ଭୁବନେଶ୍ୱର(ଓଡ଼ିଶା ୱେୟାର): ଆଜିଠୁ ଆରମ୍ଭ ହୋଇଛି ‘ରାଜଧାନୀ ଏକ୍ସପ୍ରେସ୍’ ବସ୍ ସେବା। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱରରୁ ଏହି ବସ୍ ସେବାର ଉଦ୍ଘାଟନ କରିଛନ୍ତି। ଏହି ବସ୍ଗୁଡ଼ିକ ବିଭିନ୍ନ ଜିଲ୍ଲାକୁ ଯାତ୍ରା କରିବ।
ରାଜଧାନୀ ଭୁବନେଶ୍ବରଠାରୁ ବିଭିନ୍ନ ଜିଲ୍ଲାକୁ ଆରାମଦାୟକ ଯାତ୍ରା ପାଇଁ ୨୩ଟି ଶୀତତାପ ନିୟନ୍ତ୍ରିତ ଡିଲକ୍ସ ବସ ସେବାର ଶୁଭାରମ୍ଭ କରାଯାଇଛି। ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମର ଏହି ସେବାକୁ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଉତ୍ସର୍ଗ କହିଥିଲେ। ଭୁବନେଶ୍ବରରୁ ଫୁଲବାଣୀ, ରାଉରକେଲା,ଭବାନୀପାଟଣା,ଭଞ୍ଜନଗର, ରାଜଗାଙ୍ଗପୁର( ଭାୟା ସୁନ୍ଦରଗଡ଼), ରାଜ ଖରିଆର(ଭାୟା ବଲାଙ୍ଗୀର), ଗୋରୁମହିଷାଣି( ଭାୟା କରଂଜିଆ), ବୁର୍ଲା( ଭାୟା ସମ୍ବଲପୁର) ଦେଇ ଏହି ବସ ସବୁ ଯାତାୟାତ କରିବେ।
ଖୁବ ଶୀଘ୍ର ୪ଟି ଭଲ୍ଭୋ ବସର ଶୁଭାରମ୍ଭ କରାଯିବ। ଏହି ବସ୍ଗୁଡ଼ିକ ଆନ୍ତଃରାଜ୍ୟ ଯାତ୍ରୀ ପରିବହନ ପାଇଁ ଭୁବନେଶ୍ବର-କୋଲକାତା ଏବଂ ପାରାଦୀପଠାରୁ ବିଜୟୱାଡ଼ା ପର୍ଯ୍ୟନ୍ତ ଯାତାୟାତ କରିବ। ମୋଟ ୨୭ଟି ବସ ୧୬ କୋଟି ଟଙ୍କା ବ୍ୟୟରେ କ୍ରୟ କରାଯାଇଛି। ଏବେ ରାଜ୍ୟର ୩୦ ଜିଲ୍ଲା ରାଜ୍ୟ ସଡ଼କ ପରିବହନ ନିଗମର ମୋଟ ୪୨୯ଟି ବସ୍ ଚାଲିଛି।


