ଭୁବନେଶ୍ୱର : ୨୦୧୯-୨୦ ମସିହା ସୁଦ୍ଧା ରାଜ୍ୟର ସମସ୍ତ ବ୍ଲକରେ ପର୍ଯ୍ୟାୟକ୍ରମେ ଜେଏମଏଫସି କୋର୍ଟ ସ୍ଥାପନ କରାଯିବ ବୋଲି ଆଇନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି । ଏବେ ସମଗ୍ର ରାଜ୍ୟରେ ମୋଟ ୩୧୪ଟି ବ୍ଲକ୍ ମଧ୍ୟରୁ ୧୧୫ଟି ବ୍ଲକରେ ଜେଏମଏଫସି କୋର୍ଟ ସ୍ଥାପନ ହେବା ବାକି ରହିଛି । ଚଳିତ ଆର୍ଥିକ ବର୍ଷ ଓ ଆସନ୍ତା ଆର୍ଥିକ ବର୍ଷ ମଧ୍ୟରେ ଏହି କୋର୍ଟଗୁଡ଼ିକ ସ୍ଥାପନ କରାଯିବା ପାଇଁ ପଦକ୍ଷେପ ନିଆଯାଉଛି ବୋଲି ସେ କହିଛନ୍ତି ।
ଆଜି ପ୍ରଶ୍ନକାଳରେ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କ ମୂଳପ୍ରଶ୍ନ ଓ ଯୋଗେନ୍ଦ୍ର ବେହେରା, ପ୍ରମୋଦ ମଲ୍ଲିକ, କନକବର୍ଦ୍ଧନ ସିଂହଦେଓ, ଡମ୍ବୁର ସିସା, ପ୍ରିୟାଂଶୁ ପ୍ରଧାନ ଆଦିଙ୍କ ଅତିରିକ୍ତ ପ୍ରଶ୍ନର ଉତ୍ତର ଦେଇ ଶ୍ରୀ ଜେନା କହିଥିଲେ ଯେ, ସମସ୍ତ ବ୍ଲକରେ ଜେଏମ୍ଏଫ୍ସି କୋର୍ଟ ସ୍ଥାପନ ପାଇଁ ହାଇକୋର୍ଟଙ୍କ ସୁପାରିସ୍ ମିଳିଛି । ଗତ ୩ବର୍ଷ ମଧ୍ୟରେ ଅନେକ ବ୍ଲକ୍ରେ ଏହି କୋର୍ଟ ଖୋଲାଯାଇଛି ଓ ଆସନ୍ତା ୨ବର୍ଷ ମଧ୍ୟରେ ଯେଉଁ ବ୍ଲକରେ ଜେଏମଏଫସି କୋର୍ଟ ନାହିଁ ସେଠାରେ ତାହା ସ୍ଥାପନ କରାଯିବ । ମାଲକାନଗିରିର ସମସ୍ତ ବ୍ଲକରେ କୋର୍ଟ ଖୋଲାଯିବ ଓ ଏବେ ସରକାର ଅଗ୍ରାଧିକାର ଭିତ୍ତିରେ ମାଲକାନଗିରିରେ ବହୁ କୋର୍ଟ ସ୍ଥାପନ କରିଛନ୍ତି ।


