସହ ଏକ ବାଇକ ଶୋଭାଯାତ୍ରାରେ ବାଲିଭଉଁରୀ ଛକରୁ ଜିଲ୍ଲାପାଳ କାର୍ଯ୍ୟାଳୟରେ ପହଞ୍ôଚବା ପରେ ଉପଜିଲ୍ଲାପାଳ ମହେନ୍ଦ୍ର ପ୍ରସାଦ ମହାନ୍ତିଙ୍କ ନିକଟରେ ୪ ସେଟ ବିଶିଷ୍ଟ ନାମାଙ୍କନ ପତ୍ର ଦାଖଲ କରିଥିଲେ। ନାମାଙ୍କନ ପତ୍ର ଦାଖଲ ସମୟରେ ଦଳର ବରିଷ୍ଠ ନେତା ଦୋଳଗୋବିନ୍ଦ ଦାଶ, କନକପ୍ରଭା ଲେଙ୍କା, ଏଲିନା ଦାସ, ମଧୁସୂଦନ ସାହୁ, ଦୀପ୍ତି ଦାସ ପ୍ରମୁଖ ପ୍ରସ୍ତାବକ ଓ ସମର୍ଥକମାନେ ଉପସ୍ଥିତ ଥିଲେ। ଏହି ବାଇକ ଶୋଭାଯାତ୍ରାରେ ଜିଲ୍ଲା ପରିଷଦ ସଭ୍ୟ ଲିଙ୍ଗରାଜ ସ୍ୱାଇଁ, ସୁବଳ ବେହେରା, କିରଣବାଳା ସାସମଲ, ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବୀଦତ୍ତ ମହାନ୍ତି, ପୂର୍ବତନ ବ୍ଲକ ଅଧ୍ୟକ୍ଷ ପ୍ରସନ୍ନ କୁମାର ସ୍ୱାଇଁ, ନାଉଁଗା ବ୍ଲକ ବିଜେଡି ସଭାପତି ସୁଜିତ୍ ମଲ୍ଲିକ, ଯୁବ ବିଜେଡି ସମ୍ପାଦକ ସରୋଜ ବିଶ୍ୱାଳ, ପ୍ରଦୀପ୍ତ ସ୍ୱାଇଁଙ୍କ ସମେତ ବହୁ ସରପଞ୍ଚ, ସମିତି ସଭ୍ୟ ଓ ବରିଷ୍ଠ ନେତାମାନେ ଉପସ୍ତିତ ଥିଲେ । ପ୍ରାୟ ୧୦ରୁ ୧୫ହଜାର କର୍ମୀଙ୍କ ଗହଣରେ ପ୍ରଶାନ୍ତ ନିଜର ପ୍ରାର୍ଥୀପତ୍ର ଦାଖଲ କରିବା ସହ ଜଗତସିଂହପୁର ବଜାରରେ ପ୍ରଥମ ର୍ୟାଲି କରି ପତିଆରା ପ୍ରଦର୍ଶନ କରିଛନ୍ତି।



