ସାଉଥାମ୍ପଟନ୍: ସାକିବ୍ ଅଲ୍ ହାସନଙ୍କ ଅଲରାଉଣ୍ଡର ପ୍ରଦର୍ଶନକୁ ଆଧାର କରି ବାଂଲାଦେଶ ଚଳିତ ବିଶ୍ୱକପର ସୋମବାର ଖେଳାଯାଇଥିବା ମ୍ୟାଚରେ ଆଫଗାନିସ୍ତାନକୁ ୬୨ ରନରେ ପରାସ୍ତ କରିଛି। ଏହି ବିଜୟ ସହ ବାଂଲାଦେଶ ପଏଣ୍ଟ ଟେବୁଲର ପଞ୍ଚମ ସ୍ଥାନକୁ ଉଠିଛି। ରୋଜ୍ ବାଉଲରେ ଅନୁଷ୍ଠିତ ଏହି ମ୍ୟାଚରେ ବାଂଲାଦେଶ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୭ ୱିକେଟ୍ ହରାଇ ୨୬୨ ରନ୍ କରିଥିଲା।
ବାଂଲାଦେଶ ପକ୍ଷରୁ ମୁଶଫିକର ରହିମ୍ ସର୍ବାଧିକ ୮୩ (୮୭ ବଲ୍, ୪ ଚୌକା, ୧ ଛକା) ଓ ସାକିବ୍ ୫୧ ରନର ମହତ୍ତ୍ୱପୂର୍ଣ୍ଣ ଇନିଂସ୍ ଖେଳିଥିଲେ। ଜବାବରେ ଆଫଗାନିସ୍ତାନ ୪୭ ଓଭରରେ ସମସ୍ତ ୱିକେଟ୍ ହରାଇ ୨୦୦ ରନ୍ କରି କ୍ରଗାମତ ସପ୍ତମ ପରାଜୟବରଣ କରିଛି। ବାଂଲାଦେଶର ସାକିବ୍ ୨୯ ରନରେ ୫ ୱିକେଟ୍ ନେଇ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି।ଏହି ଚ୍ୟାଲେଞ୍ଜିଂ ଲକ୍ଷ୍ୟର ପିଛା କରୁଥିବା ଆଫଗାନିସ୍ତାନର କୌଣସି ବ୍ୟାଟ୍ସମ୍ୟାନ୍ ବଡ଼ ସ୍କୋର କରିବାକୁ ସକ୍ଷମ ହୋଇନଥିଲେ।


