ଭୁବନେଶ୍ୱର: ରାଉରକେଲାସ୍ଥିତ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ ଟେକ୍ନୋଲୋଜି(ଏନଆଇଟି)ରେ ମେଡିକାଲ କଲେଜ ଓ ହସ୍ପିଟାଲ ଶୀଘ୍ର ସ୍ଥାପନ ହେବ । ଏଠାରେ ମେଡିକାଲ କଲେଜ ବ୍ୟତୀତ ଗବେଷଣାର ସମସ୍ତ ସୁବିଧା ଉପଲବ୍ଧ ହେବ । ଏଥିପାଇଁ ଏନ୍ଆଇଟି ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବକୁ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଅନୁମତି ପ୍ରଦାନ କରିଛନ୍ତି । ରାଉରକେଲାରେ ଏହି ମେଡିକାଲ କଲେଜ ଖୋଲିବା ଦ୍ୱାରା ଲୋକଙ୍କୁ ଅତ୍ୟାଧୁନିକ ଚିକିତ୍ସା ସେବା ଉପଲବ୍ଧ ହୋଇପାରିବ । ରାଉରକେଲା ଏନ୍ଆଇଟି ସମଗ୍ର ଦେଶରେ ପ୍ରଥମ ସଂସ୍ଥାନ ଯେଉଁଠି ଇଞ୍ଜିନିୟରିଂ ସମେତ ମେଡିକାଲ ପାଠପଢ଼ା ମଧ୍ୟ ହେବ । ସୂଚନା ଅନୁସାରେ ରାଉରକେଲାବାସୀଙ୍କ ଦୀର୍ଘଦିନର ଦାବିକୁ ଦୃଷ୍ଟିରେ ରଖି ମେଡିକାଲ କଲେଜ ଓ ହସ୍ପିଟାଲ ଏବଂ ରିସର୍ଚ୍ଚ ସୁବିଧା ଉପଲବ୍ଧ କରାଇବା ନିମନ୍ତେ ଏନ୍ଆଇଟି ନିର୍ଦ୍ଦେଶକ ପ୍ରଫେସର ଅନିମେଶ ବିଶ୍ୱାସଙ୍କ ପକ୍ଷରୁ ଚଳିତମାସ ଫେବୃୟାରୀ ୨୩ତାରିଖରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟକୁ ବିଧିବଦ୍ଧ ପ୍ରସ୍ତାବ ପଠାଇଥିଲେ । କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଇଣ୍ଡିଆନ ମେଡିକାଲ କାଉନସିଲ୍ ଆକ୍ଟ-୧୯୫୬ର ଧାରା ୧୦(କ) ଆଧାରରେ ଅନୁମତି ଦିଆଯାଇଛି । ମନ୍ତ୍ରଣାଳୟ ପକ୍ଷରୁ ଏହାର ନିର୍ମାଣ ନିମନ୍ତେ ନିର୍ଦ୍ଧାରିତ ଅବଧି ମଧ୍ୟରେ ବିସ୍ତୃତ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତ କରି ପଠାଇବା ପାଇଁ ପରାମର୍ଶ ଦିଆଯାଇଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଚିଠିରେ ଜୁନ୍ ୧୫ରୁ ଜୁଲାଇ ୭ତାରିଖ ମଧ୍ୟରେ ମେଡିକାଲ କଲେଜ ପାଇଁ ବିସ୍ତୃତ ପ୍ରକଳ୍ପ ରିପୋର୍ଟ ପ୍ରସ୍ତାବ ପଠାଇବାକୁ କୁହାଯାଇଛି । ଏନ୍ଆଇଟି ରାଉରକେଲାର ଉପକୁଳସଚିବ ବାମଦେବ ଆଚାର୍ଯ୍ୟ ଏଠାରେ ଖୁବ୍ଶୀଘ୍ର କେନ୍ଦ୍ର ସରକାରଙ୍କ ସହାୟତାରେ ମେଡିକାଲ କଲେଜ ସ୍ଥାପନ ହେବ ବୋଲି ଆଶାବ୍ୟକ୍ତ କରିଛନ୍ତି । ରାଉରକେଲାରେ ହାଇଟେକ୍ ମେଡିକାଲ କଲେଜ ହସ୍ପିଟାଲ ନିର୍ମାଣ ହେବା ପରେ ଆଇଜିଏଚ୍ରେ ମେଡିକାଲ କଲେଜ ହସ୍ପିଟାଲ କାର୍ଯ୍ୟ ପାଇଁ ପ୍ରକ୍ରିୟା ମଧ୍ୟ ଜାରି ରହିଛି । ଇତିମଧ୍ୟରେ ଏନ୍ଆଇଟିରେ ମେଡିକାଲ କଲେଜର ସ୍ଥାପନ ନିମନ୍ତେ ଘୋଷଣା ସହରବାସୀଙ୍କ ସମେତ ରାଜ୍ୟବାସୀଙ୍କୁ ଅତ୍ୟାଧୁନିକ ଚିକିତ୍ସା ସୁବିଧା ମିଳିବାର ସମ୍ଭାବନା ସୃଷ୍ଟି ହୋଇଛି ।


