ଭୁବନେଶ୍ୱର(ଓଡ଼ିଶା ୱେୟାର): ଶିମିଳିପାଳ ଜଙ୍ଗଲରେ ଲାଗିଥିବା ନିଆଁ ଆୟତ୍ତାଧୀନ ହୋଇନଥିବାବେଳେ ରାଜ୍ୟ ସରକାର ଆଜି ୯ଜଣିଆ ଟାସ୍କଫୋର୍ସ ଗଠନ କରିଛନ୍ତି । ଏହି ଟାସ୍କଫୋର୍ସ ଆଜି ପ୍ରଥମଥର ପାଇଁ ବୈଠକ କରିଥିଲେ ମଧ୍ୟ ନିଆଁ କାହିଁକି ଲାଗିଛି, କେବେସୁଦ୍ଧା ନିଆଁ ଲିଭିବ ଓ କ’ଣ କ୍ଷୟକ୍ଷତି ହୋଇଛି ସେ ନେଇ ନିରବ ରହିଛନ୍ତି । ଏପଟେ ରାଜ୍ୟ ସରକାର ଶିମିଳିପାଳରେ ନିଆଁ ନିୟନ୍ତ୍ରଣାଧୀନ ଅଛି ବୋଲି ନିଜର ପୁରୁଣାକଥାକୁ ଦୋହରାଇଛନ୍ତି ।
ଶିମିିଳିପାଳରେ ନିଆଁ ଲିଭୁନଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପୂର୍ବତନ ପିସିସିଏଫ ସନ୍ଦୀପ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଏକ ରାଜ୍ୟସ୍ତରୀୟ ୯ଜଣିଆ ଟାସ୍କଫୋର୍ସ ଗଠନ ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି । ଏହାପରେ ଜଙ୍ଗଲ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇଛି । ଏହି ଟାସ୍କଫୋର୍ସର ଆବହକ ଭାବେ ବର୍ତ୍ତମାନର ପିସିସିଏଫ ଜିତେନ୍ଦ୍ର କୁମାର ଓ ଶଶୀ ପାଉଲ ଥିବାବେଳେ କେନ୍ଦ୍ର ଓ ରାଜ୍ୟ ସରକାର, ନାଗରିକ ସମାଜ ଓ ସଂଗଠନର ସଦସ୍ୟଙ୍କ ସମେତ ୬ଜଣ ବିଶେଷଜ୍ଞ ରହିଛନ୍ତି । ତୁରନ୍ତ ନିଆଁକୁ ଲିଭାଇବା ପାଇଁ ଏହି ଟାସ୍କଫୋର୍ସ ଆବଶ୍ୟକ ପରାମର୍ଶ ଦେବ । ଭବିଷ୍ୟତରେ କିଭଳି ନିଆଁ ଲାଗିବ ନାହିଁ ଓ କମ୍ୟୁନିଟି ଭାଗିଦାରୀକୁ କିଭଳି ବୃଦ୍ଧି କରାଯାଇ ନିଆଁ ଲାଗିବା ଘଟଣାକୁ ନିୟନ୍ତ୍ରଣ କରାଯିବ ସେ ନେଇ ପରାମର୍ଶ ଦେବ । ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣା ପରେ ଟାସ୍କଫୋର୍ସ ବୈଠକ ବସିଥିଲେ ମଧ୍ୟ ସମସ୍ତ ପ୍ରଶ୍ନକୁ ଟାସ୍କଫୋର୍ସ ଅଧ୍ୟକ୍ଷ ଶ୍ରୀ ତ୍ରିପାଠୀ ଏଡ଼ାଇ ଯାଇଥିଲେ । ଟାସ୍କଫୋର୍ସର ଏଭଳି ଆଭିମୁଖ୍ୟ ପରେ ଶିମିଳିପାଳ ଜଙ୍ଗଲରେ ନିଆଁର ସ୍ଥିତିକୁ ନେଇ ଏବେ ଆଶଙ୍କା ବୃଦ୍ଧି ପାଇଛି । ଯଦିଓ ଶିମିଳିପାଳ ନିଆଁ ଲିଭା କାର୍ଯ୍ୟରେ ଓଡ୍ରାଫ ଟିମକୁ ମୁତୟନ କରାଯିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ତଥାପି କେବେଠୁ ସେମାନେ ଜଙ୍ଗଲରେ ନିଆଁ ଲିଭାରେ ନିୟୋଜିତ ହେବେ ତାହା ଜଣାପଡ଼ିନି ।
ଅନ୍ୟପକ୍ଷରେ ଶିମିଳିପାଳ କେବଳ ରାଜ୍ୟ କି ଦେଶ ନୁହେଁ ସମଗ୍ର ବିଶ୍ୱର ଅମୂଲ୍ୟ ସମ୍ପଦ ବୋଲି ରାଜ୍ୟ ସରକାର କହୁଛନ୍ତି । କିନ୍ତୁ ଶିମିିଳିପାଳରେ ଲାଗିଥିବା ନିଆଁକୁ ଏପର୍ଯ୍ୟନ୍ତ ଆୟତ୍ତାଧୀନ କରିବାରେ ସରକାର ସକ୍ଷମ ହୋଇପାରିନାହାନ୍ତି । ଯଦିଓ ଶିମିଳିପାଳ ନିଆଁ ଲାଗିବା ଘଟଣାକୁ ନେଇ ଗତ ସପ୍ତାହରେ କେନ୍ଦ୍ର ସରକାର ଉଦବେଗ ବ୍ୟକ୍ତ କରିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମୀକ୍ଷା କରିବା ସହ ଜଙ୍ଗଲ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ନିଜ ବିଭାଗୀୟ ଅଧିକାରୀଙ୍କୁ ମାର୍ଚ୍ଚ ୪ତାରିଖ ସୁଦ୍ଧା ରିପୋର୍ଟ ତଲବ କରିଥିଲେ ।
ତେବେ ମିଳିଥିବା ତଥ୍ୟ ଅନୁସାରେ, ଶିମିଳିପାଳ ଜଙ୍ଗଲରେ ନିଆଁ ଆଜି ପର୍ଯ୍ୟନ୍ତ ନିୟନ୍ତ୍ରଣାଧୀନ ହେଉନଥିବାବେଳେ ଜଙ୍ଗଲ ବିଭାଗର ସମସ୍ତ ପ୍ରୟାସ ଫେଲ୍ ମାରିଛି । ନିଆଁ ଲିଭାଇବା ପାଇଁ ଓଡ୍ରାଫ ଟିମକୁ ନିୟୋଜିତ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏହାସହିତ ନିଆଁ ଲିଭା କାର୍ଯ୍ୟରେ ଗୋଷ୍ଠୀମାନଙ୍କୁ ପ୍ରୋତ୍ସାହିତ କରିବା ନେଇ ପଂଚାୟତିରାଜ ସଂସ୍ଥାଗୁଡ଼ିକୁୁ ନିୟୋଜିତ କରିବା ପାଇଁ ପଦକ୍ଷେପ ନିଆଯାଉଥିବା ନେଇ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।


