ଭୁବନେଶ୍ୱର : ବିଜେଡିର ପ୍ରସ୍ତାବିତ ମହାନଦୀ ଆନ୍ଦୋଳନକୁ ଦଳର ବରିଷ୍ଠ ନେତା ତଥା ପାରାଦୀପ ବିଧାୟକ ଡାକ୍ତର ଦାମୋଦର ରାଉତ ତାତ୍ସଲ୍ୟ କରିଛନ୍ତି । ଏହା ସହିତ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି କରିଥିବା ଜଗତସିଂହପୁର ଜିଲ୍ଲା ସମୀକ୍ଷା ବୈଠକକୁ ଡକାନଯିବା ନେଇ ମଧ୍ୟ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।
ମହାନଦୀ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ପଦକ୍ଷେପକୁ ସମାଲୋଚନା କରି ଗଣମାଧ୍ୟମ ଆଗରେ ଡାକ୍ତର ରାଉତ ନିଜର କ୍ଷୋଭ ପ୍ରକଟ କରଛନ୍ତି । ସେ କହିଛନ୍ତି ଯେ, ଭବିଷ୍ୟତରେ ମହାନଦୀରେ ଯେଉଁ ବିପଦ ସୃଷ୍ଟି ହେବାକୁ ଯାଉଛି ତାକୁ ଭୟ କରି ଏବେ ଛତିଶଗଡ଼ ବିରୋଧରେ ଆନ୍ଦୋଳନ ହେବାକୁ ଯାଉଛିି ନା ଏହା କେବଳ ପ୍ରଚାରର ମୋହ । ତେବେ ଆମକୁ ମହାନଦୀ ପ୍ରସଙ୍ଗରେ ତ୍ୱରିତ୍ ଯଥାର୍ଥ ପଦକ୍ଷେପ ନେବା ପାଇଁ ସତର୍କ ରହିବାକୁ ପଡ଼ିବ । ଅନ୍ୟ ରାଜ୍ୟ ତୁଳନାରେ ଆମ ରାଜ୍ୟର ସରକାର ପ୍ରାକୃତିକ ସମ୍ବଳର ବିନିଯୋଗ ଉପରେ ଆବଶ୍ୟକ ଗୁରୁତ୍ୱ ଦେଇନାହିଁ । ମୁଁ ଜାଣେ ଯେଉଁମାନେ ଏଠି ଯୋଜନାର ରୂପରେଖ ପ୍ରସ୍ତୁତ କରନ୍ତି ସେମାନେ ଠିକ୍ ଭାବେ ଓଡ଼ିଶାକୁ ଦେଖିନାହାନ୍ତି । କାହାପ୍ରତି ବ୍ୟକ୍ତିଗତ ଆକ୍ରୋଶ ରଖି ସେ ଏକଥା କହୁନାହାନ୍ତି । ବରଂ ଏହା ସତ୍ୟ । ତାଙ୍କର ୪୫ବର୍ଷର ରାଜନୀତିକ ଅଭିଜ୍ଞତା ରହିଛି । ମହାନଦୀ ପ୍ରସଙ୍ଗରେ ଯେତେବେଳେ ବିଧାନସଭାରେ ଘଣ୍ଟା ଘଣ୍ଟା ଧରି ଆଲୋଚନା ହେଲା ତାଙ୍କୁ କହିବାକୁ ସୁଯୋଗ ଦିଆଗଲାନି । ମହାନଦୀକୁ ନେଇ ଦଳ ପକ୍ଷରୁ ଯେଉଁ ବୈଠକ ହେଲା ସେଠାକୁ ମଧ୍ୟ ତାଙ୍କୁ ଡକାଗଲାନି । ସେ ଏନେଇ ପ୍ରସନ୍ନ ଆଚାର୍ଯ୍ୟଙ୍କ ସହ କଥା ହୋଇଛନ୍ତି । କାହିଁକି ତାଙ୍କୁ ଡକାଗଲାନି ବୋଲି ମଧ୍ୟ ପଚାରିଛନ୍ତି । ଡାକ୍ତର କହିଛନ୍ତି ଯେ, ସେହିପରି ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଜଗତସିଂହପୁର ଜିଲ୍ଲା ସମୀକ୍ଷା ବୈଠକକୁ ତାଙ୍କୁ ଡକାଯାଇ ନଥିବା ସେ କହିଛନ୍ତି । ଯେହେତୁ ବୈଠକକୁ ତାଙ୍କୁ କେହି ଡାକିନଥିଲେ,ତେଣୁ ସେ ଯାଇନଥିଲେ । ପୁଅକୁ ଡକାଯାଇଥିଲା ସେ ଯାଇଛି । କିନ୍ତୁ ପୁଅ କ’ଣ ପାରାଦୀପ ବିଧାୟକଙ୍କ ପ୍ରତିନିଧି । ସେ ବିଧାୟକ, ତାଙ୍କୁ ବୈଠକକୁ ଡକାଯିବାର ଥିଲା । ପାରାଦୀପ ନିର୍ବାଚନମଣ୍ଡଳୀ ସମସ୍ୟା ବିଷୟରେ ତାଙ୍କ ପୁଅ କ’ଣ କହିବ ବୋଲି ଡାକ୍ତର ରାଉତ ଓଲଟା ପ୍ରଶ୍ନ କରିଛନ୍ତି । ପୁଅ ଦଳରେ ଗୋଟିଏ ଦାୟିତ୍ୱରେ ରହିଛି, ସେଥିପାଇଁ ସେ ଯାଇଥିବ ବୋଲି ଡାକ୍ତର ରାଉତ କହିଛନ୍ତି ।


