ଭୁବନେଶ୍ୱର(ଓଡ଼ିଶା ୱେୟାର): ମୟୂରଭଞ୍ଜ ଜିଲ୍ଲାର ଜଣେ ଯୁବତୀଙ୍କ ସହ ଘଣ୍ଟା ଘଣ୍ଟା ଧରି ପ୍ରେମାଳାପ ବିଜେଡିର ଜଣେ ଯୁବ ବିଧାୟକଙ୍କୁ ମହଙ୍ଗା ପଡ଼ିଛି । ବିବାହ ପାଇଁ ଜିଦ୍ ଧରି ବିଧାୟକଙ୍କ ଘରେ ଯୁବତୀଜଣକ ପ୍ରାୟ ୭-୮ଘଣ୍ଟା ଧରି ହାଇପ୍ରୋଫାଇଲ୍ ଡ୍ରାମା କରିବାପରେ ଏବେ ମାମଲା ଥାନାରେ ପହଂଚିଛି । ବିଧାୟକ ନିଜକୁ ସୁରକ୍ଷିତ ରଖିବା ନିମନ୍ତେ ଆଗୁଆ ଥାନାରେ ମାମଲା ରୁଜୁ କରିଥିବା ଜଣାପଡ଼ିଛି ।
ସୂଚନା ଅନୁସାରେ, ପାଲଲହଡ଼ାର ବିଜେଡି ବିଧାୟକ ମୁକେଶ କୁମାର ପାଲ୍ ଥାନାରେ ଦେଇଥିବା ଏତଲା ଦେଇ ତାଙ୍କୁ ସମ୍ପୃକ୍ତ ଯୁବତୀଙ୍କ କବଳରୁ ଆଇନଗତ ସୁରକ୍ଷା ଦେବାକୁ ଅନୁରୋଧ କରିଛନ୍ତି । ଏତଲାରେ ବିଧାୟକ ଶ୍ରୀ ପାଲ୍ ନିଜେ ସମ୍ପୃକ୍ତ ଯୁବତୀଙ୍କ ସହ ଏକାଧିକ ଥର ଫୋନରେ କଥା ହୋଇଥିବା ଓ ତାଙ୍କ ସହ ତାଙ୍କର ବିବାହ ପ୍ରସ୍ତାବ ପଡ଼ିଥିବା କଥାକୁ ମଧ୍ୟ ସ୍ୱୀକାର କରିଛନ୍ତି । କିନ୍ତୁ କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ମତାନ୍ତର ହେବାପରେ ବିଧାୟକଙ୍କ ପାଲଲହଡ଼ାସ୍ଥିତ ଘରେ ସମ୍ପୃକ୍ତ ଯୁବତୀଜଣକ ପହଂଚି ନିଜର ହକ୍ ଦାବି କରିଥିବା ଜଣାପଡ଼ିଛି ।
ବିଧାୟକଙ୍କ ନିକଟତମ ମହଲରୁ ମିଳିଥିବା ସୂଚନା ଅନୁସାରେ, ସମ୍ପୃକ୍ତ ଯୁବତୀଙ୍କ ସହ ବିଧାୟକ ମୁକେଶଙ୍କର ବିବାହ ପ୍ରସ୍ତାବ ଜଣେ ବନ୍ଧୁ ଦେଇଥିଲେ । ସମ୍ପୃକ୍ତ ଯୁବତୀଙ୍କ ସହ ବିଧାୟକ ମଧ୍ୟ କଥା ହୁଅନ୍ତି । କିନ୍ତୁ ସେମାନଙ୍କ ମଧ୍ୟରେ ମନୋମାଳିନ୍ୟ କାହିଁକି ହେଲା ଓ କେଉଁ ପରିସ୍ଥିତିରେ ଯୁବତୀଙ୍କୁ ବିବାହ କରିବାକୁ ବିଧାୟକ ରାଜି ହେଉନାହାନ୍ତି ତାହା କେହି ଜାଣନ୍ତି ନାହିଁ । ଯୁବତୀଜଣକ ୨୫ତାରିଖ ଅପରାହ୍ନ ୩ଟାରୁ ୯ଟା ପର୍ଯ୍ୟନ୍ତ ବିଧାୟକଙ୍କ ପାଲଲହଡ଼ାସ୍ଥିତ ବାସଭବନକୁ ଆସି ତାଙ୍କୁ ବୋହୂ କରିବା ନିମନ୍ତେ ପରିବାର ପାଖରେ ଜିଦ୍ ଧରିଥିଲେ । ବୁଝାସୁଝା ପରେ ସେ ନଯିବାରୁ ପୁଲିସ ତାଙ୍କୁ ରାତିରେ ଥାନାକୁ ନେଇ ଯାଇଥିଲା । ଅବଶ୍ୟ ପରେ ତାଙ୍କୁ ଛାଡ଼ିଦେଇଛି । କିନ୍ତୁ କାଳେ ଭବିଷ୍ୟତରେ କିଛି ସମସ୍ୟା ହେବ ସେଥିପାଇଁ ବିଧାୟକ ନିଜ ଆଡ଼ୁ ଗତକାଲି ଏକ ଏତଲା ଥାନାରେ ଦେଇଛନ୍ତି । ପୁଲିସ ମଧ୍ୟ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।
ଅନ୍ୟପକ୍ଷରେ ନିର୍ଭରଯୋଗ୍ୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ସମ୍ପୃକ୍ତା ଯୁବତୀଜଣକ ଜଣେ ଆଇନ ଛାତ୍ରୀ । ଭୁବନେଶ୍ୱରରେ ରୁହନ୍ତି ମଧ୍ୟ । ସୋସିଆଲ ମିଡିଆରେ ବି ବେଶ୍ ସକ୍ରିୟ ଅଛନ୍ତି । ବିଧାୟକଙ୍କ ସହ ବିବାହ ପ୍ରସ୍ତାବ ପଡ଼ିବା ପରେ ଉଭୟ ପରସ୍ପରକୁ ମଧ୍ୟ ଭେଟିଛନ୍ତି । ଘଣ୍ଟା ଘଣ୍ଟା ଧରି ଉଭୟଙ୍କ ମଧ୍ୟରେ ଟେଲିଫୋନରେ କଥାବାର୍ତ୍ତା ମଧ୍ୟ ହୁଏ । ତେବେ ପରବର୍ତ୍ତୀ ସମୟରେ ବିବାହ କରିବା ନିଷ୍ପତ୍ତିରୁ ବିଧାୟକ ଓହରି ଯିବାରୁ ଯୁବତୀଜଣକ ତାଙ୍କ ଘରକୁ ଯାଇଥିଲେ ବୋଲି ଜଣାପଡ଼ିଛି ।


