ଭୁବନେଶ୍ୱର : ଶକ୍ତି ଉତ୍ପାଦନ କ୍ଷେତ୍ରରେ ଓଡ଼ିଶା ଆଜି ବଳକା ରାଜ୍ୟ ରୂପେ ପରିଗଣିତ ହେଉଛି ବୋଲି ଶ୍ରମ, କର୍ମଚାରୀ ରାଜ୍ୟ ବୀମା ଓ ଶକ୍ତି ମନ୍ତ୍ରୀ ସୁଶାନ୍ତ ସିଂ କହିଛନ୍ତି । ଚତୁର୍ଥ ପାଳିର ଚତୁର୍ଥ ବର୍ଷ ପୂର୍ତ୍ତି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି ଓ ଆଜି ୫ଟି ବିଭାଗର ସମୀକ୍ଷା କରିଛନ୍ତି । ଆଜି ସାମ୍ବାଦିକ ସମ୍ମିଳନୀରେ ଖାଦ୍ୟ ଯୋଗାଣ, ସମବାୟ, ଦକ୍ଷତା ବିକାଶ, ବୈଷୟିକ ଶିକ୍ଷା, ଶ୍ରମ ଓ ଶକ୍ତି ବିଭାଗ ଦାୟିତ୍ୱରେ ଥିବା ୩ଜଣ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର, ଉଷା ଦେବୀ ଓ ସୁଶାନ୍ତ ସିଂ ନିଜ ନିଜ ବିଭାଗର ସଫଳତା ସମ୍ପର୍କରେ ସୂଚନା ଦେଇଛନ୍ତି ।
ମନ୍ତ୍ରୀ ଶ୍ରୀ ସିଂ କହିଛନ୍ତି ଯେ, ଶକ୍ତି କ୍ଷେତ୍ରରେ ଅତ୍ୟାଧୁନିକ ଜ୍ଞାନ କୌଶଳ ପ୍ରଣୟନ କରିବାରେ ଓଡ଼ିଶା ଦେଶର ଅଗ୍ରଣୀ ରାଜ୍ୟ । ରାଜ୍ୟର ସମସ୍ତ ୪୭,୬୭୭ ସେନ୍ସସ୍ ଗ୍ରାମକୁ ବିଦ୍ୟୁତ୍ ସଂଯୋଗ ହୋଇପାରିଛି । ରାଜ୍ୟରେ ୭୦ ଲକ୍ଷ ଘରୋଇ ଉପଭୋକ୍ତାଙ୍କୁ ବିଦ୍ୟୁତ୍ ଯୋଗାଣ କରାଯାଇଛି । ବିଗତ ୪ ବର୍ଷ ମଧ୍ୟରେ ୧୭ଲକ୍ଷ ପରିବାରକୁ ବିଦ୍ୟୁତ୍ ସଂଯୋଗ ଦିଆଯାଇଛି । ବାକି ରହିଥିବା ପଡ଼ା ଓ ସାହିକୁ ଚଳିତବର୍ଷ ଶେଷ ସୁଦ୍ଧା ବିଦ୍ୟୁତ୍ ସଂଯୋଗ ଦିଆଯିବ । ୪୨୭ଟି ପାୱାର ଟ୍ରାନ୍ସଫର୍ମର, ୭୦,୪୨୭ଟି ଡିଷ୍ଟ୍ରିବ୍ୟୁସନ୍ ଟ୍ରାନ୍ସଫର୍ମର ଏବଂ ୮୩୧୭୦ କି.ମି. ଉଚ୍ଚ ଏବଂ ନିମ୍ନ କ୍ଷମତାସମ୍ପନ୍ନ ଲାଇନ୍ର ବ୍ୟବସ୍ଥା କରାଯାଇଛି । ବିଦ୍ୟୁତ୍ ସଂଚାରଣ କ୍ଷେତ୍ରରେ ୬୫ଟି ନୂତନ ଗ୍ରୀଡ଼ର ନିର୍ମାଣ ସହ ୬୫ଟି ଗ୍ରୀଡ଼ର କ୍ଷମତାବୃଦ୍ଧି କରାଯାଇଅଛି । ୨୦୧୮ ବର୍ଷରେ ରାଜ୍ୟର ବିଦ୍ୟୁତ୍ ଟ୍ରାନ୍ସମିସନ ଉପଲବ୍ଧତା ୯୯.୯୮% ସମଗ୍ର ଦେଶର ସର୍ବାଧିକ ବୋଲି ମନ୍ତ୍ରୀ ଶ୍ରୀ ସିଂ ପ୍ରକାଶ କରିଥିଷଲ । ସେ କହିଥିଲେ ଯେ ରାଜ୍ୟ ସରକାର ନିଜସ୍ୱ ବଜେଟ୍ରେ ୫୦୦ଟି ନୂତନ ୩୩/୧୧ କେ.ଭି ସବ୍ଷ୍ଟେସନ ନିର୍ମାଣ କରୁଥିବା ବେଳେ ବିଗତ ୪ ବର୍ଷ ମଧ୍ୟରେ ୨୭୦ଟି ସବ୍ଷ୍ଟେସନ୍ ସ୍ଥାପନ ହୋଇଛି । ୨୦୧୯ ସୁଦ୍ଧା ବଳକା ୨୩୦ଟି ସବ୍ଷ୍ଟେସନ୍ର କାର୍ଯ୍ୟ ସମ୍ପୂର୍ଣ୍ଣ କରାଯିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି ବୋଲି ମନ୍ତ୍ରୀ ଶ୍ରୀ ସିଂ କହିଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ଼ର ଅଧ୍ୟକ୍ଷ ସୁବାଷ ସିଂହ, ବିଭାଗୀୟ ସଚିବ ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।


