ଭୁବନେଶ୍ୱର (ଓଡ଼ିଶା ୱେୟାର): ପୂର୍ବତନ ମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ବିଧାୟକ ସୁରେଶ କୁମାର ରାଉତରାୟ ଆଜି ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ସେ ଆଜି ଗଣମାଧ୍ୟମରେ ସିଧାସଳଖ ଫାଇଭ-ଟି ସଚିବଙ୍କୁ ଟାର୍ଗେଟ୍ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଗୃହବନ୍ଦୀ କରି ରଖାଯାଇଛି ବୋଲି ଅଭିଯୋଗ କରିଛନ୍ତି । ଏହାସହିତ ତୁରନ୍ତ ମୁଖ୍ୟମନ୍ତ୍ରୀଙ୍କୁ ମୁକ୍ତ କରିବା ପାଇଁ ସେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଖରେ ଗୁହାରି କରିଛନ୍ତି ।
ଶ୍ରୀ ରାଉତରାୟ ଗଣମାଧ୍ୟମରେ ସଙ୍ଗୀନ ଅଭିଯୋଗ ଆଣି କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କୁ ଗୋଟିଏ ଘରେ ଗୃହବନ୍ଦୀ କରି ରଖାଯାଇଛି । ତାଙ୍କୁ ତୁରନ୍ତ ଛାଡ଼ି ଦିଆଯାଉ । ମୁଖ୍ୟମନ୍ତ୍ରୀ ଆମ ପାଖକୁ ଆସି ରାଜ୍ୟର ଭଲମନ୍ଦ ଓ ଲୋକଙ୍କ ସୁଖଦୁଃଖ ବୁଝନ୍ତୁ । ରାଜ୍ୟର ବିକାଶ ପାଇଁ କାର୍ଯ୍ୟ କରନ୍ତୁ । ମୁଖ୍ୟମନ୍ତ୍ରୀଙ୍କୁ ପୁରୀ ଓ ଲିଙ୍ଗରାଜ ମନ୍ଦିରକୁ ବୁଲେଇ ନିଆଯାଉଛି । କେବଳ ଲୋକଙ୍କୁ ବାର୍ତ୍ତା ଦିଆଯାଉଛି ଯେ ମୁଖ୍ୟମନ୍ତ୍ରୀ ବଂଚିଛନ୍ତି । ମୁଖ୍ୟମନ୍ତ୍ରୀ କାହିଁକି ସାମାଜିକ, ସରକାରୀ କାର୍ଯ୍ୟକ୍ରମରେ ସାମିଲ ହେଉନାହାନ୍ତି ବୋଲି ଶ୍ରୀ ରାଉତରାୟ ପ୍ରଶ୍ନ କରିବା ସହ ୯ମାସ ମଧ୍ୟରେ ରାଜ୍ୟରେ କ’ଣ ବିକାଶ ହୋଇଛି ତା’ର ହିସାବ ମାଗିଛନ୍ତି । ରାଜ୍ୟର ବିକାଶ ଏବେ କେବଳ ତାମିଲନାଡୁରେ ହେଉଛି । ଓଡ଼ିଶାରେ ଯେତେ ଠିକାଦାର କାମ କରୁଛନ୍ତି ସେମାନେ ସମସ୍ତେ ତାମିଲନାଡୁର । ଏପଟେ ବିହାରୀ ଓ ସେପଟେ ତାମିଲୀ ଏ ରାଜ୍ୟକୁ ଖାଇ ସାରିଲେଣି । ଭୁବନେଶ୍ୱର ଓ ଖୋର୍ଦ୍ଧାର ମୂଲ୍ୟବାନ ଜମିକୁ ଶାଗମାଛ ଦରରେ ବିକ୍ରି ଦେଉଛନ୍ତି । ଏହି ଜମି ବିକ୍ରିିରେ ପ୍ରାୟ ୧୦ହଜାର କୋଟି ଟଙ୍କାର ହେରଫେର ହୋଇଛି ବୋଲି ଶ୍ରୀ ରାଉତରାୟ ଅଭିଯୋଗ କରିଛନ୍ତି ।
ଭୁବନେଶ୍ୱର ଓ ଖୋର୍ଦ୍ଧାର ଜମିଗୁଡ଼ିକୁ କମ୍ ଦରରେ ବିକ୍ରି କରାଯାଉଛି, ଏପରିକି ସ୍କୁଲର ଖେଳ ପଡ଼ିଆ, ମଶାଣୀ, ମେଳଣ ପଡ଼ିଆକୁ ମଧ୍ୟ ବାଦ୍ ଦେଉନାହାନ୍ତି । ତେଣୁ ସରକାରଙ୍କ ଏହି ଜମି ବିକ୍ରିକୁ ବିରୋଧ କରି ଖୁବଶୀଘ୍ର ଖୋର୍ଦ୍ଧା ଓ ଭୁବନେଶ୍ୱର ଅଂଚଳର ୨୦ହଜାର ଲୋକଙ୍କୁ ଆଣି ନବୀନ ନିବାସ ଘେରାଉ କରାଯିବ ବୋଲି ଶ୍ରୀ ରାଉତରାୟ ଚେତାବନୀ ଦେଇଛନ୍ତି ।


