ଭୁବନେଶ୍ୱର : ବିଶିଷ୍ଟ ଶିଳ୍ପପତି ବଂଶୀଧର ପଣ୍ଡାଙ୍କ ଭୁବନେଶ୍ୱର ସ୍ଥିତ ବାସଭବନରେ ତାଙ୍କର ୮୭ ବର୍ଷରେ ପରଲୋକ ଘଟିଛି। ତାଙ୍କ ପରଲୋକରେ ଶିଳ୍ପ ଜଗତରେ ଶୋକର ଛାୟା ଖେଳିଯାଇଛି। ସେ ଖାଲି ଓଡ଼ିଶା ନୁହେଁ ଭାରତୀୟ ଶିଳ୍ପ ଜଗତରେ ଜଣେ ବେଶ୍ ଜଣାଶୁଣା ନାଁ ଥିଲେ। ସେ ଅବିଭକ୍ତ କୋରାପୁଟ ଜିଲ୍ଲାରେ ୧୯୬୧ ମସିହାରେ ରାଜ୍ୟର ସର୍ବ ବୃହତ ଫେରୋ ଆଲଏଜ୍ କାରଖାନା-ଇମ୍ଫା ସେ ପ୍ରତିଷ୍ଠା କରିଥିଲେ । ୧୯୩୨ ମସିହା ନଭେମ୍ବର ୨୬ ତାରିଖରେ ସେ ଜନ୍ମ ଗ୍ରହଣ କରିଥିଲେ। ୨୦୧୧ରେ ‘ବଂଶୀଧର ଇଲା ପଣ୍ଡା ଫାଉଣ୍ଡେସନ’ ପ୍ରତିଷ୍ଠା କରିଥିଲେ। ତାଙ୍କ ପୃଷ୍ଟପୋଷକତାରେ ପ୍ରତିବର୍ଷ ଶାରଳା ପୁରସ୍କାର ଏବଂ ଏକଲବ୍ୟ ପୁରସ୍କାର ଆଦି ପ୍ରଦାନ କରାଯାଇ ଆସୁଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିବା ସହ ତାଙ୍କ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ମଧ୍ୟ ଶୋକ ପ୍ରକାଶ କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଜୁଏଲ ଓରାମଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ମୃତ୍ୟୁରେ ଗଭୀର ଶୋକ ବ୍ୟକ୍ତ କରିଛନ୍ତି ।


