ଭୁବନେଶ୍ୱର : ମହାପ୍ରଭୁ ଶ୍ରୀଜଗନ୍ନାଥ ଉପବାସରେ ନଥିଲେ। ଏ ସଂପର୍କିତ ଯେଉଁ ଖବର ପ୍ରକାଶ ପାଇଛି ବା ଚର୍ଚ୍ଚା ହେଉଛି, ତାହା ଅମୂଳକ। ଆଇନ ମନ୍ତ୍ରୀ ପ୍ରତାପ ଜେନା ଆଜି ବିଧାନସଭାରେ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ନୀତି ବିଳମ୍ବ ହୋଇଥିବା କଥା ସତ। ଆଜି କିନ୍ତୁ ଶ୍ରୀଜୀଉଙ୍କ ସମସ୍ତ ନୀତି ସୁରୁଖୁରୁରେ ଚାଲିଛି। ସୁପକାରମାନଙ୍କ ଅସହଯୋଗ କାରଣରୁ ଶ୍ରୀଜୀଉଙ୍କ ଭୋଗମଣ୍ଡପରେ ପୂଜା ହୋଇପାରି ନାହିଁ। ତେଣୁ ଭକ୍ତମାନଙ୍କ ପାଇଁ ଉଦ୍ଦିଷ୍ଟ ଭୋଗ ବାହାରି ପାରିନାହିଁ। ଜଗମୋହନ କାର୍ଯ୍ୟ ସରିବା ପରେ ଗତ ୧୬ ତାରିଖରେ ଶ୍ରୀଜୀଉ ଭକ୍ତଙ୍କୁ ଦର୍ଶନ ଦେଇଥିଲେ। ସେହିଦିନ ଶ୍ରୀଜୀଉଙ୍କ ଗୋପାଳ ବଲ୍ଲଭ ଭୋଗ ଓ ସକାଳ ଧୂପ ନୀତି ଠିକ୍ ସମୟରେ ହୋଇଥିଲା। ମାତ୍ର ନୀତିରେ ବିଳମ୍ୱ ହୋଇଥିଲା। ପୂର୍ବ ଦିନର ନୀତି ବିଳମ୍ୱ ହେତୁ ରୋଷଘରେ ଅମୁଣିଆ ଖାଦ୍ୟଦ୍ରବ୍ୟ ପଡ଼ି ରହିଥିଲା। ସଫା ପରେ ରାତି ୧୦ଟା ୫୦ରେ ନୀତି ଆରମ୍ଭ ହୋଇଥିଲା। ଆଜି ଯଥାରୀତି ନୀତିକାନ୍ତି ଚାଲିଛି। ସମସ୍ୟା ସମାଧାନ ପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ଶ୍ରୀମନ୍ଦିର ନୀତି ବିଭ୍ରାଟ ପ୍ରସଙ୍ଗକୁ ନେଇ ବିଧାନସଭାରେ ବିରୋଧୀ କରିଥିଲେ ହୋହାଲ୍ଲା। ସେଥିପାଇଁ ବାଚସ୍ପତି ଗୃହ ମୁଲତବି ବାରମ୍ବାର କରିଥିଲେ। ପ୍ରଥମେ ଦିନ ୧୧ଟା ୩୦, ପୁଣି ୧୨ଟା ୫୦ ଓ ପରେ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଗୃହକୁ ମୁଲତବି କରିଥିଲେ ବାଚସ୍ପତି। ଗୃହରେ ଲାଗି ରହିଥିବା ଅଚଳାବସ୍ଥା ଦୂର କରିବାକୁ ବାଚସ୍ପତି ଡାକିଥିଲେ ବୈଠକ। ମାତ୍ର ବୈଠକରେ ଗୃହରେ ସରକାର ବିବୃତି ରଖିବା ନେଇ ନିଷ୍ପତ୍ତି ହୋଇଥିଲା। ଅନ୍ୟପଟେ ଗୃହରେ ଅଚଳାବସ୍ଥା ନେଇ ରୋକଠୋକ୍ ମତ ଦେଇଛନ୍ତି ବିଜେଡି ନେତା ଦାମୋଦର ରାଉତ। ସେ କହିଛନ୍ତି- “ଜଗନ୍ନାଥ ଓଡ଼ିଆଙ୍କ ଆରାଧ୍ୟ ଦେବତା। ତାଙ୍କର ସେବା ବ୍ୟାହତ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ପ୍ରସଙ୍ଗରେ ପୁରୀ ଗଜପତି ଓ ଶଙ୍କରାଚାର୍ଯ୍ୟ ହସ୍ତକ୍ଷେପ କରି ସମାଧନ କରନ୍ତୁ।” ଶ୍ରୀଜଗନ୍ନାଥଙ୍କ ଉପବାସ ପ୍ରସଙ୍ଗକୁ ନେଇ ଆଜି ଗୃହ ବାରମ୍ବାର ମୁଲତବି ହୋଇଥିଲା। ତା ପରେ ମନ୍ତ୍ରୀ ଉଭୟ ଗୃହ ଭିତରେ ଓ ବାହାରେ ତାଙ୍କ ମନ୍ତବ୍ୟ ରଖିଥିଲେ।


