ଭୁବନେଶ୍ୱର : ସୁନ୍ଦରଗଡ଼ର କଂଗ୍ରେସ ବିଧାୟକ ଯୋଗେଶ ସିଂଙ୍କୁ ଆଜି ସୁପ୍ରିମକୋର୍ଟରୁ ଆଶ୍ୱସ୍ତି ମିଳିଛି । ସୁପ୍ରିମକୋର୍ଟ ପୂର୍ବରୁ ଦେଇଥିବା ରହିତାଦେଶକୁ ବଜାୟ ରଖିବା ସହ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଶ୍ରୀ ସିଂ ବିଧାୟକ ଭାବେ କାର୍ଯ୍ୟ କରିବେ ବୋଲି ଖଣ୍ଡପୀଠ ତାଙ୍କ ରାୟ ପ୍ରଦାନ କରିଛନ୍ତି ।
ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍ ଏ.କେ.ସିକ୍ରି ଓ ଜଷ୍ଟିସ୍ ଅଶୋକ ଭୂଷଣଙ୍କ ଖଣ୍ଡପୀଠ ଆଜି ସହଦେବ ସାସା ଓ ଅଜୟ ପଟେଲଙ୍କ ଆବେଦନ ଉପରେ ଶୁଣାଣି କରିବା ପରେ ଏହି ରାୟ ଶୁଣାଇଛନ୍ତି । ଏହା ସହିତ ଆବେଦନକାରୀଙ୍କ ଆବେଦନ ଉପରେ ଜବାବ ଦାଖଲ କରିବା ପାଇଁ ବିଧାୟକ ଶ୍ରୀ ସିଂଙ୍କୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି । ୨୦୧୪ ବିଧାନସଭା ନିର୍ବାଚନରେ ଶ୍ରୀ ସିଂ ନିଜକୁ ‘ଭୂୟାଁ’ ଆଦିବାସୀ ସମୁଦାୟ ବୋଲି ମିଥ୍ୟା ସତ୍ୟପାଠ ଓ ମିଥ୍ୟା ଜାତିଗତ ପ୍ରମାଣପତ୍ର ଦେଇଛନ୍ତି ବୋଲି ଉଭୟ ଆବେଦନକାରୀ ଅଭିଯୋଗ କରିଥିଲେ । ସୂଚନାଯୋଗ୍ୟ, ଫେବୃୟାରୀ ୧୩ତାରିଖରେ ସୁପ୍ରିମ୍କୋର୍ଟ ଏହି ମାମଲାର ଶୁଣାଣି କରି ଓଡ଼ିଶା ହାଇକୋର୍ଟଙ୍କ ରାୟ ଉପରେ ରହିତାଦେଶ ଜାରି କରିବା ସହ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଶ୍ରୀ ସିଂଙ୍କ ବିଧାୟକ ପଦକୁ କାଏମ ରଖିଥିଲେ । ୨୦୧୮ ଜାନୁୟାରୀ ୩୦ତାରିଖରେ ହାଇକୋର୍ଟ ଶ୍ରୀ ସିଂଙ୍କ ବିଧାୟକ ପଦକୁ ଅସିଦ୍ଧ ଘୋଷଣା କରିଥିଲେ । ଯାହାକୁ ଚ୍ୟାଲେଞ୍ଜ କରି ଶ୍ରୀ ସିଂ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଶ୍ରୀ ସିଂଙ୍କ ପକ୍ଷରୁ ବରିଷ୍ଠ ଓକିଲ ପିତାମ୍ବର ଆଚାର୍ଯ୍ୟ ମାମଲା ପରିଚାଳନା କରୁଛନ୍ତି ।


