ଭୁବନେଶ୍ୱର : ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ବିଜେଡିରୁ ବହିଷ୍କାର କରିବା ପାଇଁ କେନ୍ଦ୍ରାପଡ଼ା ଜିଲ୍ଲା ସଭାପତି ଧ୍ରୁବ ସାହୁ ଆଜି ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଦାବି କରିଛନ୍ତି ।
ଆଜି ସନ୍ଧ୍ୟାରେ ଶ୍ରୀ ସାହୁ ନବୀନ ନିବାସରେ ବିଜେଡି ସୁପ୍ରିମୋ ଶ୍ରୀ ପଟ୍ଟନାୟକଙ୍କୁ ଭେଟି ସାଂସଦ ଶ୍ରୀ ପଣ୍ଡାଙ୍କ ନାଁରେ ଲିଖିତ ଭାବେ ଅଭିଯୋଗ କରିଛନ୍ତି । ତାଙ୍କୁ ଦଳରୁ ନିଲମ୍ବନ କରାଯାଇଥିଲେ ମଧ୍ୟ ଜିଲ୍ଲା ବିଜେଡିର ତୃଣମୂଳସ୍ତରର କର୍ମୀଙ୍କଠୁ ଆରମ୍ଭ କରି ଦଳୀୟ କର୍ମକର୍ତ୍ତା ପର୍ଯ୍ୟନ୍ତ ସମସ୍ତେ ଶ୍ରୀ ପଣ୍ଡାଙ୍କ ବହିଷ୍କାର ଦାବି କରୁଛନ୍ତି ବୋଲି ସେ ଦଳର ସୁପ୍ରିମୋଙ୍କୁ ଅବଗତ କରାଇଛନ୍ତି । ଏପରି କରାଗଲେ ଜିଲ୍ଲାବାସୀ ଓ ସାଧାରଣ ଲୋକଙ୍କ ଆସ୍ଥା ଓ ବିଶ୍ୱାସ ବିଜେଡି ଓ ମୁଖ୍ୟମନ୍ତ୍ରୀଙ୍କ ସ୍ୱଚ୍ଛ ନେତୃତ୍ୱ ପ୍ରତି ଅତୁଟ ରହିବ ବୋଲି ସେ କହିଛନ୍ତି । ବୈଜୟନ୍ତ ବିଜେଡି ପ୍ରାର୍ଥୀ ହେଲେ ମିଥ୍ୟା ସତ୍ୟପାଠ ଦାଖଲ କରିଥିଲେ । କଟକ ଜିଲ୍ଲାର ଟାଙ୍ଗୀସ୍ଥିତ ହରିଅନ୍ତାର ଗୋପାଳ ଚରଣ ଲେଙ୍କା ଏନେଇ ଚଳିତବର୍ଷ ମାର୍ଚ୍ଚ ୧୫ତାରିଖରେ କେନ୍ଦ୍ରାପଡ଼ା ଏସ୍ଡିଜେଏମ୍ କୋର୍ଟରେ ଯେଉଁ ଅପରାଧିକ ମାମଲା ରୁଜୁ କରିଥିଲେ ତାକୁ କୋର୍ଟ ଗ୍ରହଣ କରିଛନ୍ତି ଓ ଏପ୍ରିଲ ୧୬ତାରିଖରେ ଏହାର ଶୁଣାଣି ହେବ । ଏହି ଖବର ପ୍ରଚାର ହେବା ପରେ କେନ୍ଦ୍ରାପଡ଼ା ଜିଲ୍ଲାର ପ୍ରତି କୋଣଅନୁକୋଣରୁ ଲୋକମାନେ ବିଶେଷକରି ବିଜେଡିର ଶୁଭେଚ୍ଛୁଙ୍କ ମଧ୍ୟରେ ଶ୍ରୀ ପଣ୍ଡାଙ୍କୁ ଦଳରୁ ବହିଷ୍କାର କରିବା ପାଇଁ ଦାବିକୁ ଜୋରଦାର କରିଛନ୍ତି । ବୈଜୟନ୍ତଙ୍କ ଏପରି ଆଚରଣ ବିଜେଡି ସ୍ୱାର୍ଥ ଓ ଶୃଙ୍ଖଳାର ବିରୋଧାଚରଣ କରୁଛି ବୋଲି ସେ କହିଛନ୍ତି । ତେଣୁ ବୈଜୟନ୍ତଙ୍କୁ ବହିଷ୍କାର କରିବା ପାଇଁ ଶ୍ରୀ ପଟ୍ଟନାୟକଙ୍କ ନିକଟରେ ଦାବି କରିଛନ୍ତି ।
ଅନ୍ୟପକ୍ଷରେ ସାଂସଦ ବୈଜୟନ୍ତ ପଣ୍ଡା ଏହା ଉପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଯଦି ଖବର ସତ ହୋଇଥାଏ, ତେବେ ଏହା ଦୁର୍ଭାଗ୍ୟଜନକ । କିନ୍ତୁ ସେଥିପାଇଁ ସେ ଚକିତ ନୁହଁନ୍ତି । ଗତ ୪ବର୍ଷ ହେଲା ବିଜେଡିରେ ଅଗଣତାନ୍ତ୍ରିକ କାର୍ଯ୍ୟ ଚାଲିଛି । ଜଣେ ପ୍ରଶାସନିକ ଅଫିସର୍ଙ୍କ ଅହେତୁକ ପ୍ରଭାବ ଯୋଗୁ ଏଭଳି ହେଉଛି । ତାଙ୍କ ବିରୋଧରେ ମିଥ୍ୟା ଆରୋପ ଆଣି ଦଳରୁ ନିଲମ୍ବନ କରାଯାଇଛି । ତାଙ୍କୁ ମଧ୍ୟ ପକ୍ଷ ରଖିବାକୁ ସୁଯୋଗ ମିଳିନି । ଏବେ ସମାନ ଘଟଣା ପାଇଁ ତାଙ୍କୁ ବହିଷ୍କୃତ କରାଗଲେ ସେ ଆଶ୍ଚର୍ଯ୍ୟ ହେବେ ନାହିଁ । ତାଙ୍କର ଶ୍ରୀଜଗନ୍ନାଥ ଓ ଓଡ଼ିଶାବାସୀଙ୍କ ଉପରେ ପୂର୍ଣ୍ଣ ଭରସା ରହିଛି ବୋଲି ଶ୍ରୀ ପଣ୍ଡା ନିଜର ପ୍ରତିକ୍ରିୟାରେ କହିଛନ୍ତି ।


