ଭୁବନେଶ୍ୱର(ଓଡ଼ିଶା ୱେୟାର): କରୋନା ମହାମାରୀ ଯୋଗୁ ସାଧାରଣ ଲୋକଙ୍କ ଆର୍ଥିକ ସ୍ଥିତି ଦୋହଲି ଯାଇଥିଲେ ମଧ୍ୟ ଭୁବନେଶ୍ୱର ମହାନଗର ନିଗମ(ବିଏମସି) ଅତ୍ୟନ୍ତ ସମ୍ବେଦନଶୀଳ ହୋଇପଡ଼ିଛି । ଏପ୍ରିଲ ପହିଲାରୁ ରାଜଧାନୀ ଭୁବନେଶ୍ୱରରେ ନୂଆ ଦରରେ ପାର୍କିଂ ଫି’ ଲାଗୁ କରିବାକୁ ପ୍ରକ୍ରିୟା ଆରମ୍ଭ କରିଛି । ରାଜଧାନୀବାସୀଙ୍କୁ ସହରର ସବୁ ଅଂଚଳରେ ପାର୍କିଂ ଫି’ ବାବଦରେ ୩ରୁ ୪ଘଣ୍ଟା ପାଇଁ ବାଇକ୍ ନିମନ୍ତେ ୨୫ଟଙ୍କା ଓ କାର ପାଇଁ ୬୦ଟଙ୍କା ଦେବାକୁ ପଡ଼ିବ । ଦେଶର ଟାୟାର-୨ ଶ୍ରେଣୀରେ ଥିବା ସହରଗୁଡ଼ିକରେ ବିଏମସିର ଏହି ପାର୍କିଂ ଫି’ ସର୍ବାଧିକ ବୋଲି ଜଣାପଡ଼ିଛି ।
ମିଳିଥିବା ସୂଚନା ଅନୁସାରେ, ବିଏମସି କର୍ତ୍ତୃପକ୍ଷ ରାଜଧାନୀ ଭୁବନେଶ୍ୱର ସହରର ୩୨ଟି ସ୍ଥାନରେ ଗାଡ଼ି ପାର୍କିଂ ବ୍ୟବସ୍ଥାକୁ ଘରୋଇ ବ୍ୟକ୍ତିଙ୍କ ହାତରେ ଟେକିଦେବା ନିମନ୍ତେ ଟେଣ୍ଡର ଆହ୍ୱାନ କରିଛନ୍ତି । ଟେଣ୍ଡର ଦସ୍ତାବିଜ ଅନୁସାରେ, ରାଜଧାନୀର ଯେକୌଣସି ସ୍ଥାନରେ ସର୍ବାଧିକ ୨ଘଣ୍ଟା ବାଇକ ରଖିଲେ ୫ଟଙ୍କା, କାର ପାଇଁ ୨୦ଟଙ୍କା ଓ ୪ଚକିଆ ଭାରିଯାନ ପାଇଁ ୨୫ଟଙ୍କା ଦେବାକୁ ପଡ଼ିବ । ମାତ୍ର ୨ରୁ ୩ ବାଇକ୍ ପାର୍କିଂ କଲେ ୧୫ଟଙ୍କା, ୩ଚକିଆ ଯାନକୁ ୨୦ଟଙ୍କା, ଚାରିଚକିଆ ୪୦ଟଙ୍କା ଓ ଭାରିଯାନ ପାଇଁ ୫୦ଟଙ୍କା ପାର୍କିଂ ଫି’ ଆଦାୟ ହେବ ।
