ଭୁବନେଶ୍ୱର : ରାଜ୍ୟରେ ଖାଲି ହେବାକୁ ଥିବା ୩ଟି ରାଜ୍ୟସଭା ଆସନ ପାଇଁ ସୋମବାର ଓଡ଼ିଶା ବିଧାନସଭା ସଚିବାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହା ସହିତ ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି । ମାର୍ଚ୍ଚ ୧୨ ତାରିଖ ନାମାଙ୍କନ ପତ୍ର ଦାଖଲର ଶେଷଦିନ ରହିଛି । ୧୩ ତାରିଖରେ ନାମାଙ୍କନ ପତ୍ର ଯାଂଚ ଓ ୧୫ ତାରିଖ ଅପରାହ୍ନ ୩ଟାରେ ସୁଦ୍ଧା ନାମାଙ୍କନ ପତ୍ର ପ୍ରତ୍ୟାହାର କରାଯାଇ ପାରିବ । ଆବଶ୍ୟକ ପଡ଼ିଲେ ମାର୍ଚ୍ଚ ୨୩ରେ ଭୋଟ୍ ଗ୍ରହଣ କରାଯିବ ବୋଲି ବିଜ୍ଞପ୍ତିରେ ଦର୍ଶାଯାଇଛି । ସଂଖ୍ୟା ଦୃଷ୍ଟିରୁ ସମସ୍ତ ୩ଟି ଆସନ ବିଜେଡି ଜିତିବା ପ୍ରାୟତଃ ନିଶ୍ଚିତ ବୋଲି କୁହାଯାଉଛି । ରାଜ୍ୟସଭା ପ୍ରାର୍ଥୀ ଦୌଡ଼ରେ ବିଜେଡି ନେତା ପ୍ରଶାନ୍ତ ନନ୍ଦ ଓ ଶାରଦା ନାୟକ ରହିଛନ୍ତି । ସୂଚନାଯୋଗ୍ୟ ୨୦୧୮ ଏପ୍ରିଲ ୩ ତାରିଖରେ ରାଜ୍ୟସଭା ସାଂସଦ ଏ.ଭି.ସ୍ୱାମୀ. ଦିଲ୍ଲୀପ ତିର୍କୀ ଓ ଅନଙ୍ଗ ଉଦୟ ସିଂହଦେଓଙ୍କ କାର୍ଯ୍ୟକାଳ ଶେଷ ହେଉଛି ।


