ଭୁବନେଶ୍ୱର(ଓଡ଼ିଶା ୱେୟାର): ଆସନ୍ତା ମେ’ ପହିଲାରୁ ଭୁବନେଶ୍ୱର-ପାଟନା ମଧ୍ୟରେ ଦୈନିକ ସିଧାସଳଖ ବିମାନ ସେବା ଆରମ୍ଭ ହେବ । ଇଣ୍ଡିଗୋ ଏୟାରଲାଇନ୍ସ ପକ୍ଷରୁ ଏହି ବିମାନ ସେବା ଯୋଗାଇ ଦିଆଯିବ । ସମସ୍ତ ରାଜ୍ୟର ପ୍ରମୁଖ ସହରଗୁଡ଼ିକୁ ସଂଯୋଗ ପାଇଁ ଆରମ୍ଭ ହୋଇଥିବା ୨୨ଟି ନୂଆ ମାର୍ଗରେ ବିମାନ ଚଳାଚଳ ମଧ୍ୟରେ ଏହା ରହିଛି । ମାର୍ଚ୍ଚ ୨୮ତାରିଖରେ ଏହି ନୂଆ ମାର୍ଗ ସବୁକୁ ସଂଯୋଗ କରିବା ନିମନ୍ତେ ବିମାନ ଚଳାଚଳର ଆନୁଷ୍ଠାନିକ ଶୁଭାରମ୍ଭ ହେବ ।
ସୂଚନା ଅନୁସାରେ, ମେ’ ପହିଲାରୁ ଭୁବନେଶ୍ୱର-ପାଟନା ମଧ୍ୟରେ ଦୈନିକ ରାତି ୧୦ଟା ୪୫ମିନିଟରେ ବିମାନ ଚଳାଚଳ କରିବ । ଭୁବନେଶ୍ୱର ବିମାନ ବନ୍ଦରରୁ ୧୦ଟା ୪୫ମିନିଟରେ ବିମାନ ଛାଡ଼ି ୧୨ଟା ୩୫ମିନିଟରେ ପାଟନାରେ ପହଂଚିବ । ସେହିପରି ଅନ୍ୟ ଏକ ବିମାନ ପାଟନାରୁ ଭୁବନେଶ୍ୱର ଅଭିମୁଖେ ରାତି ୧୦ଟା ୪୫ମିନିଟରେ ଛାଡ଼ି ୧୨ଟା ୩୫ରେ ପହଂଚିବ । ଭୁବନେଶ୍ୱରରୁ ପାଟନା ବିମାନ ଭଡ଼ା ୩୮୧୧ଟଙ୍କା ଥିବାବେଳେ ପାଟନାରୁ ଭୁବନେଶ୍ୱରର ଭଡ଼ା ୩୫୮୦ଟଙ୍କା ରହିଛି ।
ସୂଚନାଯୋଗ୍ୟ ଇଣ୍ଡିଗୋ ଏୟାରଲାଇନ୍ସ ଦ୍ୱାରା ଏବେ ୨୮୪ଟି ବିମାନ ଦୈନିକ ୧୧୦୦ଥର ୬୦ଟି ଘରୋଇ ସ୍ଥାନ ଓ ୬ଟି ଆନ୍ତର୍ଜାତିକ ସ୍ଥଳକୁ ଚଳପ୍ରଚଳ କରୁଛି ।


