ଭୁବନେଶ୍ୱର(ଓଡ଼ିଶା ୱେୟାର): ଜମ୍ମୁ ଓ କଶ୍ମୀରର ପୁଲଓ୍ୱାମାରେ ଗତକାଲି ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ସହିଦ ଯବାନଙ୍କ ମଧ୍ୟରେ ଦୁଇ ଜଣ ଓଡ଼ିଆ ଯବାନ ଅଛନ୍ତି। ଏହି ଦୁଇ ଯବାନ ହେଲେ ପ୍ରସନ୍ନ ସାହୁ ଏବଂ ମନୋଜ କୁମାର ବେହେରା।
ପ୍ରସନ୍ନ କୁମାର ସାହୁଙ୍କ ଘର ଜଗତସିଂହପୁର ଜିଲ୍ଲା ନାଉଗାଁ ପାରିଶିଖର ଗାଁରେ ବୋଲି ଜଣାପଡ଼ିଛି। ପ୍ରସନ୍ନ ସିଆରପିଏଫ୍ ୬୧ ବାଟାଲିୟନରେ ହାବିଲଦାର ଭାବେ ମୁତୟନ ଥିଲେ।
ସେହିପରି ମନୋଜଙ୍କ ଘର କଟକ ଜିଲ୍ଲା ନିଆଳିର ରତନପୁର ଗାଁରେ। ସେ ସିଆରପିଏଫ୍ କନଷ୍ଟେବଳ ଭାବେ କାର୍ୟ୍ୟରତ ଥିଲେ।
ଜୟପୁରରେ ରହୁଥିବା ମନୋଜଙ୍କ ଭିଣୋଇ କହିଛନ୍ତି ୨୦୦୬ ମସିହାରେ ସେ ସିଆରପିଏଫ୍ରେ ଯୋଗ ଦେଇଥିଲେ। ଛୁଟିରେ ଆସି ସପ୍ତାହ ତଳେ କର୍ମକ୍ଷେତ୍ରକୁ ଫେରିଥିଲେ।
ସୂଚନାଯୋଗ୍ୟ, ଗତକାଲି ସିଆରପିଏଫ୍ ଯବାନଙ୍କୁ ଟାର୍ଗେଟ କରି ହୋଇଥିବା ଏହି ଆକ୍ରମଣରେ ୪୦ ଯବାନ ସହିଦ ହୋଇଥିଲେ। ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥର ଅବନ୍ତୀପୋରା ନିକଟରେ ଏହି ଆକ୍ରମଣ ହୋଇଥିଲା। ପାଖାପାଖି ୨୫୦୦ରୁ ଅଧିକ ଯବାନ ୭୦ଟି ଗାଡିରେ ଜମ୍ମୁରୁ ଶ୍ରୀନଗର ଫେରୁଥିବା ବେଳେ ସେମାନଙ୍କ ଗାଡିକୁ ଆତଙ୍କବାଦୀ ଟାର୍ଗେଟ କରିଥିଲେ। ବିସ୍ଫୋରକ ଭରା ଏକ ଭ୍ୟାନ୍କୁ ଯବାନ ବସିଥିବା ବସ୍ରେ ମାଡ଼ କରିଥିଲେ। ବିସ୍ଫୋରଣର ତୀବ୍ରତା ଏତେ ଥିଲା ଯେ ଏଥିରେ ଗାଡ଼ି ସଂପୂର୍ଣ୍ଣ ଭାଙ୍ଗି ଚୁରମାର ହୋଇଯାଇଥିଲା।


