ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଦଳର ଜଣେ ସାଂସଦଙ୍କ ଝିଅ ତୀବ୍ର ସମାଲୋଚନା କରିଛନ୍ତି । ଓଡ଼ିଶାରେ ଶିଳ୍ପାୟନର ଅଗ୍ରଦୂତ ବଂଶୀଧର ପଣ୍ଡାଙ୍କ ମୃତ୍ୟୁ ଖବର ପାଇ ମଧ୍ୟ ତାଙ୍କୁ ଶେଷଦର୍ଶନ ପାଇଁ ମୁଖ୍ୟମନ୍ତ୍ରୀ ନଯିବାକୁ ବିଜେଡି ରାଜ୍ୟସଭା ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଝିଅ ତନୟା ପଟ୍ଟନାୟକ କଡ଼ା ଭାଷାରେ ସମାଲୋଚନା କରିଛନ୍ତି । ସେ ଟ୍ୱିଟ୍ କରି କହିଛନ୍ତି ଯେ, ଯଦି ଶିଳ୍ପପତି ବଂଶୀଧର ପଣ୍ଡାଙ୍କ ଶେଷଦର୍ଶନ ପାଇଁ ମୁଖ୍ୟମନ୍ତ୍ରୀ ଯାଇଥାନ୍ତେ ତେବେ ସେ ନିଜକୁ ବଡ଼ ଓ ଭଲ ମଣିଷ ଭାବେ ପ୍ରମାଣିତ କରିପାରିଥାନ୍ତେ । ଅବଶ୍ୟ କେବଳ ତନୟା ନୁହଁନ୍ତି ବିଭିନ୍ନ ରାଜନୀତିକ ଦଳ ଓ ବୁଦ୍ଧିଜୀବୀ ମହଲରେ ମୁଖ୍ୟମନ୍ତ୍ରୀଙ୍କ ଏଭଳି ଆଭିମୁଖ୍ୟକୁ ସମାଲୋଚନା କରାଯାଇଛି । ସେହିପରି ତୈଳ ଦର ବୃଦ୍ଧିକୁ ନେଇ ବିଜେଡିର ୩ଦିନିଆ ରାଜ୍ୟବ୍ୟାପୀ ବିକ୍ଷୋଭକୁ ମଧ୍ୟ ତନୟା ପରୋକ୍ଷରେ ସମାଲୋଚନା କରିଛନ୍ତି । ଟ୍ୱିଟ୍ କରି ତନୟା ତୈଳ ଦର ବୃଦ୍ଧିକୁ ସାମାନ୍ୟ ଘଟଣା ବୋଲି କହିବା ସହ ବିରୋଧୀଙ୍କ ପ୍ରତିବାଦକୁ ମଧ୍ୟ ମାମୁଲି ବୋଲି କହିଛନ୍ତି । ସୌମ୍ୟ ବିଜେଡିରେ ମିଶିବା ପରେ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା କରିବାର କୌଣସି ସୁଯୋଗ ହାତଛଡ଼ା କରୁନଥିବାବେଳେ ତାଙ୍କ ଝିଅ ତନୟାଙ୍କ ଏଭଳି ଆଭିମୁଖ୍ୟକୁ ନେଇ ବିଜେଡି ମହଲରେ ଚର୍ଚ୍ଚା ।