ତେବେ ସବୁଠୁ ଗୁୁରୁତ୍ୱପୂର୍ଣ୍ଣ ହେଲା ୩ରୁ ୪ଘଣ୍ଟା ପାର୍କିଂ ନିମନ୍ତେ ବାଇକ୍ ଚାଳକଙ୍କୁ ୨୫ଟଙ୍କା, ତିନିଚକିଆକୁ ୩୫ଟଙ୍କା, ଚାରିଚକିଆକୁ ୬୦ଟଙ୍କା ଓ ଭାରିଯାନକୁ ୭୫ଟଙ୍କା ଫି’ ଦେବାକୁ ହେବ । ସେହିପରି ୪-୫ଘଣ୍ଟା ପାଇଁ ବାଇକ୍ ଚାଳକଙ୍କୁ ୩୫ଟଙ୍କା, ୩ଚକିଆକୁ ୫୦ଟଙ୍କା, କାରକୁ ୮୦ଟଙ୍କା ଓ ଭାରିଯାନକୁ ୧୦୦ଟଙ୍କା ଫି’ ଦେବାକୁ ପଡ଼ିବ । ୫ଘଣ୍ଟାରୁ ଅଧିକ ସମୟ ଧରି ପାର୍କିଂରେ ରହୁଥିବା ଗାଡ଼ିକୁ ଘଣ୍ଟା ପ୍ରତି ଅତିରିକ୍ତ ୨୦ଟଙ୍କା ହିସାବରେ ଦେବାକୁ ପଡ଼ିବ । ଅବଶ୍ୟ ସାଇକେଲ ପାଇଁ କୌଣସି ପାର୍କିଂ ଫି’ ଦେବାକୁ ପଡ଼ିବ ନାହିଁ । ବ୍ୟବସାୟିକ ପ୍ରତିଷ୍ଠାନ କରିଥିବା ବ୍ୟବସାୟୀ ଚାହିଁଲେ ମାସିକିଆ ପାଶ ପାଇଁ ୫୦୦ଟଙ୍କା ଓ ୧୫ଦିନ ପାଇଁ ୩୦୦ଟଙ୍କା ଦେଇପାରିବେ ।
ତେବେ ପ୍ରଶ୍ନ ଉଠୁଛି, ଦେଶର ରାଜଧାନୀ ଦିଲ୍ଲୀ ଭଳି ମେଟ୍ରୋ ସହରରେ ବାଇକଚାଳକଙ୍କୁ ଘଣ୍ଟାପ୍ରତି ୧୦ଟଙ୍କା ଓ ଗୋଟିଏ ଦିନରେ ସର୍ବାଧିକ ୫୦ଟଙ୍କା ଏବଂ କାର ଚାଳକଙ୍କୁ ଘଣ୍ଟା ପାଇଁ ୨୦ଟଙ୍କା ଓ ସର୍ବାଧିକ ୧୦୦ଟଙ୍କା ପାର୍କିଂ ଫି’ ଦେବାକୁ ପଡ଼ୁଥିବାବେଳେ କୋଲକାତା ମେଟ୍ରୋ ସହରରେ ଦିନ ୧୦ଟାରୁ ୭ଟା ମଧ୍ୟରେ ବାଇକଚାଳକଙ୍କୁ ୫ଟଙ୍କା ଓ କାରକୁ ୧୦ଟଙ୍କା ପାର୍କିଂ ଫି’ ଏବଂ ରାତିରେ ବାଇକ ପାଇଁ ୧୦ଟଙ୍କା ଓ କାର ପାଇଁ ୩୦ଟଙ୍କା ପାର୍କିଂ ଫି’ ଦେବାକୁ ପଡ଼ୁଛି ।
ଅସରାଏ ବର୍ଷାରେ ଭୁବନେଶ୍ୱର ସହର ଜଳମଗ୍ନ ହେଉଥିବାବେଳେ ସହରତମାମ ରାସ୍ତାଗୁଡ଼ିକ ଖାଲଖମାରେ ପରିପୂର୍ଣ୍ଣ । ତଥାପି ବିଏମସି କର୍ତ୍ତୃପକ୍ଷ ଜୋରଜବରଦସ୍ତି ଲୋକଙ୍କଠୁ ଏତେ ପରିମାଣର ପାର୍କିଂ ଫି’ ଆଦାୟ କରିବାକୁ ନିଷ୍ପତ୍ତି ନେବା ରାଜଧାନୀବାସୀଙ୍କ ପାଇଁ ବୋଝ ଉପରେ ଲଳିତା ବିଡ଼ା ସଦୃଶ ହେବ ।


