ଭୁବନେଶ୍ୱର(ଓଡ଼ିଶା ୱେୟାର): ରାଜ୍ୟର ସମସ୍ତ ଜିଲ୍ଲାରେ ସାଇନ୍ସ ପାର୍କ ଖୋଲିବ । ପ୍ରଥମ ପର୍ଯ୍ୟାୟରେ ୧୦ଟି ଜିଲ୍ଲାରେ ସାଇନ୍ସ ପାର୍କ ସ୍ଥାପନ ହେବ । ଏହାସହିତ ୬ଟି ଜିଲ୍ଲାରେ ପ୍ଲାନେଟୋରିୟମ ସ୍ଥାପନ କରାଯିବ ବୋଲି ଜଣାପଡ଼ିଛି ।
ରାଜ୍ୟ ବିଜ୍ଞାନ ଓ କାରିଗରି କୌଶଳ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଏ ସମ୍ପର୍କରେ ବିଧାନସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତର ଦେଇ କହିଛନ୍ତି ଯେ, ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୧୦ଟି ଜିଲ୍ଲା ଯଥା-ଗଞ୍ଜାମ, ନୟାଗଡ଼, ମୟୂରଭଞ୍ଜ, କେନ୍ଦୁଝର, କୋରାପୁଟ, ଭଦ୍ରକ, ପୁରୀ, ବଲାଙ୍ଗିର, ସୁନ୍ଦରଗଡ଼ ଓ ଜଗତସିଂହପୁର ଜିଲ୍ଲାରେ ସାଇନ୍ସ ପାର୍କ ସ୍ଥାପନ କରାଯିବ । ଏହାସହିତ ରାଜ୍ୟର ୬ଟି ଜିଲ୍ଲା ଯଥା- ଗଞ୍ଜାମ, ମୟୂରଭଞ୍ଜ, କେନ୍ଦୁଝର, ବଲାଙ୍ଗିର, ସୁନ୍ଦରଗଡ଼ ଓ ରାୟଗଡ଼ାରେ ପ୍ଲାନୋଟୋରିୟମ ସ୍ଥାପନ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି ।
ଏବେ ଭୁବନେଶ୍ୱର ଓ ଢେଙ୍କାନାଳଠାରେ କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ ୨ଟି ସାଇନ୍ସ ସେଣ୍ଟର ରହିଛି । ଏହାଛଡ଼ା ୨ଟି ପ୍ଲାନେଟୋରିୟମ, ଗୋଟିଏ ମ୍ୟୁଜିୟମ ଓ ଗୋଟିଏ ଜିଳ୍ଲାସ୍ତରୀୟ ବିଜ୍ଞାନ କେନ୍ଦ୍ର ପରିଚାଳିତ ହେଉଛି । ଭୁବନେଶ୍ୱରରେ ପଠାଣି ସାମନ୍ତ ପ୍ଲାନେଟୋରିୟମ, ବୁର୍ଲାଠାରେ ଡଃ ଏପିଜେ ଅବଦୁଲ କଲାମ ପ୍ଲାନେଟୋରିୟମ, ନୟାଗଡ଼ ଜିଲ୍ଲାରେ ଖଣ୍ଡପଡ଼ାଠାରେ ପଠାଣି ସାମନ୍ତ ମ୍ୟୁଜିୟମ ଓ ବରଗଡ଼ ଜିଲ୍ଲାର ଟୁକୁର୍ଲାଠାରେ ଜିଲ୍ଲାସ୍ତରୀୟ ବିଜ୍ଞାନ କେନ୍ଦ୍ର ରହିଛି ବୋଲି ଶ୍ରୀ ପଣ୍ଡା କହିଛନ୍ତି ।


