ଭୁବନେଶ୍ୱର(ଓଡ଼ିଶା ୱେୟାର): ଚଳିତବର୍ଷ ମାଟ୍ରିକ ପରୀକ୍ଷା ପାଇଁ ପରୀକ୍ଷାର୍ଥୀଙ୍କୁ କୌଣସି ଫି’ ଦେବାକୁ ପଡ଼ିବ ନାହିଁ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ମ୍ୟାଟ୍ରିକ ପରୀକ୍ଷା ଫି’ ଛାଡ଼ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହାଦ୍ୱାରା ୬ଲକ୍ଷ ପରୀକ୍ଷାର୍ଥୀ ଉପକୃତ ହେବେ । ଏଥିପାଇଁ ରାଜ୍ୟ ସରକାର ୨୭କୋଟି ଟଙ୍କା ବହନ କରିବେ ।
ସୂଚନାଯୋଗ୍ୟ, କରୋନା ମହାମାରୀ ଯୋଗୁ ରାଜ୍ୟ ସରକାର ଚଳିତବର୍ଷ ମାଟ୍ରିକ ପରୀକ୍ଷାକୁ ମେ’ ୩ରୁ ୧୫ତାରିଖ ମଧ୍ୟରେ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଚଳିତ ଶିକ୍ଷାବର୍ଷରେ ମାଟ୍ରିକ ପରୀକ୍ଷାର୍ଥୀଙ୍କ ପାଇଁ ଶନିବାର,ରବିବାରକୁ ମିଶାଇ ମୋଟ ୧୦୦ଦିନ ପାଠପଢ଼ା ହେବ । ଚଳିତମାସ ୮ତାରିଖରୁ ସ୍କୁଲଗୁଡ଼ିକ ଖୋଲିଛି । ପରୀକ୍ଷା ଫି’ ବାବଦରେ ପ୍ରତି ପରୀକ୍ଷାର୍ଥୀଙ୍କୁ ୪୨୦ଟଙ୍କା ଲେଖାଏଁ ଫି’ ଦେବାକୁ ପଡ଼ିଥାଏ । ଅର୍ଥାଭାବରୁ କୌଣସି ପିଲା ଯେଭଳି ମାଟ୍ରିକ ପରୀକ୍ଷାରୁ ବଂଚିତ ନହେବେ ସେଥିପାଇଁ ରାଜ୍ୟ ସରକାର ଏଭଳି ପଦକ୍ଷେପ ନେଇଥିବା ଜଣାପଡ଼ିଛି ।


