ଭୁବନେଶ୍ୱର: ୨୦୧୯ରେ ଦଳ କ୍ଷମତାକୁ ଆସିଲେ ଓବିସି ସଂପ୍ରଦାୟରୁ ଜଣଙ୍କୁ ମୁଖ୍ୟମନ୍ତ୍ରୀ ଓ ୨ଜଣ ଉପମୁଖ୍ୟମନ୍ତ୍ରୀଙ୍କ ମଧ୍ୟରୁ ଜଣେ ଆଦିବାସୀ ଓ ଜଣେ ଅନୁସୂଚିତ ଜାତି ବର୍ଗରୁ କରିବାକୁ ରାଜ୍ୟ କଂଗ୍ରେସ ଇସ୍ତାହାର କମିଟି ମୁଖ୍ୟ ଶ୍ରୀକାନ୍ତ ଜେନା,ଏଆଇସିସି ଓ ପିସିସି ସଦସ୍ୟଙ୍କୁ ପ୍ରସ୍ତାବ ଦେଇଛନ୍ତି। ଆଉ ପିସିସି ମୁଖିଆ ଭାବେ ନିରଞ୍ଜନ ଦାୟିତ୍ୱ ନେବାର ୧୦ଦିନ ନ ଯାଉଣୁ ଏହି ଚିଠିକୁ ନେଇ ଉଠିଛି ବିବାଦ। ଏହା କେବଳ ଦଳ ଭିତରେ ବିଭାଜନର ମଞ୍ଜି ପୋତିନି ବରଂ କେନ୍ଦ୍ରୀୟ ନେତୃତ୍ୱଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କଲାଭଳି ହୋଇଛି।
ସେପଟେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ମଧ୍ୟ ସିଧାସଳଖ ଶ୍ରୀକାନ୍ତଙ୍କ ଏ ପ୍ରସ୍ତାବକୁ ନାପସନ୍ଦ କରିଛନ୍ତି। କହିଛନ୍ତି ଭୁବନେଶ୍ୱରରେ ବସି ନୁହଁ ବରଂ ଗାଁ ଲୋକଙ୍କ ମତକୁ ନେଇ ତିଆରି ହେବ କଂଗ୍ରେସ ମେନିଫେଷ୍ଟୋ ପିସିସି କୋର କମିଟି ଅଧ୍ୟକ୍ଷ ଜୟଦେବ ଜେନା କହିଛନ୍ତି ଯେ, ଆଗ ଦଳ କ୍ଷମତାକୁ ଆସୁ, କିଏ ମୁଖ୍ୟମନ୍ତ୍ରୀ ହେବେ ସେ ନିଷ୍ପତ୍ତି ହାଇକମାଣ୍ଡଙ୍କର। ଅନ୍ୟପଟେ ନିରଞ୍ଜନ ପଟ୍ଟନାୟକ ରାଜ୍ୟ କଂଗ୍ରେସ ସଂଗଠନର ଭାର ସମ୍ଭାଳିବାର ମାତ୍ର ୧୦ ଦିନ ପୂରିନି କି ଇସ୍ତାହାର କମିଟି ବି ମୂଳରୁ ଗଠନ ହୋଇନି ଏଣେ କିନ୍ତୁ ଶ୍ରୀକାନ୍ତଙ୍କ ଏଭଳି ପ୍ରସ୍ତାବ ସମ୍ପର୍କିତ ଚିଠିକୁ ନେଇ ଉଠିଛି ଅନେକ ପ୍ରଶ୍ନ ।
ଦଳର କାର୍ଯ୍ୟକାରୀ ସଭାପତି ଚିରଞ୍ଜିବୀ ବିଶ୍ୱାଳ କହିଛନ୍ତି, ଏବେଠୁ ଏଭଳି ଚିନ୍ତା ଅପରିପକ୍ୱ । ସେପଟେ କିନ୍ତୁ ବିଜେଡି ଏହାକୁ ଭିନ୍ନ ଦୃଷ୍ଟିରେ ଦେଖୁଛି । କହିଛି କ୍ଷମତାକୁ ଆସିବାକୁ କଂଗ୍ରେସ ଜାତିଭିତ୍ତିକ କାର୍ଡ ଖେଳୁଛି।


