ଭୁବନେଶ୍ୱର : ବିଜେଡିରୁ ନିଲମ୍ବିତ ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ତାଙ୍କ ରାଜନୀତିକ ସଚିବ ଦେବାଶିଷ ମଲ୍ଲିକ ଆଜି ତୀବ୍ର ସମାଲୋଚନା କରିଛନ୍ତି । ସାଂସଦ ଶ୍ରୀ ପଣ୍ଡା ଦଳବିରୋଧୀ କାର୍ଯ୍ୟକ୍ରମରେ ଲିପ୍ତ ରହିଥିବା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତୃତୀୟ ମହଲା ବିରୋଧରେ ଷଡ଼ଯନ୍ତ୍ର ରଚନା କରୁଥିବାରୁ ସିଏ ତାଙ୍କଠୁ ଦୂରେଇ ଯିବାକୁ ନିଷ୍ପତ୍ତି ନେଇଛନ୍ତି ବୋଲି ଶ୍ରୀ ମଲ୍ଲିକ କହିଛନ୍ତି । ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ଶ୍ରୀ ମଲ୍ଲିକ କହିଚନ୍ତି ଯେ ସେ ୧୦-୧୨ବର୍ଷ ଧରି ବୈଜୟନ୍ତଙ୍କ ରାଜନୀତିକ ସଂଯୋଜକ ଭାବେ କାର୍ଯ୍ୟ କରୁଥିଲେ । ତେବେ ଗତ କିଛିଦିନ ହେଲା ବୈଜୟନ୍ତ ବିଜେପିମୁହାଁ ହୋଇଛନ୍ତି । ପଞ୍ଚାୟତ ନିର୍ବାଚନ ଓ ବିଜେପୁର ନିର୍ବାଚନରେ ସେ ଦଳବିରୋଧୀ କାର୍ଯ୍ୟ କରିଥିଲେ । ନବୀନ ତାଙ୍କୁ ପାର୍ଲାମେଣ୍ଟ ଅର୍ଥ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ଭାବେ ମନୋନୀତ ନକରିବାରୁ ସେ ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା ନେଇ ଗୁଜବ ପ୍ରଚାର କରିଥିଲେ । ବ୍ୟବସାୟିକ ସ୍ୱାର୍ଥ ପାଇଁ ସବୁବେଳେ ତୃତୀୟ ମହଲା ଓ ପାଣ୍ଡିଆନ୍ଙ୍କୁ ବୈଜୟନ୍ତ ଟାର୍ଗେଟ୍ କରୁଛନ୍ତି । ସିଏ ଦୀର୍ଘବର୍ଷ ଧରି ବିଜୁ ପରିବାରର ସଦସ୍ୟ ଭାବେ କାର୍ଯ୍ୟ କରୁଥିବାରୁ ବୈଜୟନ୍ତଙ୍କ ଏଭଳି ଆଭିମୁଖ୍ୟ ତାଙ୍କ ବିବେକକୁ ବାଧିଛି । ତେଣୁ ସେ ବୈଜୟନ୍ତଙ୍କଠୁ ଦୂରେଇ ଯିବାକୁ ନିଷ୍ପତ୍ତି ନେଇଛନ୍ତି ବୋଲି ଶ୍ରୀ ମଲ୍ଲିକ କହିଛନ୍ତି । ଅନ୍ୟପକ୍ଷରେ ଶ୍ରୀ ମଲ୍ଲିକଙ୍କ ଏଭଳି ଅଭିଯୋଗ ଉପରେ ବୈଜୟନ୍ତଙ୍କ ରାଜନୀତିକ ସଚିବ ଜ୍ୟୋତି ଘୋଷ ଏକ ପ୍ରେସ୍ ରିଲିଜ୍ରେ କହିଛନ୍ତି ଯେ ଦେବାଶିଷଙ୍କ ଅଭିଯୋଗ ଭିତ୍ତିହୀନ । ଏଥିରେ କୌଣସି ସତ୍ୟତା ନାହିଁ । ଏଭଳି ସମ୍ବାଦ ଦୁର୍ଭାଗ୍ୟଜନକ । ଦେବାଶିଷଙ୍କୁ ଛାତ୍ର ଜୀବନରୁ ୧୦ବର୍ଷ ହେଲା ବୈଜୟନ୍ତ ପ୍ରୋତ୍ସାହନ ଦେଉଥିଲେ । ନିଜ ସ୍ୱାଥଁ ପାଇଁ କାହା ଇଙ୍ଗିତରେ ଦେବାଶିଷ ଏଭଳି ନିଷ୍ପତ୍ତି ନେଲେ ତାହା ଆଗାମୀ ଦିନରେ ସ୍ପଷ୍ଟ ହେବ । ଏଥିରେ ବିଚଳିତ ହେବାର କୌଣସି କାରଣ ନାହିଁ ବୋଲି ଶ୍ରୀ ଘୋଷ କହିଛନ୍ତି । ତେବେ ଶ୍ରୀ ମଲ୍ଲିକ ସାମ୍ବାଦିକ ସମ୍ମିଳନୀ କରିବା ପୂର୍ବରୁ ସାଂସଦ ବୈଜୟନ୍ତ ପଣ୍ଡା ଟ୍ୱିଟ୍ କରି କହିଥିଲେ ଯେ, ତାଙ୍କର ଜଣେ ସହଯୋଗୀଙ୍କୁ ନେବା ପାଇଁ କ୍ଷମତା ପ୍ରୟୋଗ କରାଯାଇଛି । ଯାହାକୁ ସିଏ ଛାତ୍ର ରାଜନୀତିରୁ ଆଣି ଦୀର୍ଘ ଦଶନ୍ଧି ଧରି ବିକଶିତ କରିବା ସହ ନିଜ ଟିମ୍ରେ ସାମିଲ କରିଥିଲେ ଓ ରାଜ୍ୟସ୍ତରରେ ପରିଚୟନ ଦେଇଥିଲେ ସିଏ ଏକ ସାମ୍ବାଦିକ ସମ୍ମିଳନୀ କରି ତାଙ୍କ ବିରୋଧରେ ମତପୋଷଣ କରିବେ ।


